ଭୁବନେଶ୍ବର,୧୯/୫ : ବଢୁଛି ତାତି, ଅସମ୍ଭାଳ ଗରମ । ଆସନ୍ତାକାଲିଠାରୁ ଆହୁରି ବଢିବ ତାତି । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନକୁ ନେଇ ଚିନ୍ତାରେ ରାଜ୍ୟବାସୀ । ସମଗ୍ର ଓଡ଼ିଶା ଜଳୁଥିବାବେଳେ ମେ ୩୧ତାରିଖ ପର୍ଯ୍ୟନ୍ତ ମିଳିବନି ତ୍ରାହି । ଏପଟେ ଗରମ ଯୋଗୁଁ ଭୁବନେଶ୍ୱରରେ ଦିନ ୧୧ରୁ ରାସ୍ତା ଖାଁ ଖାଁ ହୋଇଯାଉଛି । ବାହାରକୁ ବାହାରିବା ପାଇଁ ଇଚ୍ଛା ହେଉନି । ଗତ କିଛି ଦିନ ରୁ ଅସମ୍ଭାଳ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜଧାନିବାସିନ୍ଦା । ୪୦ଭିତରେ ପାରଦ ରହିଲେ ମଧ୍ୟ ଅତ୍ୟଧିକ ଗୁଳଗୁଳି ଯୋଗୁଁ ୫୦ପରି ଲାଗୁଛି ପାରଦ। ଆଉ ନିଜକୁ ଥଣ୍ଡା ରଖିବା ପାଇଁ ଜୁସ, ଲସି ଦୋକାନ ଆଡ଼କୁ ଧାଇଁ ଯାଉଛନ୍ତି ଲୋକେ। ଏହି ଗରମ ପାଇଁ ଭୁବନେଶ୍ବରରେ ପୁଣି ଆରମ୍ଭ ହୋଇଗଲାଣି ଜଳଛତ୍ର। ଯାତ୍ରୀଙ୍କ କେବଳ ପାଣି ନୁହେଁ ଦହି ପାଣି ଦିଆଯାଉଛି। କେବେ ଖରା କେବେ ବର୍ଷ ତ କେବେ ନିଆଁ ବର୍ଷା ଏମିତି ବଦଳୁଥିବା ପାଣିପାଗ ପାଇଁ ଚିନ୍ତାରେ ଲୋକେ ।
ଏପଟେ ଏହି ଖରାରୁ ମିଳିବନି ନିସ୍ତାର ବୋଲି ମଧ୍ୟ ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ମୁଖ୍ୟ। ମେ ଶେଷ ବା ଜୁନ ୧ ତାରିଖ ପର୍ଯ୍ୟନ୍ତ ରହିବ ଏମିତି ଗରମ। ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବାରୁ ପାରଦ ବୃଦ୍ଧି ପାଉଛି । ଆସନ୍ତାକାଲିଠାରୁ ତାତି ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛନ୍ତି ଶରତ ଚନ୍ଦ୍ର ସାହୁ । ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୪୫ରୁ ୪୬ଉପରକୁ ଯିବା ସମ୍ଭାବନା ଥିବାବେଳେ ଉପକୂଳରେ ମଧ୍ୟ ୪୦ରୁ ଊର୍ଦ୍ଧ୍ବ ତାପମାତ୍ରା ରହିବ ବୋଲି ସେ କହିଛନ୍ତି ।
ରାଜ୍ୟରେ ଅସମ୍ଭାଳ ଗରମ ଯୋଗୁଁ ଅପରାହ୍ନରେ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟାରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡିଶାରେ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ପଶ୍ଚିମ ଓଡିଶାରେ ଆସନ୍ତାକାଲିଠାରୁ ହିଟ ୱେଭ ହେବାକୁ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।