ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଦୀର୍ଘ ୪୬ ବର୍ଷ ଧରି ବନ୍ଦ ଥିବା କାର୍ତ୍ତୀକେୟ ମନ୍ଦିରର ସର୍ଭେ ପାଇଁ ଭାରତୀୟ ପ୍ରତ୍ତ୍ନତତ୍ତ୍ୱ ବିଭାଗ ଶୁକ୍ରବାର ସମ୍ଭଲରେ ପହଞ୍ଚିଛି। ମନ୍ଦିରରେ ପହଞ୍ଚିବା ପରେ ପ୍ରତ୍ତ୍ନତତ୍ତ୍ୱ ବିଭାଗ କାର୍ବନ ଡେଟିଂ ପାଇଁ ନମୁନା ସଂଗ୍ରହ କରିଥିଲା। ସ୍ଥାନୀୟ ଅଞ୍ଚଳରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ପାଇଁ ଏହି ମନ୍ଦିର ୧୯୭୮ ମସିହାରୁ ବନ୍ଦ ରହିଥିଲା। ଚଳିତ ବର୍ଷ ଡିସେମ୍ବର ୧୩ ତାରିଖ ଦିନ ସ୍ଥାନୀୟ ପ୍ରଶାସନ ଦୀର୍ଘ ୪୬ ବର୍ଷ ପରେ ମନ୍ଦିରର ଦ୍ୱାର ଖୋଲିଥିଲା। 

ଶୁକ୍ରବାର ପ୍ରତ୍ତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଚାରି ଜଣ ସଦସ୍ୟ ପହ଼ଞ୍ଚି ମନ୍ଦିରର ସର୍ବେକ୍ଷଣ କରିଥିଲେ। ଆସିଥିବା ଅଧିକାରିମାନେ ମୁଖ୍ୟ ମନ୍ଦିରର କାର୍ବନ ଡେଟିଂ କରିବା ସହ ମନ୍ଦିର ପ୍ରାଙ୍ଗଣରେ ଥିବା ଅନ୍ୟ ୫ଟି ଛୋଟବଡ ମନ୍ଦିରକୁ ବୁଲି ଦେଖିଥିଲେ। ଏହା ସହ ଭଦ୍ରକ ଆଶ୍ରମ, ସ୍ୱର୍ଗଦୀପ ଓ ଚକ୍ରପାଣି ସମେତ ସେଠାରେ ଥିବା ସମସ୍ତ ୧୯ଟି କୁଅର ପର୍ଯ୍ୟବେକ୍ଷଣ ମଧ୍ୟ କରିଥିଲେ। ସର୍ବେକ୍ଷଣରେ ଆସିଥିବା ସମସ୍ତ ଅଧିକାରୀମାନେ ସ୍ଥାନିୟ ପ୍ରଶାସନକୁ ମନ୍ଦିର ଭିତରେ ହୋଇଥିବା ଯାଞ୍ଚ କାର୍ଯ୍ୟକୁ ଗଣମାଧ୍ୟମ ସାମ୍ନାକୁ ନଆଣିବା ପାଇଁ ଅନୁରୋଧ କରିଥିଲେ। 

ସୂଚନା ଥାଉକି, କିଛିଦିନ ତଳେ ବିଦ୍ୟୁତ ଚୋରି ଅଭିଯୋଗରେ ସମ୍ଭଲର ସବ-ଡିଭିଜନାଲ ମାଜିଷ୍ଟେଟ(ଏସଡିଏମ) ବନ୍ଦନା ମିଶ୍ର ଉକ୍ତ ଅଞ୍ଚଳରେ ଚଢଉ କରିଥିଲେ। ଚଢଉ କରିବା ସମୟରେ ଏକ ବନ୍ଦ ପଡିଥିବା ଘରୁ ବିଦ୍ୟୁତ ଚୋରି ହେଉଥିବା ନେଇ ଜଣାପଡିଥିଲା। ଏହି ଘର ଖୋଲିବା ପରେ ଏହା ଏକ ମନ୍ଦିର ବୋଲି ଜଣାପଡିଥିଲା। ଏହା ପରେ ସେ ବିଳମ୍ବ ନକରି ଜିଲ୍ଲା ଅଧିକାରୀଙ୍କୁ ଏନେଇ ସୁଚନା ପ୍ରଦାନ କରିଥିଲେ। 

ଏହି ସୂଚନା ପାଇ ଜିଲ୍ଲା ଅଧିକାରି ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମନ୍ଦିର ନିକଟରେ ଥିବା ଏକ କୂଅ ଖୋଳିବା ପରେ ସେଥିରୁ ପ୍ରାୟ ଚାରିରୁ ଛଅ ଇଞ୍ଚର ତିନିଟି ମୂର୍ତ୍ତି ମିଳିଥିଲା। ଏହି ମୂର୍ତ୍ତୀ ଗୁଡିକ ମଧ୍ୟରେ ଦୁଇଟି ମୁର୍ତ୍ତୀ ଦେବୀ ପାର୍ବତୀ ଏବଂ ଲକ୍ଷ୍ମୀଙ୍କ ପରି ଦେଖାଯାଉଛନ୍ତି। ଶ୍ରମିକ ମାନେ ପ୍ରାୟ ୧୫ ରୁ ୨୦ ଫୁଟ ଗଭୀରରେ ଖୋଳିବା ପରେ ଏହି କ୍ଷତିଗ୍ରସ୍ତ ଅବସ୍ଥାରେ ଥିବା ମୂର୍ତ୍ତୀଗୁଡିକ ନଜରକୁ ଆସିଥିଲା ।

ଏହି ମୂର୍ତ୍ତି ଗୁଡିକ ମିଳିବା ପରେ ଏହି ମନ୍ଦିର କେତେ ପୁରୁଣା ତାହା ଜାଣିବା ପାଇଁ ସମ୍ଭଲର ପ୍ରଶାସନ ବିଭାଗ ପ୍ରତ୍ତ୍ନତତ୍ତ୍ୱ ବିଭାଗକୁ କାର୍ବନ ଡେଟିଂ କରିବା ପାଇଁ ପତ୍ର ଲେଖିଥିଲା। ଏହି ମନ୍ଦିରଟି ସ୍ୟାହି ଜାମା ମସ୍ଜିଦର ନିକଟରେ ରହିଛି। ଯେଉଁଠି ନଭେମ୍ବର ୨୪ ଦିନ ଏକ କୋର୍ଟ ସର୍ଭେ ଚାଲୁଥିବା ବେଳେ ହିଂସାକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିଲା।