ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନ ଦ୍ୱାରା  ଉଠାଯାଉଥିବା କାଶ୍ମୀର ପ୍ରସଙ୍ଗକୁ ଆଉ  କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ।  ଉଗ୍ରବାଦକୁ ପ୍ରୋତ୍ସାହନ ଓ ଉଗ୍ରବାଦୀଙ୍କୁ  ଆଶ୍ରୟ ଦେଉଥିବା ପାକିସ୍ତାନର ସ୍ୱରୂପ  ଏବେ ସମଗ୍ର ବିଶ୍ୱ ବେଶ୍‌ ଅବଗତ ।  ମୁସଲମାନ ବହୁଳ ଆରବ ରାଷ୍ଟ୍ରଗୁଡ଼ିକ  ମଧ୍ୟ ପାକିସ୍ତାନକୁ ଛାଡ଼ି ଏବେ ଭାରତକୁ  ଦେଉଛନ୍ତି ଅଧିକ ଗୁରୁତ୍ୱ । ପାକିସ୍ତାନ  ତାର ନିଜ ଦେଶର ବିଚ୍ଛିନ୍ନତାବାଦୀ  କାର୍ଯ୍ୟକଳାପକୁ କିପରି ମୁକାବିଲା କରିବ,  ସେଥିପ୍ରତି ଦୃଷ୍ଟିଦେବା ଉଚିତ ହେବ ।

ସମଗ୍ର ବିଶ୍ୱର ୧୬୩ ଦେଶକୁ ନେଇ ସର୍ଭେ  କରାଯାଇଥିବା ‘ଗ୍ଲୋବାଲ ଟେରରିଜିମ୍‌ ଇଣ୍ଡେକ୍ସ୨୦୨୫’ ରିପୋର୍ଟ ନିକଟରେ ପ୍ରକାଶ ପାଇଛି ।  ଆତଙ୍କବାଦ ଘଟଣା, ମୃତ୍ୟୁସଂଖ୍ୟା, ଆହତଙ୍କ ସଂଖ୍ୟା  ଏବଂ ପଣବନ୍ଦୀ ଆଦି ଚାରିଟି ସୂଚନା ଆଧାରକୁ ନେଇ  ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ରିପୋର୍ଟରେ  ଆଫ୍ରିକୀୟ ଦେଶ ବୁର୍କିନା ଫାସୋ ଆତଙ୍କବାଦ ପ୍ରଭାବିତ  ଦେଶ ତାଲିକାରେ ବିଶ୍ୱର ପ୍ରଥମ ସ୍ଥାନରେ ଥିବାବେଳେ  ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଭାରତର  ଅନ୍ୟତମ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନ ନବମ ସ୍ଥାନରେ  ସ୍ଥାନିତ । ୨୦୨୪ ରିପୋର୍ଟରେ ପାକିସ୍ତାନ ଉକ୍ତ ତାଲିକାରେ  ୪ର୍ଥ ସ୍ଥାନରେ ଥିବାବେଳେ ଚଳିତ ବର୍ଷରେ ଆଉ  ଦୁଇଟି ସ୍ଥାନ ଉପରକୁ ଉଠି ତାଲିକାର ଦ୍ୱିତୀୟ ସ୍ଥାନରେ  ରହିଥିବାରୁ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାର  ସ୍ପଷ୍ଟ ସଂକେତ ମିଳେ । 

୨୦୨୩ ମସିହାରେ ପାକିସ୍ତାନରେ  ଯେଉଁ ସଂଖ୍ୟକ ଆତଙ୍କବାଦୀ ଆକ୍ରମଣ ଘଟିଥିଲା,  ୨୦୨୪ରେ ତାହା ୪୫ ପ୍ରତିଶତ ଘଟଣା ବୃଦ୍ଧି ପାଇଥିବା  ରିପୋର୍ଟରେ ଦର୍ଶାଯାଇଛି । ବିଶ୍ୱର ସବୁଠୁ ବିପଦଜନକ  ଆତଙ୍କବାଦୀ ସଂଗଠନ ଆଇଏସ୍‌ ବା ଇସ୍‌ଲାମିକ ଷ୍ଟେଟ୍‌ । ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସକ୍ରିୟ  ଥିଲାବେଳେ, ତେହେରିକଇ-ତାଲିବାନ ପାକିସ୍ତାନ  (ଟିଟିପି) ସବୁଠାରୁ ଅଧିକ  ଘାତକ ଆତଙ୍କବାଦୀ ସଂଗଠନ । ୨୦୨୪ ମସିହାରେ ଆତଙ୍କବାଦୀ  ଆକ୍ରମଣରେ ପାକିସ୍ତାନରେ  ଯେତେ ସଂଖ୍ୟକ ପ୍ରାଣ  ହରାଇଥିଲେ ସେଥିମଧ୍ୟରୁ  ୫୨ ପ୍ରତିଶତ ଟିଟିପି ଦ୍ୱାରା  ହୋଇଥିବାର ସୂଚନା ମିଳେ । ପାକିସ୍ତାନରେ ଅନେକ  ଆତଙ୍କବାଦୀ ସଂଗଠନ ମଧ୍ୟରୁ ତେହେରିକ-ଇ ତାଲିବାନ ପାକିସ୍ତାନ (ଟିଟିପି), ବେଲୁଚି ଲିବରେସନ  ଆର୍ମି (ବିଏଲଏ), ଲସ୍କର-ଇ-ତୋଇବା (ଏଲଇଟି)  ପାକିସ୍ତାନ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । 

୨୦୨୫ ମାର୍ଚ୍ଚ ମାସର ଗୋଟିଏ ସପ୍ତାହ ମଧ୍ୟରେ  ପାକିସ୍ତାନରେ ଦୁଇଟି ଲୋମହର୍ଷକ ଆତଙ୍କବାଦୀ  ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି । ମାର୍ଚ୍ଚ ୧୪  ତାରିଖରେ ପାକିସ୍ତାନର କ୍ୱେଟା ସହରରୁ ପେଶାୱାର  ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ବିଏଲଏ  ଆକ୍ରମଣ କରିଥିଲା । ବିସ୍ଫୋରଣ ଘଟାଇ ରେଳ  ଲାଇନକୁ ଧ୍ୱଂସ କରିବା ପରେ ୫୦୦ ଯାତ୍ରଙ୍କୁ ନେଇ  ଯାଉଥିବା ଟ୍ରେନ ଉପରେ ହୋଇଥିଲା ଆକ୍ରମଣ । ୩୦  ସଂଖ୍ୟକ ପାକ୍‌-ଯବାନଙ୍କୁ ନିପାତ କରିସାରିବା ପରେ  ଆତଙ୍କବାଦୀ ସଂଗଠନ ୧୮୨ ଜଣଙ୍କୁ ପଣବନ୍ଦୀ କରି  ପାକିସ୍ତାନରେ ଅଟକ ଥିବା ବେଲୁଚ ନାଗରିକଙ୍କ ମୁକ୍ତି  ଦାବି କରିଥିଲା । ତେବେ ଘଟଣାକ୍ରମକୁ ପାକ୍‌ ସେନା  ଓ ବିଏଲଏ ନିଜ ନିଜ ଢଙ୍ଗରେ ତଥ୍ୟ ଉପସ୍ଥାପନ  ମାଧ୍ୟମରେ ସ୍ୱ-ସଫଳତା ଦାବି କରିଥିଲେ ମଧ୍ୟ ସମଗ୍ର  ଘଟଣାବଳୀ ବିଶ୍ୱବାସୀଙ୍କୁ କରିଛି ଚକିତ । 

ଆଉ ଗୋଟିଏ ଘଟଣା ଘଟିଥିଲା ବେଲୁଚିସ୍ତାନର  ନୁସ୍‌କି ଜିଲ୍ଲାରେ । ସାତଟି ବସ୍‌ ଓ ଦୁଇଟି ସାମରିକ  ଯାନରେ ଥିବା ପାକିସ୍ତାନୀ ଯବାନଙ୍କ ଉପରେ ଅତର୍କିତ  ଆକ୍ରମଣ କରାଯାଇଥିଲା । ଆଇଡି ବିସ୍ଫୋରକ ଭରା ଥିବା  କାର୍‌ ବସ୍‌କୁ ଧକ୍କା ଦେବାରୁ ସେଗୁଡ଼ିକ ଜଳିପୋଡ଼ି ଧ୍ୱଂସ ହୋଇଯାଇଥିଲା ଏବଂ ବସ୍‌ଗୁଡ଼ିକ ଭିତରେ ଥିବା ୯୦  ସଂଖ୍ୟକ ପାକ୍‌ ଯବାନ ନିହତ ହୋଇଥିବାର ବିଏଲଏ  ଦାବି କରିଥିଲାବେଳେ ପାକିସ୍ତାନ କେବଳ ମାତ୍ର ୭ଜଣ  ନିହତ ହୋଇଥିବାର ସୂଚନା ଦେଇଥିଲା । ମୃତାହତଙ୍କୁ  ନେଇ ବିଭ୍ରାନ୍ତିକର ତଥ୍ୟ ଦେଇ ବିଶ୍ୱ ଜନସମୁଦାୟର ଦୃଷ୍ଟି ଏଡ଼ାଇବାକୁ ପାକିସ୍ତାନର ଉଦ୍ୟମ ଏବେ ଲୁଚି ରହିନାହିଁ  ଏବଂ ସୁରକ୍ଷାବାହିନୀର ଅସାମର୍ଥ୍ୟତା ପଦାରେ ପଡ଼ିଯାଇଛି । 

ଯଦି ଆମେ ଇତିହାସ ପୃଷ୍ଠାକୁ ଓଲଟାଇବା ତେବେ  ବେଲୁଚିସ୍ତାନର ଅସନ୍ତୋଷ ଓ ଅବିଶ୍ୱାସ ଆଜିର ନୁହେଁ ।  ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ରାଷ୍ଟ୍ରର ମର୍ଯ୍ୟାଦା  ହାସଲ କଲାବେଳେ ଏହି ବିଶାଳ ଭୂଖଣ୍ଡ ବେଲୁଚିସ୍ତାନର  ଅଧିବାସୀ ସ୍ୱତନ୍ତ୍ର ରାଷ୍ଟ୍ର ଦାବି କରିଥିଲେ । ଏକ ଧର୍ମ,  ଏକ ସରକାର ଓ ଏକ ଶାସନ ଭଳି ଆଭିମୁଖ୍ୟକୁ  ସାକାର କରିବା ସକାଶେ ସ୍ୱାଧୀନତା ପରବର୍ତ୍ତୀ ନିଷ୍ପତ୍ତି  ଓ ପଦକ୍ଷେପ ପ୍ରତି ସେ ସମୟର ଅକୁଣ୍ଠ ସମର୍ଥନରେ  ବଳି ପଡ଼ିଥିଲା ବେଲୁଚିସ୍ତାନ । ନିଷ୍ପତ୍ତି ବିରୋଧରେ ସ୍ୱର  ଉତ୍ତୋଳନ କରିବାର ଶକ୍ତି ସେତେବେଳେ ବି ନଥିଲା  ସ୍ଥାନୀୟ ଅଧିବାସୀଙ୍କର । ପାକିସ୍ତାନ ସେନାବାହିନୀ  ମାଧ୍ୟମରେ ବେଲୁଚିସ୍ତାନକୁ ନିଜ ରାଷ୍ଟ୍ରର ପରିସରଭୁକ୍ତ  କରିଥିଲେ । ସେମାନଙ୍କ ସାମାଜିକ ଓ ସାଂସ୍କୃତିକ  ସ୍ୱାତନ୍ତ୍ର‌୍ୟର ସୁରକ୍ଷା କ୍ଷେତ୍ରରେ ପାକିସ୍ତାନର ପଞ୍ଜାବୀ  ମୁସଲମାନଙ୍କ ହସ୍ତକ୍ଷେପ, ପତିଆରା ବିଦ୍ରୋହର ବୀଜ ବୁଣିଥିଲା । ଭୌଗୋଳିକ ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ କି,  ପାକିସ୍ତାନର ସମଗ୍ର ଭୂ-ଭାଗର ୪୪ ପ୍ରତିଶତ ଅଞ୍ଚଳର  ଅଧିକାରୀ ହେଉଛନ୍ତି ବେଲୁଚବାସୀ । ମୂଲ୍ୟବାନ ସୁନା  ଓ ତମ୍ବା ଖଣି ତଥା ପ୍ରାକୃତିକ ଗ୍ୟାସ୍‌ରେ ସମୃଦ୍ଧ ଏହି  ଅଞ୍ଚଳ ଦେଶରେ ଗୁରୁତ୍ୱହୀନ ହୋଇପଡ଼ିବା କ୍ଷୋଭର ବିଷୟ । ୫୬ ବିଲିଅନ ଡଲାର ବ୍ୟୟ ବରାଦରେ  ଚୀନ ନିର୍ମାଣ କରୁଥିବା ଚୀନ-ପାକିସ୍ତାନ ଇକନୋମିକ  କରିଡରର ବିରୋଧୀ ହେଉଛନ୍ତି ବେଲୁଚ ଅଧିବାସୀ,  କାରଣ ସେଠାରେ ଥିବା ବିପୁଳ ପ୍ରାକୃତିକ ସଂପଦର  ଅଧିକାରୀ ଯେ ଚୀନ ଭବିଷ୍ୟତରେ ହେବାକୁ ଯାଉଛି  ଏହାକୁ ସେମାନେ ବେଶ୍‌ ବୁଝିଛନ୍ତି । ତେଣୁ ସେଠାରେ  କାର୍ଯ୍ୟରତ ଚୀନ ଅଧିକାରୀଙ୍କ ଉପରେ ଆତ୍ମଘାତୀ  ଆକ୍ରମଣ ଜାରି ରଖିଛି ବିଏଲଏ । 

ସ୍ୱୟଂ ଶାସନ ଓ ସ୍ୱାଧୀନତା ଦାବି କରୁଥିବା ୩୨  ବର୍ଷୀୟା ଡାକ୍ତର ମେହେରଙ୍ଗ ବେଲୋଚ (ମାନବାଧିକାର  କର୍ମୀ) ଏବେ ବେଲୁଚସ୍ତାନବାସୀଙ୍କ ସ୍ୱର ପାଲଟିଛନ୍ତି ।  ବେଲୋଚ ମୁକ୍ତିସେନା ପାକିସ୍ତାନ ଉପରେ କ୍ରମାଗତ  ପ୍ରହାର ଜାରି ରଖିଛି । ଅସଂଖ୍ୟ ବେଲୁଚିଙ୍କର ଅପହରଣ,  ହତ୍ୟାରେ ପାକିସ୍ତାନୀ ସରକାରଙ୍କ ସଂପୃକ୍ତି ବିରୋଧରେ  ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲାବେଳେ ବିଗତ  ବର୍ଷ ‘ଟାଇମ୍‌’ ପତ୍ରିକା ପକ୍ଷରୁ ମେହେରଙ୍ଗଙ୍କୁ ପୃଥିବୀର  ସର୍ବାଧିକ ପ୍ରଭାବଶାଳୀ ଶହେ ଜଣ ନେତାଙ୍କ ମଧ୍ୟରେ  ସ୍ଥାନିତ କରାଯାଇଛି । ତାଙ୍କର ପାକ୍‌ ସରକାରଙ୍କ ପ୍ରତି  ତୀବ୍ର ପ୍ରଶ୍ନବାଣ ସେଠାକାର ଆନ୍ଦୋଳନକୁ ଅଧିକ ଇନ୍ଧନ  ଯୋଗାଇ ଥିବାରୁ ଉଗ୍ରବାଦୀ ବେଲୋଚୀ ସଂଗଠନଗୁଡ଼ିକ ଏକତ୍ର ହୋଇ ମିଳିତ ଭାବେ ଲଢ଼ିବାକୁ ପ୍ରସ୍ତୁତ ।  

ବିଏଲଏ’ର ଆକ୍ରମଣ ପଛରେ ଆଫଗାନ ତାଲିବାନମାନଙ୍କ  ପ୍ରତ୍ୟକ୍ଷ ସମର୍ଥନ ରହିଥିବା ପାକିସ୍ତାନ ଏବେ ବେଶ୍‌ ବୁଝି  ସାରିଛି । ଉଗ୍ରବାଦୀ ସଂଗଠନଗୁଡ଼ିକର ମିଳିତ ଆକ୍ରମଣ  ପାକିସ୍ତାନ ସୁରକ୍ଷାବଳଙ୍କ ଲାଗି ସୃଷ୍ଟି କରିଛି ବଡ଼ ଆହ୍ୱାନ ।  ଯେଉଁ ତାଲିବାନୀଙ୍କୁ ମାତ୍ର ଚାରିବର୍ଷ ପୂର୍ବେ ପାକିସ୍ତାନ  ସୁହୃଦ ଭାବେ ଗ୍ରହଣ କରି କାବୁଲରେ ସମ୍ମାନ ସହ  ଶାସନ ଗାଦିରେ ଅଧିଷ୍ଠିତ କରାଇଥିଲା, ସେହିମାନେ ହିଁ  ଏବେ ପାକିସ୍ତାନ ବିପକ୍ଷରେ ଅସ୍ତ୍ର ଉତ୍ତୋଳନ କରିଛନ୍ତି ।  ୩୦ ଦିନ ମଧ୍ୟରେ ବିଭିନ୍ନ ଘଟଣାରେ ପ୍ରାୟ ୧୦୦୦  ପାକିସ୍ତାନୀ ସୈନ୍ୟ ପ୍ରାଣ ହରାଇଥିଲେ ମଧ୍ୟ ପାକ୍‌  ସେନାବାହିନୀ ଏହାକୁ ରୋକିବାରେ ସଫଳ ହୋଇପାରି  ନାହିଁ । ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଏବେ  ରସାତଳଗାମୀ ହେବାରେ ଲାଗିଛି । ପାକିସ୍ତାନର ଅର୍ଥନୀତି  ମଧ୍ୟ ନିମ୍ନଗାମୀ । କେତେକ ପାକ୍‌ ସୈନ୍ୟ ଦେଶ ଛାଡ଼ି  ସାଉଦି ଆରବ, କୁଏତ, କତାର, ୟୁଏଇ ଭଳି ଦେଶକୁ  ଶ୍ରମ କରି ଜୀବନ ବିତାଇବାକୁ ଶ୍ରେୟ ମଣୁଛନ୍ତି । 

ବେଲୁଚିସ୍ତାନ ଉଗ୍ରବାଦୀ ଆକ୍ରମଣ ପଛରେ  ବିଦେଶୀଙ୍କ ହାତ ରହିଛି ବୋଲି ପାକିସ୍ତାନ ଯେଉଁ  ଅଭିଯୋଗ କରିଛି ତାହା ପରୋକ୍ଷରେ ଭାରତ ପ୍ରତି  ଉଦ୍ଦିଷ୍ଟ ଥିବାର ଜଣାପଡ଼ୁଛି । ପାକିସ୍ତାନ ରାଷ୍ଟ୍ରପତି ଅସିଫ୍‌  ଅଲି ଜର୍ଦ୍ଦାରୀ କହିଛନ୍ତି, ଉଗ୍ରବାଦୀମାନଙ୍କୁ ବୈଦେଶିକ  ସହାୟତା ତଥା ଆର୍ଥିକ ସହାୟତା ମିଳୁଥିବାର ପାକ୍‌  କର୍ତ୍ତୃପକ୍ଷ ଅବଗତ । ପାକିସ୍ତାନ ଉପରେ ମାନବୀୟ ଏବଂ  ଆର୍ଥିକ କ୍ଷତି ଆଣିଦେବା ପାଇଁ ଏହି ସାହାଯ୍ୟ, ସହାନୁଭୂତି  ଉଦ୍ଦିଷ୍ଟ । ଏହି ଅଭିଯୋଗରେ ପାକିସ୍ତାନ ଦୁଇ ପଡ଼ୋଶୀ  ରାଷ୍ଟ୍ର ଭାରତ ଓ ଆଫଗାନିସ୍ତାନକୁ ନିଶାଣ କରିଛି ।  ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ଦୁଇ ଦେଶ ମଧ୍ୟରେ  ଥିବା ସୀମାକୁ ନେଇ ବିବାଦ କାରଣରୁ ସଂପର୍କ ଖରାପ  ହୋଇଗଲାଣି । ବେଲୁଚ ବିଦ୍ରୋହୀ ସଂଗଠନଗୁଡ଼ିକ  ପାକିସ୍ତାନର ସେନାବାହିନୀ, ପୋଲିସ, ଗୁଇନ୍ଦା ବିଭାଗର  ସଦସ୍ୟଙ୍କ ଉପରେ ଯେଉଁଭଳି ଟାର୍ଗେଟ୍‌ କରିଛନ୍ତି,  ସେଥିରୁ ଜଣାପଡ଼ୁଛି ଦେଶର ସେହବାଜ ସରିଫଙ୍କ  ସରକାର ଓ ଶକ୍ତିଶାଳୀ ସାମରିକ କର୍ତ୍ତୃପକ୍ଷଙ୍କ ପତିଆରା  ନ୍ୟୁନ ହୋଇଯାଇଛି ।  

ପାକିସ୍ତାନ ଯେହେତୁ ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ  ନେଇ ବର୍ଷ ବର୍ଷ ଧରି ଭାରତ ବିପକ୍ଷରେ ବ୍ୟବହାର  କରିଆସୁଛି ତାହା ହିଁ ତାର ନିଜ ସମସ୍ୟାକୁ ବଢ଼ାଇ  ଦେଇଛି । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟକୁ  ବର୍ତ୍ତମାନର ମୋଦି ସରକାର ଗ୍ରହଣ ନକରି ବରଂ ପାକ୍‌- ଅଧିକୃତ କାଶ୍ମୀର (ପିଓକେ) ଅଞ୍ଚଳ ଭାରତକୁ ତୁରନ୍ତ  ଫେରାଇବାକୁ ଦେଇଛନ୍ତି ହୁଙ୍କାର । ବୈଦେଶିକ ମନ୍ତ୍ରୀ  ଏସ. ଜୟଶଙ୍କର ମତ ରଖିଛନ୍ତି, କାଶ୍ମୀର ସମସ୍ୟା  ପ୍ରାୟତଃ ସୁଧୁରି ଗଲାଣି । କେବଳ ପାକ୍‌ ଅଧିକୃତ  କାଶ୍ମୀର ଭାରତ ହାତକୁ ଫେରିଆସିଲେ ଏହି ପ୍ରସଙ୍ଗର ପରିସମାପ୍ତି ଘଟିବ । ମୌଲାନା ମସୁଦ୍‌ ଆଝାର, ହାଫିଜ  ସୟିଦ, ଜାକିଉର ରହମାନ ଲାଖଭି, ଦାଉଦ୍‌ ଇବ୍ରାହିମ,  ପଳାତକ ଇସଲାମିକ ପ୍ରଚାରକ ଜାକିର ନାଏକର  ପ୍ରତ୍ୟର୍ପଣ ଭାରତ ଦାବି କରୁଥିଲେ ମଧ୍ୟ ସେମାନଙ୍କୁ  ପାକିସ୍ତାନର ସ୍ୱତନ୍ତ୍ର ଆତିଥ୍ୟ ପ୍ରଦାନ ଭାରତକୁ କରିଛି ବ୍ୟଥିତ । ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ  ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ସେନାବାହିନୀର  ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ  ପାଇଥିଲେ ମଧ୍ୟ ସଂପୂର୍ଣ୍ଣ ଭାବେ ଥମିନାହିଁ । 

ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନ ଦ୍ୱାରା ଉଠାଯାଉଥିବା  କାଶ୍ମୀର ପ୍ରସଙ୍ଗକୁ ଆଉ କେହି ଗ୍ରହଣ କରିବାକୁ ପ୍ରସ୍ତୁତ  ନୁହଁନ୍ତି । ଉଗ୍ରବାଦକୁ ପ୍ରୋତ୍ସାହନ ଓ ଉଗ୍ରବାଦୀଙ୍କୁ  ଆଶ୍ରୟ ଦେଉଥିବା ପାକିସ୍ତାନର ସ୍ୱରୂପ ଏବେ ସମଗ୍ର  ବିଶ୍ୱ ବେଶ୍‌ ଅବଗତ । ମୁସଲମାନ ବହୁଳ ଆରବ ରାଷ୍ଟ୍ରଗୁଡ଼ିକ ମଧ୍ୟ ପାକିସ୍ତାନକୁ ଛାଡ଼ି ଏବେ ଭାରତକୁ  ଦେଉଛନ୍ତି ଅଧିକ ଗୁରୁତ୍ୱ । ପାକିସ୍ତାନ ତାର ନିଜ  ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଚ୍ଛିନ୍ନତାବାଦୀ  କାର୍ଯ୍ୟକଳାପକୁ କିପରି ମୁକାବିଲା କରିବ, ସେଥିପ୍ରତି  ଦୃଷ୍ଟିଦେବା ଉଚିତ ହେବ । ଗୋଟିଏ ପଟେ ଆର୍ଥିକ  ଦୁର୍ଗତି ଏବଂ ଅନ୍ୟପଟେ ଅସୁରକ୍ଷିତ ଆଭ୍ୟନ୍ତରୀଣ  ସ୍ଥିତି ପାକିସ୍ତାନକୁ ଖୁବ୍‌ଶୀଘ୍ର ଗୃହଯୁଦ୍ଧ ମଧ୍ୟକୁ ଠେଲି  ଦେଇପାରେ ବୋଲି ଭୂ-ରାଜନୀତିକ ବିଶେଷଜ୍ଞମାନେ  ଆକଳନ କରିବା ଆରମ୍ଭ କରିଛନ୍ତି ।