ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ପ୍ରତିଷ୍ଠିତ ବ୍ୟବସାୟୀ ଏଲନ ମସ୍କଙ୍କର ଇଲେକ୍ଟ୍ରିକ୍‌ କାର କମ୍ପାନୀ ଟେସଲାର ପ୍ରତୀକ୍ଷା, ଅନେକ ଦିନରୁ ଭାରତୀୟ ବଜାରରେ ହେଉଛି। କିନ୍ତୁ ଗତ କିଛି ସପ୍ତାହରେ କିଛି ଏମିତି ଖବର ସାମନାକୁ ଆସିଛି, ଯେଉଁଥିରେ ଏହା ସ୍ପଷ୍ଟ ହେଉଛି ଯେ, ବହୁତ ଶୀଘ୍ର ଏହି ପ୍ରତୀକ୍ଷା ଶେଷ ହେବାକୁ ଯାଉଛି। ମିଡ଼ିଆ ରିପୋର୍ଟ ଅନୁସାରେ, ଆମେରିକୀୟ ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ଟେସଲା ଭାରତରେ ନିଜର ଶୋ’ରୁମ୍‌ ପାଇଁ ଲୋକେସନ ଓ ଏରିଆ ଫାଇନାଲ କରିଛି। ଏମିତିକି କମ୍ପାନୀ ଭାରତରେ ନିଜର ପ୍ରଥମ ଶୋ’ରୁମ୍‌ ପାଇଁ ପାଖାପାଖି ୪ହଜାର ବର୍ଗଫୁଟର ସ୍ଥାନ ମଧ୍ୟ ଭଡ଼ାରେ ନେଇ ସାରିଛି। 

ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟରେ ପ୍ରପର୍ଟି ମାର୍କେଟ୍‌ ସୋର୍ସର ଅନୁସାରେ, କୁହାଯାଇଛି ଯେ , ଟେସଲା ମୁମ୍ୱାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି)ରେ ନିଜର ପ୍ରଥମ ଶୋ’ରୁମ୍‌ କରିବାକୁ ଏକ ଡିଲ୍‌ ଫାଇନାଲ କରିଛି। ଏହି ଅନୁସାରେ କମ୍ପାନୀ ବିକେସିରେ ଏକ କମର୍ସିଆଲ ଟାୱରର ଗ୍ରାଉଣ୍ଡ ଫ୍ଲୋରରେ ୪୦୦୦ବର୍ଗ ଫୁଟର ସ୍ଥାନ ଭଡ଼ାରେ ନେଇଛି। କୁହାଯାଉଛି ଯେ , ଏହାର ମାସିକ ଭଡ଼ା ୯୦୦ଟଙ୍କା ପ୍ରତି ବର୍ଗ ଫୁଟ୍‌। ଯାହା ପ୍ରତି ମାସକୁ ପାଖାପାଖି ୩୫ ଲକ୍ଷ ଟଙ୍କା ହେବ। 

ରିପୋର୍ଟ ଅନୁସାରେ , ଟେସଲା ଏହି ସ୍ଥାନ ୫ବର୍ଷ ପାଇଁ ଭଡ଼ାରେ ନେଇଛି, ଯେଉଁଠି କମ୍ପାନୀ ନିଜର କାରର ବିସ୍ତୃତ ରେଞ୍ଜକୁ ଡିସପ୍ଲେ କରିବ। ଯଦି ସବୁ କିଛି ଠିକ୍‌ ରହେ ତ କମ୍ପାନୀ ଅପ୍ରେଲ୍‌ରୁ କାର୍‌ ଗୁଡ଼ିକର ବିକ୍ରି ଆରମ୍ଭ କରି ପାରେ। ମୁମ୍ୱାଇ ବ୍ୟତୀତ ଟେସଲା ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏକ ଶୋରୁମ୍‌ ଆରମ୍ଭ କରିବାର ଯୋଜନା କରୁଛି। ଏଥିପାଇଁ କମ୍ପାନୀ ଦିଲ୍ଲୀର ଏରୋସିଟିରେ ଶୋ'ରୁମ୍‌ ପାଇଁ ସ୍ଥାନର ତଲାସରେ ରହିଛି। ହେଲେ ଏବେ ଏହା ବିଷୟରେ କମ୍ପାନୀ ପକ୍ଷରୁ ଅଫିସିଆଲି ଭାବେ କୌଣସି ସୂଚନା ସେୟାର କରାଯାଇ ନାହିଁ। 

କହି ରଖୁଛୁ କି, କିଛି ସପ୍ତାହ ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକୀୟ ଗସ୍ତରେ ଥିଲେ। ଯେଉଁଠି ତାଙ୍କର ସାକ୍ଷାତ୍‌ ଏଲନ ମସ୍କଙ୍କ ସହ ମଧ୍ୟ ହୋଇଥିଲା। ଏହି ସାକ୍ଷାତ ପରେ ଟେସଲା ଭାରତରେ ଦିଲ୍ଲୀ, ମୁମ୍ୱାଇ ଓ ପୁଣେ ଭଳି ସହରରେ ଅଲଗା ଅଲଗା ପୋଷ୍ଟରେ ନିଯୁକ୍ତି ଘୋଷଣା କରି ଥିଲା। ଏଥିପାଇଁ କମ୍ପାନୀର ଅଫିସିଆଲ ୱେବସାଇଟ୍‌ରେ ଏହି ଲୋକେସନ ପାଇଁ ୧୩ଟି ପଦରେ ଆବେଦନ ମଗା ଯାଇ ଥିଲା। 

ଏବେ ଶୋ'ରୁମ୍‌ର ଫାଇନାଲ ହେବାର ଖବର ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହେଉଛି ଯେ, ଟେସଲା ଖୁବ୍‌ ଶୀଘ୍ର ଭାରତରେ ନିଜର କାର ଗୁଡ଼ିକୁ ଲଞ୍ଚ କରି ପାରେ। ଏହା ବ୍ୟତୀତ ଏହା ମଧ୍ୟ ଖବର ରହିଛି କି, ଖୁବ୍‌ ଶୀଘ୍ର ଭାରତ ସରକାର ଇଲେକ୍ଟ୍ରିକ୍‌ ଭାଇକଲ ପଲିସିରେ ପରିବର୍ତ୍ତନ କରି ପାରନ୍ତି। ଯେଉଁଥିରେ ବିଦେଶରୁ ଆସୁଥିବା କାର୍‌ ଗୁଡ଼ିକ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରି ୧୫ ପ୍ରତିଶତ କରାଯାଇ ପାରେ। ଏହାର ସବୁଠୁ ବଡ଼ ଲାଭ ଟେସଲାକୁ ମିଳିବ। ଯେଉଁଥିରେ କମ୍ପାନୀ ନିଜ କାର ଗୁଡ଼ିକୁ କମ୍‌ ଦାମ୍‌ରେ ଭାରତରେ ପ୍ରବେଶ କରି ପାରିବ।