ଜଗତସିଂହପୁର,୨୯/୦୭: ୧୯୯୯ ମହାବାତ୍ୟା ପରଠାରୁ ଜରାଜୀର୍ଣ୍ଣ ସ୍ତରରେ ଥିବା ତିର୍ତ୍ତୋଲ ସାରଳା ସୂତାକଳ ସ୍ଥାନରେ ଗଢି ଉଠିବ ଟେକ୍ସଟାଇଲ୍ ବା ବୟନ ଶିଳ୍ପ ପାର୍କ । ଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଟେକ୍ସ ୨୦୨୫ କନ୍କ୍ଲେଭ୍ରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାକୁ ଦେଶରେ ଏକ ଅଗ୍ରଣୀ ବୟନ ଶିଳ୍ପ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରଖି ସରକାର ଏହି କନ୍କ୍ଲେଭ୍ର ଆୟୋଜନ କରିଛନ୍ତି । ଏହାର ମାଧ୍ୟମରେ ବୟନ ଶିଳ୍ପରେ ରାଜ୍ୟକୁ ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି । ମୋଟ ୩୩ଟି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ପ୍ରାୟ ୫୩ ହଜାର ୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଆଗାମୀ ୧୦ ବର୍ଷ ଭିତରେ ରାଜ୍ୟରେ ବୟନ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସହ ୬ଟି ଟେକ୍ସଟାଇଲ୍ ଏବଂ ଆପାରେଲ୍ ପାର୍କ ବିକଶିତ କରିବାକୁ ମଧ୍ୟ ରାଜ୍ୟ ସରକାର ଯୋଜନା କରିଛନ୍ତି ।
ଜଗତସିଂହପୁର ସହ ବଲାଙ୍ଗୀର, କଟକ, ସମ୍ବଲପୁର, ଗଞ୍ଜାମ ଓ କେନ୍ଦୁଝରରେ ନୂତନ ବୟନ କ୍ଲଷ୍ଟର ଏବଂ ପାର୍କ ନିର୍ମାଣ ନିମନ୍ତେ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ନିକଟରେ ହିଁ କଟକ-ପାରାଦୀପ ମୁଖ୍ୟ ରାସ୍ତା ତଥା ତିର୍ତ୍ତୋଲ ନାଉସିରାରେ ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ହୋଇପଡ଼ିଥିବା ସାରଳା ସୂତାକଳ ପରିଦର୍ଶନ କରିଥିଲେ ଶିଳ୍ପମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ସ୍ୱାଇଁ । ସେତେବେଳେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏଠାରେ ଏକ ଅତ୍ୟାଧୁନିକ, ଶ୍ରମିକ କୈନ୍ଦ୍ରିକ ବୟନ ଓ ପୋଷାକ ଶିଳ୍ପ କ୍ଲଷ୍ଟର୍ ପ୍ରତିଷ୍ଠା ପାଇଁ ଚିନ୍ତା କରାଯାଇଥିବା ଘୋଷଣା କରିଥିଲେ ।
ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ‘କଲ୍ଲୋଳ’ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂତାକଳ ଜାଗାରେ ଯୁଗୋପଯୋଗୀ ଶିଳ୍ପ ସ୍ଥାପନର ପ୍ରତିଶ୍ରୁତି ରଖିଥିଲେ । ଉକ୍ତ ପ୍ରତିଶ୍ରୁତିକୁ ରକ୍ଷା କରି ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳୀ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ତିର୍ତ୍ତୋଲ ସାରଳା ସୂତାକଳ ପରିଦର୍ଶନ କରିବାର କିଛି ଦିନ ପରେ ସରକାରଙ୍କ ଏହି ନୂଆ ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଏହାଦ୍ୱାରା ତିର୍ତ୍ତୋଲ ଅଞ୍ଚଳରେ ଶିଳ୍ପ ଅଭିବୃଦ୍ଧିର ବାଟ ଫିଟିଯାଇଛି ।
ସମୟ ଥିଲା ସାରଳା ସୂତାକଳଟି ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ୟୁନିଟ୍ର ମାନ୍ୟତା ପାଇଥିଲା । ଏଠାରୁ ଉତ୍ପାଦିତ ସୂତା ଗୁଜୁରାଟ ଭଳି କିଛି ରାଜ୍ୟକୁ ପଠା ଯାଉଥିଲା । ଅନୁରୂପ ଭାବେ ଏଠାକାର ସୂତା ରାହାମାରେ ସେ ସମୟରେ ଗଢି ଉଠିଥିବା ପାର୍ବତୀ ପାୱାରଲୁମ୍କୁ ଯାଉଥିଲା । ସେଇ ସୂତାରେ ସେଠାରେ କପଡ଼ା ତିଆରି ହୋଇ ବାହାର ଅଞ୍ଚଳକୁ ବ୍ୟବସାୟ ନିମନ୍ତେ ପଠା ଯାଉଥିଲା । ତିର୍ତ୍ତୋଲ ସାରଳା ସୂତାକଳଟି ୧୯୮୧ ମସିହା ଏପ୍ରିଲ ୨୪ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ସେ ସମୟରେ ୧୩୮୬ ଜଣ ସିଧାସଳଖ ନିଯୁକ୍ତି ପାଇଥିଲେ । ୧୯୮୦ ଦଶକ ପ୍ରାରମ୍ଭରେ ଜିଲ୍ଲାର ଏହା ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଭାବେ ନିଜର ଉପସ୍ଥିତି ଜାହିର କରିପାରିଥିଲା । କିନ୍ତୁ ମହାବାତ୍ୟାରେ ଏହି ଶିଳ୍ପ କବର ନେବାରୁ କାର୍ଯ୍ୟରତ କୁଶଳୀ କର୍ମଚାରୀମାନେ ଚାକିରି ହରାଇଥିଲେ ।
ଖରା, ବର୍ଷା କାକରରେ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କଳଙ୍କି ଲାଗି ନଷ୍ଟ ହୋଇଥିଲା । ବହୁ ଯନ୍ତ୍ରପାତି ଚୋରି ମଧ୍ୟ ହୋଇଥିଲା । ସରକାରୀ ସ୍ତରରେ ବି ଅବହେଳା କରାଯାଇଥିଲା । କିନ୍ତୁ ଶିଳ୍ପମନ୍ତ୍ରୀ ଏଠାରେ ନୂତନ ଶିଳ୍ପ ପାଇଁ ଅଣ୍ଟା ଭିଡ଼ିବା ନିଶ୍ଚିତପକ୍ଷେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏବଂ ସାରଳା ସୂତାକଳର ପୂର୍ବ ଗର୍ବ ଓ ଗୌରବକୁ ଫେରାଇ ଅଣାଯାଇ କର୍ମନିଯୁକ୍ତିର ବାଟ ଖୋଲାଯାଇ ଥିବାରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଇଛି ।