କେନ୍ଦୁଝର ସଦର, ୨୦/୧୨ : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ସାନ ଯୋଡା ଗ୍ରାମରେ ପିଢ଼ି ପରେ ପିଢ଼ି ଅନୁଷ୍ଠିତ ହେଉଥିବା ଠାକୁରାଣୀ ଓଷା ମହା ଆଡମ୍ବର ସହକାରେ ପାଳିତ ହେଉଛି । ଓଷା ପାଳନର ଗୋଟିଏ ସପ୍ତାହ ପୂର୍ବ ଗୁରୁବାର ଦିନ ରଣୀଆଙ୍କ ଘରୁ ମା’ ମନୀଷାଙ୍କୁ ବିଧି ପୂର୍ବକ ପୂଜା କରି ଆଣି ଗ୍ରାମର କୋଠି ଘରେ ୭ ଦିନ ଧରି ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ୭ଦିନ ସୁରଥ ଦେହୁରୀ ନିଷ୍ଠାର ସହ ପୂଜା କରିଥିବାବେଳେ ଗାଉଁଣି ଖଗେଶ୍ୱର ଦେହୁରୀ ମା’ଙ୍କ କଥା ବସ୍ତୁକୁ ଗୀତ ଆକାରରେ ବର୍ଣ୍ଣନା କରିଥିଲେ । 

ଜଗଦୀଶ ନାଏକ ଅଗ୍ନି କୁଆରୀ ଭାବେ ପୁଜା କରିଥିଲେ । ଏ ବର୍ଷ ମୋଟ ୭ଟି ଅଗ୍ନି ଖନ୍ଦା ମା’ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା । ଭକ୍ତିର ସହ ମା’ଙ୍କ ନିକଟରେ ମାନସିକ କଲେ ମା’ଭକ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି ଓ ମାନସିକ ପୂରଣ ପରେ ଭକ୍ତ ମା’ଙ୍କ ନିକଟରେ ଖନ୍ଦା ଅର୍ପଣ କରିଥାନ୍ତି । ସେହି ଖନ୍ଦା ନିଆଁରେ ଦାସୀ ମାନେ ଚାଲିଥାନ୍ତି। ପ୍ରହଲ୍ଲାଦ ମହାକୁଡ଼, ପ୍ରଶାନ୍ତ ମହାକୁଡ଼, ରକ୍ଷା କର ବାରିକ, ଅଫିସର ଦେହୁରୀ, ଅଖିଳ ନାଏକ ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ ଓଷା ପର୍ବ ପାଳିତ ହୋଇଥିବାବେଳେ ଓଷା ଦେଖିବା ପାଇଁ ଚମ୍ପାଦିହି, କୁଟୁଗାଁ, ଜୟପୁର, ଚମ୍ପାଡି ଆଦି ପାଖ ଆଖ ଗାଁରୁ ବହୁ ଲୋକଙ୍କ ସମାଗମ ହୋଇଥିଲା।