- ୮୦୦ ଏକରରେ ହେବ ଟାଉନସିପ୍ ପ୍ରକଳ୍ପ
- ବଳି ପଡିବ ୪୦୦ ଏକର ଜଙ୍ଗଲ ଜମି
- ୧୦ ହଜାର ଶାଳ, ୨୦୦୦ ଆମ୍ବ, ପଣସ ଦ୍ରୁମ
ଭୁବନେଶ୍ୱର,୧୨/୧୨: ଚନ୍ଦକା ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଟାଉନସିପ୍ ଗିଳିବ ପ୍ରାୟ ୪୦୦ ଏକର ଜଙ୍ଗଲ । ୮୦୦ ଏକରରେ ହେବାକୁ ଥିବା ଏହି ଟାଉନସିପ୍ର ଚିହ୍ନଟ ଜମିର ଅଧାରୁ ଅଧିକ ଜମିରେ ରହିଛି ଜଙ୍ଗଲ । ସେଥିରେ ରହିଛି ଏକ ବଡ଼ ଶାଳ ଜଙ୍ଗଲ, ୨୦ରୁ ଅଧିକ ଆମ୍ବ, ପଣସ ତୋଟା ଏବଂ ବିସ୍ତୀର୍ଣ୍ଣ ଝାଡ଼ ଜଙ୍ଗଲ । ହରିଣ, ବାରହା, ମୟୂର, ହେଟା, ବିଲୁଆ, ଅଜଗର ସାପ ଭଳି ବିଭିନ୍ନ ପ୍ରଜାତିର ବନ୍ୟଜୀବଙ୍କ ବାସସ୍ଥଳୀ । ହାତୀଙ୍କ ଚଳାପଥ ଭାବେ ଏହି ଅଞ୍ଚଳ ଭରତପୁର ଜଙ୍ଗଲ ସହିତ ଯୋଡ଼ୁଛି । ସହର ଠିଆ ହେଲେ ପରିବେଶ କ୍ଷେତ୍ରରେ ବିପର୍ଯ୍ୟୟ ସୃଷ୍ଟି ହେବ ବୋଲି ପରିବେଶବିତମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।
ତମାଣ୍ଡୋ, ନାରଗୋଦା ଅଞ୍ଚଳରେ ଟାଉନସିପ୍ କାମ ଚାଲିଛି। ସରିବାକୁ କେତେ ବର୍ଷ ଲାଗିବ ତାହା ଜଣାନାହିଁ । ପରିବେଶ ଜନିତ କ୍ଷୟକ୍ଷତିର ଭରଣା ହୋଇନାହିଁ । ଏହାରି ଭିତରେ ଆଉ ଏକ ସବୁଜିମା ଉପରେ ଦୃଷ୍ଟି ପକାଇଛି ବିକାଶ । ରାଜଧାନୀ ଉପକଣ୍ଠ ଦାସପୁର, ଗୋଠପାଟଣା ଓ ମଳିପଡ଼ା ରାଜସ୍ୱ ଗ୍ରାମର ୮୦୦ ଏକର ଜମି ଉପରେ ଠିଆ ହେବ ଟାଉନସିପ୍ । ଏହି ୩ଟି ରାଜସ୍ୱ ଗ୍ରାମ ସହର ପାଲଟିଲେ ବିପୁଳ ପରିମାଣର ଜଙ୍ଗଲ ନଷ୍ଟ ହେବ । ଏହାଦ୍ୱାରା ପ୍ରଦୂଷିତ ରାଜଧାନୀର ଆଗତ ଭବିଷ୍ୟତ କ’ଣ ହେବ ତାହା ଆଲୋଚନା ପ୍ରସଙ୍ଗ ପାଲଟିଛି । ଦାସପୁର ରାଜସ୍ୱ ଗ୍ରାମରେ ରହିଛି ୧୮୮ ଏକର ଜଙ୍ଗଲ ଜମି । ସେଥିରୁ ୪୯ ଏକରରେ ପ୍ରାୟ ୧୦ ହଜାର ହେବ ବଡ଼ ବଡ଼ ଶାଳ ଗଛ । ପାଖରେ ଦାସପୁର ମୁଣ୍ଡିଆ । ସେଥିରେ ୪୬ ଏକରରେ ଝାଡ଼ ଜଙ୍ଗଲ । ପାହାଡ଼ ଉପତ୍ୟକାରେ ୯୩ ଏକର ପରିମିତ ଜଙ୍ଗଲ । ପତିତ କିସମ ଜମିରେ ମଧ୍ୟ ଭର୍ତ୍ତି ହୋଇଛି ବିଭିନ୍ନ ପ୍ରଜାତିର ଗଛ, ୬ଟି ତୋଟାରେ ଅନେକ ଆମ୍ବ, ପଣସ ଦ୍ରୁମ । ଏହାବାଦ୍ ଗୋଟିଏ କ୍ଷୁଦ୍ର ଝରଣା ସହିତ କିଛି ପରିମାଣର ସନ୍ତସନ୍ତିଆ ଅଞ୍ଚଳ ରହିଛି । ଆବହମାନ କାଳରୁ ଏହିପଟେ ହାତୀମାନେ ଭରତପୁର ଜଙ୍ଗଲକୁ ଯିବା ଆସିବା କରନ୍ତି ।
ଗୋଠପାଟଣା ରାଜସ୍ୱ ଗ୍ରାମରେ ୨୬ ଏକରରେ ରହିଛି ଆମ୍ବ ଓ କାଜୁ ଜଙ୍ଗଲ । ୨୧ ଏକର ପରିମିତ ୨ଟି ଗ୍ରାମ୍ୟ ଜଙ୍ଗଲ । ବାକି ୭୬ ଏକର ଜଙ୍ଗଲ କିସମର ଜମି । ସେହିଭଳି ପ୍ରାୟ ୧୫୦ ଏକର ପତିତ ଜମିରେ ମଧ୍ୟ ଜଙ୍ଗଲ ଭର୍ତ୍ତି ହୋଇ ରହିଛି । ମଳିପଡ଼ାରେ ୧୦ଟି ଆମ୍ବ ଓ ପଣସ ତୋଟା । ପ୍ରାୟ ୮ ଏକର ପରିମିତ ଅଂଚଳରେ ରହିଛି ଏହି ତୋଟା । ସେହିଭଳି ଗ୍ରାମ୍ୟ ଜଙ୍ଗଲ ଓ ପ୍ରାୟ ୧୬୦ ଏକର ପତିତ ଜମିରେ ବାଉଁଶ ଓ ବିଭିନ୍ନ ପ୍ରଜାତିର ଗଛ ରହିଛି । ସବୁଜିମା ଉପରେ ବିକାଶର ଏହି ଆକ୍ରମଣକୁ ନେଇ ପରିବେଶବିତ୍ଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି । ବରିଷ୍ଠ ପରିବେଶ ବୈଜ୍ଞାନିକ ପ୍ରମୋଦ କୁମାର ପଣ୍ଡା କହିଛନ୍ତି, କଂକ୍ରିଟ୍ର ବିକିରଣ ଯୋଗୁ ରାଜଧାନୀର ଉତ୍ତାପ ଦିନକୁ ଦିନ ବଢ଼ିଚାଲିଛି । ବାୟୁ ପ୍ରଦୂଷଣ, ଉତ୍ତାପ ପ୍ରତିରୋଧ ଓ ଜଳ ସଂରକ୍ଷଣ ପାଇଁ ପ୍ରାକୃତିକ ବୃକ୍ଷରାଜି ଏକାନ୍ତ ଅପରିହାର୍ଯ୍ୟ । ଜଙ୍ଗଲ ନଷ୍ଟ କରି ସେଠି ସହର ଗଢ଼ିଉଠିଲେ ରାଜଧାନୀର ପରିବେଶ ସନ୍ତୁଳନ ଆହୁରି ବିଗିଡ଼ିବ । ଖୋର୍ଦ୍ଧା ନିକଟରେ ବୃକ୍ଷ ନଥିବା ବିସ୍ତୀର୍ଣ୍ଣ ଜମି ପଡ଼ିରହିଛି । ଟାଉନସିପ୍ ସେଠି କଲେ ଏହି ପ୍ରାକୃତିକ ପରିବେଶଟି ବଞ୍ଚିଯାଆନ୍ତା । ପ୍ରସ୍ତାବିତ ଟାଉନସିପ୍ରେ ବିପୁଳ ପରିମାଣର ଜଙ୍ଗଲ ଜମି ଥିବା କଥାକୁ ସ୍ୱୀକାର କରିଛନ୍ତି ବନବିଭାଗ ଚନ୍ଦକା ବନଖଣ୍ଡର ଡିଏଫ୍ଓ ବିନୋଦ ଆଚାର୍ଯ୍ୟ ।
ସେ କହିଛନ୍ତି, ଜଙ୍ଗଲ ଜମି ସଂରକ୍ଷଣ ପାଇଁ ସରକାରଙ୍କ ସହିତ ଆଲୋଚନା ହୋଇଛି । ବଡ଼ ବଡ଼ ଗଛ ଥିବା ଜଙ୍ଗଲ ଜମିକୁ ସଂରକ୍ଷଣ କରି ତାହାକୁ ପାର୍କରେ ପରିଣତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଜଙ୍ଗଲରେ ଥିବା ବନ୍ୟଜନ୍ତୁଙ୍କ ଭାଗ୍ୟ କ’ଣ ହେବ ଏହି ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ । ଏହି ପ୍ରସଙ୍ଗରେ ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି, ନକ୍ସାରେ ଥିବା ପ୍ରତିଟି ଆଧାରର ସଫଳ ରୂପାୟନ କରି ଏହାକୁ ଏକ ଉତ୍ତମ ଟାଉନସିପ୍ରେ ପରିଣତ କରିବା ଆମର ଲକ୍ଷ୍ୟ । ଏଥିରେ ପରିବେଶ ପର୍ଯ୍ୟଟନକୁ ପ୍ରାଥମିକତା ଦିଆଯିବ । ତେବେ ସିଙ୍ଗାପୁର ଏସ୍ ଜେ ସଂସ୍ଥାରୁ ଚୂଡ଼ାନ୍ତ ନକ୍ସା ଆସିବା ପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ତାହାକୁ ବିଚାର କରିବ ।