ନୂଆଦିଲ୍ଲୀ ୩୦/୧୨: ୨୦୨୫ ସିନେ ନିର୍ମାତା ଓ ଦର୍ଶକଙ୍କ ପାଇଁ ଚମତ୍କାର ବର୍ଷ ପ୍ରମାଣିତ ହୋଇଛି । ଏ ବର୍ଷ ଅନେକ ଫିଲ୍ମ ବକ୍ସ ଅଫିସ୍ରେ ଦମ୍ଦାର ବ୍ୟବସାୟ କରିଛନ୍ତି । ହଲିଉଡ୍ର ‘ଜୁଟୋପିୟା-୨’ର ଦବ୍ଦବା ରହିଥିବା ବେଳେ ବଲିଉଡ୍ରେ ଇତିହାସ ରଚିଛି ‘ଧୁରନ୍ଧର୍’ । ଦୁଇଟିଯାକ ବିଶ୍ୱସ୍ତରରେ ବେଶ ଭଲ ବ୍ୟବସାୟ କଲେ । କିନ୍ତୁ ଉଭୟ ଗୋଟିଏ ଫିଲ୍ମର ମୋଟ୍ ବକ୍ସ ଅଫିସ୍ କଲେକ୍ସନ୍କୁ ଟକ୍କର ଦେଇପାରିଲେ ନାହିଁ । ଏହା ଏ ବର୍ଷ ବିଶ୍ୱ ବକ୍ସ ଅଫିସ୍ରେ ସବୁଠୁ ବଡ଼ ହିଟ୍ ଫିଲ୍ମ ପ୍ରମାଣିତ ହୋଇଛି । ଏହା ହେଉଛି ଚାଇନିଜ୍ ଆନିମେସନ୍ ଫିଲ୍ମ ‘ନେ ଝା-୨’ । ଏ ବର୍ଷ ଚୀନ୍ର ଏହି ଆନିମେଟେଡ୍ ଫିଲ୍ମ ବିଶ୍ୱର ସବୁଠୁ ବଡ଼ ହିଟ୍ ଫିଲ୍ମ ହୋଇଛି । ଥିଏଟରକୁ ଆସିବା ପରଠୁ ଏହା ବକ୍ସ ଅଫିସ୍ ରେକର୍ଡ ଭାଙ୍ଗୁଛି ।
‘ନେ ଝା-୨’ ଚୀନ୍ରେ ଜାନୁଆରୀ ୨୯ରେ ରିଲିଜ୍ ହୋଇଥିଲା, ଯାହା ଚୀନ୍ ନୂଆ ବର୍ଷର ପ୍ରଥମ ଦିନ ଥିଲା । ଚୀନ୍ର ସଂସ୍କୃତିକୁ ଆନିମେସନ୍ ରୂପେ ପରଦାରେ ଦେଖାଉଥିବା ଏକ ସାଧାରଣ ଫିଲ୍ମ ଲୋକଙ୍କ ହୃଦୟରେ ରାଜ୍ କଲା । ଟ୍ରେଡ୍ ୱେବ୍ସାଇଟ୍ ବକ୍ସ ଅଫିସ୍ ମୋଜୋର ରିପୋର୍ଟ ଅନୁସାରେ, ‘ନେ ଝା-୨’ ବିଶ୍ୱସ୍ତରରେ ୧୮ ହଜାର କୋଟି କଲେକ୍ସନ୍ କରିଛି । ୨୦୦୯ରେ ମୁକ୍ତିପ୍ରାପ୍ତ ହଲିଉଡ୍ ଫିଲ୍ମ ‘ଅବତାର’ ବିଶ୍ୱସ୍ତରରେ ୨୯୨ କୋଟି ଡଲାର ବ୍ୟବସାୟ କରିଥିଲା, ଯାହା ‘ନେ ଝା-୨’ର କଲେକ୍ସନ୍ଠୁ ଢେର ଅଧିକ । କିନ୍ତୁ ‘ନେ ଝା-୨’ର ବିଶେଷତ୍ୱ ଏହାଠୁ ବହୁ ଉର୍ଦ୍ଧ୍ୱରେ । ଏହାର ବଜେଟ୍ ହଲିଉଡ୍ର ଛୋଟ ଫିଲ୍ମ ଓ ବଲିଉଡ୍ର ଏକ ବଡ଼ ବଜେଟ୍ ଫିଲ୍ମ ସହ ସମାନ ।
ଚୀନ୍ରେ ଏହା ୮ କୋଟି ଡଲାରରେ ନିର୍ମିତ ହୋଇଥିଲା । ମାର୍ଚ୍ଚ ୯ରେ ଏହା ବିଶ୍ୱସ୍ତରରେ ୨୦୦ କୋଟି ପାର୍ କରିଥିଲା, ଯାହା ଅଣ-ଇଂରାଜୀ ଆନିମେଟେଡ୍ ଫିଲ୍ମ ମାମଲାରେ ପ୍ରଥମ । ଚୀନରେ ଏହା ପ୍ରାୟ ୮୦ ହଜାର ସ୍କ୍ରିନ୍ରେ ପ୍ରଦର୍ଶିତ ହୋଇଥିଲା । ଏ ବର୍ଷ ‘ନେ ଝା-୨’ ବିଶ୍ୱସ୍ତରୀୟ କଲେକ୍ସନ୍ ମାମଲାରେ ଶୀର୍ଷ ସ୍ଥାନ ପାଇଛି । ତା’ପଛରେ ଅଛି ଡିଜ୍ନୀ ଦ୍ୱାରା ପ୍ରସ୍ତୁତ ହଲିଉଡ୍ ଫିଲ୍ମ ‘ଜୁଟୋପିୟା-୨’ ଓ ‘ଲିଲୋ ଆଣ୍ଡ୍ ଷ୍ଟିଚ୍’ ।