କେନ୍ଦୁଝର ସଦର,୨୭/୭(ଆପ୍ର) : ଦୁଇ ଦିନ ତଳେ ବାମେବାରି ଥାନା ପଳଶା ପଞ୍ଚାୟତ ଉଚ୍ଚବାଲି ନିକଟରେ ଟ୍ରେନରେ କଟି ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ବସନ୍ତପୁର ପଞ୍ଚାୟତ ଜଳିପଦା ଗାଁର ନବ ଦେହୁରୀ (କନ୍ଦା)। ତାଙ୍କ ଭଉଣୀ ଘରୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ଟ୍ରେନରେ କଟି ମୃତ୍ୟୁ ଘଟିଥିଲା। ଜୁରୁଡି ଜିଆରପି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇ ଥିଲେ।
ସମ୍ପର୍କୀୟ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଶବ ଗୃହରେ ଭର୍ତ୍ତି କରିଥିଲେ। ରବିବାର ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତଦେହକୁ ନିଜ ଗାଁକୁ ନେବାକୁ ସମ୍ପର୍କିତ ମାନେ ଅମଙ୍ଗ ହୋଇଥିଲେ । ଏନେଇ ବୁଝାବୁଝି କରିବାରୁ ଜଣା ପଡିଲା କି ମୃତକଙ୍କ ପରିବାରର ଜଣେ ଯୁବକ ଅନ୍ୟ ଜାତିର ଝିଅକୁ ବିବାହ କରି ଥିବାରୁ କିଛି ବର୍ଷ ହେଲା ଗ୍ରାମବାସୀ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିଛନ୍ତି। ଆଉ ଏଭଳି ସ୍ଥିତିରେ ଏହି ମୃତକଙ୍କ ଶବକୁ ଗ୍ରାମବାସୀ ତାଙ୍କ ଶ୍ମଶାନରେ ସତ୍କାର ପାଇଁ ଅନୁମତି ଦେବେ ନାହିଁ ।
ଏନେଇ ମୃତକଙ୍କ ସମ୍ପର୍କୀୟଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇ ଲାଇଫ୍ ସେଭର୍ସ ଗ୍ରୁପ ଟ୍ରଷ୍ଟର ସଦସ୍ୟ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବକୁ ଏକ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ସହରର ପୌରପାଳିକା ଶ୍ମଶାନକୁ ନେଇ ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।ଏହି ସତ୍କାର କାର୍ଯ୍ୟରେ ଟ୍ରଷ୍ଟର ପ୍ରମୁଖ ସଦସ୍ୟ ସଞ୍ଜୀବ କୁମାର ସାହୁ, ଯୁଧିଷ୍ଠିର ମହାନ୍ତ, ଯୋଗେଶ୍ଵର ମହାନ୍ତ, ପ୍ରିୟବ୍ରତ କମଳକୃଷ୍ଣ ନାୟକ, ବିଦ୍ୟାଧର ମହାନ୍ତ, ରଘୁନାଥ ମହାନ୍ତ, ଚନ୍ଦ୍ରସେନ ମହାନ୍ତ, ସାନ ଯୋଗେଶ୍ଵର ମହାନ୍ତ ଏବଂ ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସତ୍କାର କାର୍ଯ୍ୟକୁ ସମ୍ପନ୍ନ କରିଛନ୍ତି । ଏବେ ମଧ୍ୟ ଆମ ସମାଜରେ ଏଭଳି ଜାତିଆଣ ଭାବକୁ ନେଇ ସାମାଜିକ ବାସନ୍ଦ ଭଳି ଏକ ଘୃଣ୍ୟ ପ୍ରଥାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।