ନୂଆଦିଲ୍ଲୀ,୦୧/୦୯: ବିଶ୍ବ ଜଳବାୟୁରେ ସାଂଘାତିକ୍ ପରିବର୍ତ୍ତନ। ସଙ୍କୁଚିତ ହେଉଛି ସର୍ବବୃହତ୍ତ ଲୁଣି ହ୍ରଦ। ଭୌଗୋଳିକ ମାନଚିତ୍ରରୁ ହଜିଯିବ ସମୁଦ୍ର । ସିଧାସଳଖ ପ୍ରଭାବିତ ହେବେ ୫ଦେଶ । ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ । ସଙ୍କଟରେ ଜଳବାୟୁ, ବିପଦରେ ଜବୀଜଗତ । ବିଶ୍ବ ଜଳବାୟୁ ପରିବର୍ତ୍ତନର ପଦଚିହ୍ନ ଜଳ ଭାଗରୁ ଆରମ୍ଭ ହୋଇଛି । ଯାହା ଫଳରେ ସମୁଦ୍ର ଧୀରେ ଧୀରେ ପାଣି ଶୋଷିବାରେ ଲାଗିଲାଣି । ଏଭଳି ଲଗାତାର ଚାଲିଲେ ଏହା ପରିବେଶକୁ ପ୍ରଭାବିତ କରିବ ବୋଲି ବୈଜ୍ଞାନିକ ଏବଂ ପରିବେଶବିତ୍ ଚେତାବନୀ ଦେଇଛନ୍ତି । କାରଣ ବିଶ୍ବର ସର୍ବବୃହତ ଲୁଣି ପାଣି ହ୍ରଦ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । କାସ୍ପିୟାନ ସାଗର ଶୁଖୁଛି । ଏହା ବିଶେଷ କରି ବୈଶ୍ବିକ ବାଣିଜ୍ୟ, ମାନବ କାର୍ଯ୍ୟକଳାପ ଏବଂ ସାମୁଦ୍ରିକ ପରିସଂସ୍ଥା ପ୍ରତି ଗଭୀର ବିପଦ ସୃଷ୍ଟି କରିବ । ଏହାର ସିଧାସଳଖ ପ୍ରଭାବ ଆଜରବୈଜାନ, ଇରାନ, କାଜାଖସ୍ତାନ, ରୁଷ୍ ଏବଂ ତୁର୍କମେନିସ୍ତାନ ଉପରେ ପଡ଼ିବ । 

କାସ୍ପିୟାନ ସାଗର ଦ୍ରୁତ ଗତିରେ ଶୁଖୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ଆଜରବୈଜାନ । ଗତ ପାଞ୍ଚ ବର୍ଷ ଭିତରେ ସମୁଦ୍ର ପତନ ୦.୯୩ ମିଟର, ଗତ ଦଶନ୍ଧିରେ ୧.୫ ମିଟର ଏବଂ ଗତ ୩୦ ବର୍ଷ ମଧ୍ୟରେ ୨.୫ ମିଟର ହ୍ରାସ ପାଇଛି । ପ୍ରତିବର୍ଷ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ସମୁଦ୍ର ପତନ ହ୍ରାସ ପାଉଛି ବୋଲି ସମୁଦ୍ର ବିଜ୍ଞାନୀ ଆକଳନ କରିଛନ୍ତି । ଯାହା ଦୀର୍ଘକାଳୀନ ପରିବେଶୀୟ ସମସ୍ୟା ଏବଂ ଆର୍ଥିକ ଅର୍ଥିକ ସଙ୍କଟକୁ ଡାକି ଆଣୁଛି । କାରଣ ଆଜରବୈଜାନ, ଇରାନ, କାଜାଖସ୍ତାନ, ରୁଷ ଏବଂ ତୁର୍କମେନିସ୍ତାନ ସୀମାକୁ ଲାଗି କରି କାସ୍ପିୟାନ ସାଗରରେ ବଡ଼ ବଡ଼ ତୈଲ ଏବଂ ଗ୍ୟାସ୍ ଭଣ୍ଡାର ରହିଛି । କାସ୍ପିୟାନ ସି’ରେ ଜୀବିକାର ଗୁରୁତ୍ୱପୂର୍ଣ୍ଣ ଉତ୍ସ ମଧ୍ୟ ରହିଛି । ମାଛ ଧରିବା, ବାଣିଜ୍ୟ ଏବଂ କୃଷି ପାଇଁ ୧୦ ନିୟୁତରୁ ଅଧିକ ଲୋକ ଏହା ଉପରେ ନିର୍ଭର କରୁଛନ୍ତି । ପ୍ରାୟ ୪ ନିୟୁତ ଆଜରବୈଜାନର ଉପକୂଳରେ ଏବଂ ୧୫ ନିୟୁତ ଲୋକ ସମଗ୍ର ଅଞ୍ଚଳରେ ବସବାସ କରି ଜୀବିକା ନିର୍ବାହ କରୁଛନ୍ତି ।


ବିଶ୍ବ ଜଳବାୟୁ ପରିବର୍ତ୍ତନ ଯୋଗୁଁ କାସ୍ପିୟାନ ସାଗର ସଙ୍କୁଚିତ ହେଉଥିବାରୁ ୨୦୨୫ର ପ୍ରଥମାର୍ଦ୍ଧରେ ତୈଳ ମାଲ୍ ପରିବହନ ୮.୧ଲକ୍ଷ ଟନ୍‌କୁ ହ୍ରାସ ପାଇଛି  । ପୂର୍ବ ଆର୍ଥିକ ବର୍ଷ ଏହି ସମୟରେ ଏହା ୮.୮ ଲକ୍ଷ ଟନ୍ ଥିଲା । ସର୍ବବୃହତ ଲୁଣି ହ୍ରଦ ଶୁଖିଯିବା କେବଳ ବାଣିଜ୍ୟିକ କ୍ଷତି ନୁହେଁ ବରଂ ସମାନ ଧରଣର ପରିବେଶୀୟ କ୍ଷତି । ସମୁଦ୍ରର ଜଳ ସଙ୍କୁଚିତ ହେଉଥିବାରୁ ବିଶ୍ୱର ସର୍ବବୃହତ ଜୀବନ୍ତ ଜୀବାଶ୍ମ ‘ଷ୍ଟର୍ଜନ’ ମାଛ ତାହାର ୪୫% ବାସ ହରାଇବାରେ ଲାଗିଛି। କାହିଁକି ସଙ୍କୁଚିତ କାସ୍ପିୟାନ ସାଗର ? ଏଥିପାଇଁ କିଏ ଦାୟୀ ? ଋଷ୍ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଥିବା ବେଳେ ଆଜରବୈଜାନ ମସ୍କୋ ଉପରେ ସିଧା ସିଧା ଦୋଷ ଲଦିଛି । ଋଷ୍, ଭୋଲଗା ନଦୀ ଉପରେ ବଡ଼ ବଡ଼ ଜଳଭଣ୍ଡାର ଏବଂ ବନ୍ଧ ବାନ୍ଧିଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଆଜରବୈଜାନ ଅଭିଯୋଗ ଅଣିଛି।

ତଥ୍ୟ କହୁଛି, କାସ୍ପିୟାନ ସାଗରରେ ୧୩୦ଟି ଛୋଟବଡ଼ ନଦୀ ଜଳ ନିଷ୍କାସନ କରୁଛନ୍ତି । ଏଥିମଧ୍ୟରୁ ଭୋଲଗା ନଦୀର ୮୦ ପ୍ରତିଶତ ପାଣି ବିଶ୍ବର ବଡ଼ ଲୁଣି ହ୍ରଦରେ ଯାଇ ମିଶୁଛି । ମାତ୍ର ଋଷ୍ ଭୋଗଲା ନଦୀର ପାଣିକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବିନିଯୋଗ କରୁଥିବାରୁ ହ୍ରଦର ଜଳସ୍ତର ଶୁଖିବାରେ ଲାଗିଛି ଏବଂ ସମୁଦ୍ର ସଙ୍କୁଚିତ ହେଉଛି । ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଉଛି । ଆଗକୁ ଏହା ଉପରେ ଜରୁରୀ ପଦକ୍ଷେପ ନିଆନଗଲେ ଆରାଲ୍ ସାଗର ଭଳି କାସ୍ପିଆନ ସାଗର ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ବୋଲି ସମୁଦ୍ର ବିଜ୍ଞାନୀ ଏବଂ ପରିବେଶ ବିତ୍ ଚେତାବନୀ ଦେଇଛନ୍ତି  ।