କଟକ ୨୧/୧୦: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ କଟକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ସମସ୍ତ ବିଭାଗ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଥିବା ସମସ୍ତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରଖିବା, ଆଶ୍ରୟସ୍ଥଳୀ ଗୁଡିକରେ ପାନୀୟ ଜଳ, ଖାଦ୍ୟ, ଶୌଚାଳୟ ଓ ବିଜୁଳି ଭଳି ମୌଳିକ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ବିଡିଓ ଏବଂ ସହରାଂଚଳ ସ୍ୱାୟତ ଶାସନ ସଂସ୍ଥାର ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ଅତିକମରେ ତିନିଜଣ ଲେଖାଏଁ ସରକାରୀ ଅଧିକାରୀ ନିୟୋଜିତ କରିବାକୁ ବିଡିଓ ଓ ତହସିଲଦାର ମାନଙ୍କୁ କୁହଯାଇଛି । ପବନ ବହିବା ସମୟରେ ଘରୁ ବାହାରକୁ ନଯିବା ନିମନ୍ତେ ଜନସାଧାରଣଙ୍କୁ ସଚେତନ କରିବାକୁ କୁହାଯାଇଛି । ଜିଲ୍ଳାରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯିବା ସହ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ଔଷଧ ଓ ଡାକ୍ତର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ଚାଷୀମାନେ ସେମାନଙ୍କ ଅମଳ ହୋଇସାରିଥିବା ଫସଲକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ସହ ଗୃହପାଳିତ ପଶୁ ମାନଙ୍କୁ ମାଟି ଘରେ ନରଖି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯିବା ସହ ଆବଶ୍ୟକ ପରିମାଣର ଗୋଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଳା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପରବର୍ତୀ ସମୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ସଡକ, ବିଜୁଳି ଓ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ତ୍ୱରିତ ବେଗରେ ସୁଧାର ଆଣିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ଯଥେଷ୍ଟ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ହାଇମାଷ୍ଟ ଲାଇଟ୍ ଓ ବଡ ବଡ ହୋର୍ଡିଂଗୁଡିକୁ ହଟାଇ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର ଓ ଥଇଥାନ କାର୍ଯ୍ୟ ନିମନ୍ତେ ସମସ୍ତ ବିଭାଗ ପ୍ରସ୍ତୁତ ରହିବା ସହ ବିଭିନ୍ନ ସ୍ଥାନରେ ଓଡ୍ରାଫ ଟିମ୍ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।