ପୁରୀ, ୨୫।୨: ହଜିଗଲାଣି ପାରମ୍ପରିକ ହସ୍ତଶିଳ୍ପ । ଚାଇନା ଉତ୍ପାଦ ଛଡ଼ାଇ ନେଇଛି ଆମ ବଜାର । ମାଟି କଣ୍ଢେଇ କାରିଗର ବୃତ୍ତି ଛାଡ଼ୁଛନ୍ତି । ସେମାନଙ୍କ ପାଇଁ ଉପଯୁକ୍ତ ବଜାର ନାହିଁ କି କୌଶଳ । ପାରମ୍ପରିକ ଶିଳ୍ପୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନି । ବାଧ୍ୟ ହୋଇ କୌଳିକ ବୃତ୍ତି ଛାଡ଼ି ବଞ୍ଚିବାର ଅନ୍ୟ ଉପାୟ ଧରୁଛନ୍ତି । ଉତ୍କର୍ଷ କଳାର କ୍ଷେତ୍ର ଖୋଦ୍‌ ଶ୍ରୀକ୍ଷେତ୍ରର ଏଭଳି ସ୍ଥିତି । ପରିତାପର ବିଷୟ ପୁରୀରେ ହସ୍ତଶିଳ୍ପ ବିକାଶ ପାଇଁ ସରକାରଙ୍କ ନିଜସ୍ୱ ଗୃହ ନାହିଁ । ଭଡ଼ାଘରେ ଚାଲୁଛି ସରକାରୀ ହସ୍ତଶିଳ୍ପ କାର୍ଯ୍ୟାଳୟ । ଏହାକୁ ଅଧିକାଂଶ କାରିଗର ଦେଖନ୍ତିନି କି ଯାଆନ୍ତିନି । ଗୁଣ୍ଡିଚା ବିହାର ଗଳି ଭିତରେ ଜଣଙ୍କ ଘର ଭଡ଼ା ନେଇ ହସ୍ତଶିଳ୍ପର ବିକାଶ କରୁଛନ୍ତି ବିଭାଗୀୟ ଅଧିକାରୀ । ପୁଣି ସରକାରୀ କାର୍ଯ୍ୟାଳୟକୁ ରାସ୍ତା ମଧ୍ୟ ଅଧାପନ୍ତରିଆ ପଡ଼ିଛି । କୁମ୍ଭାରପଡ଼ାର ହସ୍ତଶିଳ୍ପୀ ଧନେଶ୍ୱର ବିଶୋଇ କୁହନ୍ତି, ଖାଲି କଣ୍ଢେଇ କାହିଁକି ମାଟିରେ ଆହୁରି ବହୁତ୍‌ କିଛି ଘର ସଜା ଉପକରଣ ଓ ପିଲାଙ୍କୁ ଆକର୍ଷଣ କଲାଭଳି ସାମଗ୍ରୀ ଆଦି ହୋଇପାରିବ । ହେଲେ ପୁରୁଣା ଶୈଳୀରେ ଏସବୁ କଲେ ବହୁତ୍‌ ସମୟ ଓ ଅର୍ଥ ଲାଗୁଛି । ତାହାର ମୂଲ୍ୟ ମଧ୍ୟ ଆମକୁ କେହି ଦେଇପାରୁନାହାନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​କୋୟା ସଂସ୍କୃତି ସୁରକ୍ଷାରେ ଶାନ୍ତି; ଗଢ଼ିଛନ୍ତି ୨ ଦଳ, ରାଜ୍ୟ ଓ ଜାତୀୟସ୍ତରରୁ ମିଳିଲାଣି ସ୍ୱୀକୃତି

ଆମ ବଜାରକୁ ବିଦେଶୀ ଜିନିଷ ଦଖଲ କରିବାରେ ଆମର କାରିଗର ଭାଇମାନେ ନିଜ କୌଳିକ ବୃତ୍ତି ଛାଡ଼ି ବଞ୍ଚିବାର ଅନ୍ୟ ପନ୍ଥା ଧରିନେଲେଣି । ଆମ ନିକଟରେ ନିର୍ଦ୍ଦିଷ୍ଟ ସ୍ଥାୟୀ ବଜାର ନାହିଁ । କେବଳ ମେଳଣ ଲାଗିଲେ ଯାହା କିଛି ବିକ୍ରି ସୁଯୋଗ ମିଳୁଛି । ଆଗେ କଟକ, କୋଲକତାରୁ ମଧ୍ୟ କାରିଗର ଆସି ଏଠାରେ ଭାଟି କରି ମାଟି ଜିନିଷ ତିଆରୁଥିଲେ । ସରକାର ଏଥିପ୍ରତି ଦୃଷ୍ଟି ନଦେବାରେ ଧିରେ ଧିରେ ପୁରୀ କାରିଗର ମଧ୍ୟ କାମ ବନ୍ଦ କରି ଦେଲେଣି । ଯଦି ସରକାର ନୂଆ କୌଶଳ, ବଜାର ସମେତ କାରିଗରଙ୍କୁ ପ୍ରୋତ୍ସାହନ ଦିଅନ୍ତେ, ପୁଣି ପାରମ୍ପରିକ କାରିଗରି ବଞ୍ଚିବା ସହ ଅସଲ ସ୍ୱଦେଶୀ ଜିନିଷ ଆମ ବଜାରରେ ମିଳନ୍ତା । କତା କଣ୍ଢେଇ, ଟେରାକୋଟା କାମ, ମାଟି ମୂର୍ତ୍ତି ଆଦି ୫୦ ପ୍ରକାର ଉପାଦାନ ରହିଛି । ହେଲେ ସେହି ପୁରୁଣା ଶୈଳୀରେ ଏସବୁ ତିଆରି ହେଉଥିବାରେ ବଜାର ଢାଞ୍ଚା ସହ ଖାପ ନ ଖୁଆଇ ପାରି ଗ୍ରାହକଙ୍କ ଠାରୁ ଦୂରେଇ ଯାଇଛି । ଏପଟେ ବିଦେଶୀ ସାମଗ୍ରୀ ଆମ ବଜାରକୁ ଗିଳିପକାଇଛି । ଶିଳ୍ପୀଟିଏ ଅଧିକ ଖର୍ଚ୍ଚ କରି ଜିନିଷ ତିଆରୁଛି କିନ୍ତୁ ହେଲେ ବଜାରରେ ସେତିକି ଦର ମିଳୁନି । ଅର୍ବାନ ହାଟରେ ହସ୍ତଶିଳ୍ପ ବିକ୍ରି ପାଇଁ କୁହାଯାଉଥିଲେ ସୁଦ୍ଧା ସେଠାକୁ ଯାତ୍ରୀ ଯାଉ ନଥିବାରେ କାରିଗର ହାଟକୁ ଯିବାକୁ ମଙ୍ଗୁ ନାହାନ୍ତି । କତା ଶିଳ୍ପର ମଧ୍ୟ ଚାହିଦା କମିଗଲାଣି ।

ନିକଟ ଅତୀତରେ ତାଳବଣିଆରେ ଅନୁଷ୍ଠିତ ସ୍ୱଦେଶୀ ମେଳାରେ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ମଧ୍ୟ ଉତ୍ସାହପ୍ରଦ ନୁହେଁ । ସବୁଠାରୁ ଅଧିକ ବୟନଶିଳ୍ପରୁ ଉପାର୍ଜନ ହୋଇଥିଲା ବେଳେ ହସ୍ତଶିଳ୍ପ ବିକ୍ରି ଆଶାତୀତ କମ୍‌ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ପାରମ୍ପରିକ କାରିଗରିର ବାହାରେ ମାର୍କେଟ ଅଛି । ହେଲେ ହାତପାଖ ବଜାରରେ ପ୍ରତିଯୋଗିତା କରିପାରୁ ନଥିବାରୁ ବାହାର ବଜାରରେ ମଧ୍ୟ ପହଞ୍ଚି ପାରୁନାହାନ୍ତି ହସ୍ତଶିଳ୍ପୀ । ଚାଇନା ସାମଗ୍ରୀ ସହ ପ୍ରତିଯୋଗିତା କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନି । ବଜାରରେ ଚାଇନା କଣ୍ଢେଇ ଯେପରି ସୁବିଧାରେ ଉପଲବ୍ଧ ଆମେ ଏଠାରେ ଥାଇ ଯୋଗାଇ ପାରୁନୁ । ସେମାନେ ଯେଉଁ ଦରରେ ଆମ ହାତପାହାନ୍ତାରେ ଉତ୍ପାଦ ଯୋଗାଉଛନ୍ତି ଆମେ କେବଳ ଦେଖୁଛୁ । ହସ୍ତଶିଳ୍ପର ବିକାଶ ପାଇଁ ସରକାରୀ ବହୁ ଯୋଜନା ଅଛି । ହେଲେ କାର୍ଯ୍ୟକାରୀ ବେଳକୁ କେବଳ ସଚେତନତା ଓ ତାଲିମରେ ସୀମିତ ରହୁଛି । ଅଧିକାରୀଙ୍କ ମାନସିକତା ଓ ଆନ୍ତରିକତା ଅଭାବରୁ ଏହାର ସୁଫଳ କାରିଗରଙ୍କୁ ମିଳୁନି ।

ଏପଟେ ପୁରୀରେ ହସ୍ତଶିଳ୍ପର ବିକାଶକୁ ଗୁରୁତ୍ୱ ଦେଇ ସରକାରୀ ପଦକ୍ଷେପ ଏହିଭଳି ରହିଛି । ୪ ବର୍ଷ ପୂର୍ବେ ଡିଆଇସିରୁ ହସ୍ତଶିଳ୍ପ ଅଫିସ ଅଲଗା ହେଲା । ହେଲେ ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ଖୋଜିଲେ ଜଣେ ସହଜରେ ପାଇବନି । କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ତଦ୍ରୁପ । ଗୁଣ୍ଡିଚା ବିହାର ସର୍ବୋଦୟନଗର ଚ୍ୟାଉପଟ୍ଟନାୟକ ଲେନ୍‌ରେ ଲାଗିଥିବା ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ବୋର୍ଡ଼ ନଦେଖିଲେ କେହି ଜାଣିବେନି ।  ହସ୍ତଶିଳ୍ପ ଡେପୁଟି ଡାଇରେକ୍ଟର ବିଷ୍ଣୁପଦ ମାରାଣ୍ଡି କୁହନ୍ତି, ୮ ମାସ ହେଲା ଦାୟିତ୍ୱ ନେଇଛି । ଆସିବାର ବହୁ ପୂର୍ବରୁ ଏଠାରେ ହିଁ କାର୍ଯ୍ୟାଳୟ ଚାଲୁଛି । ଆମର ନିଜସ୍ୱ କାର୍ଯ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ସୁଭାଷ ବୋଷ ଛକ ନିକଟରେ ହସ୍ତଶିଳ୍ପର ନୂତନ ସରକାରୀ କାର୍ଯ୍ୟାଳୟ ପାଇଁ ପଦକ୍ଷେପ ନିଆଯାଉଛି । କାରିଗରଙ୍କ ପାଇଁ ବିଭିନ୍ନ ସ୍ତରର ତାଲିମ ବ୍ୟବସ୍ଥା ରହିଛି । ସରକାରୀ ଯୋଜନାରେ କାରିଗରଙ୍କୁ ଡିଜାଇନ୍‌ ଠାରୁ ଆରମ୍ଭ କରି ମେଳାରେ ବିକ୍ରିବଟାର ସୁଯୋଗ ଦିଆଯାଉଛି । ସେମାନଙ୍କ ପାଇଁ ଡିଜିଟାଲ ମାର୍କେଟର ପ୍ରୟାସ ଆରମ୍ଭ ହୋଇଛି । ଆମେ ମଧ୍ୟ କାରିଗରଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝି ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଶ୍ରୀ ମାରାଣ୍ଡି କହିଛନ୍ତି ।