ଭୁବନେଶ୍ୱର/ଚନ୍ଦକା ୧୫/୧୨: କେନ୍ଦୁଝରରୁ ଉଦ୍ଧାର ହାତୀଛୁଆ ‘ଶମ୍ଭୁ’କୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି ହାତୀ ପାଠଶାଳାରେ ଛଡ଼ାଯାଇଛି । ୬ ମାସର ଏହି ଅଣ୍ଡିରା ଛୁଆ ହାତୀ ଏଠାରେ ଥିବା ଅନ୍ୟ ୭ ହାତୀଙ୍କ ସହ ମିଶି କୁମ୍‌କୀ ପ୍ରଶିକ୍ଷଣ ନେବ । ବଡ଼ ହୋଇ ଜଙ୍ଗଲ ଜଗିବା ଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ପିଠିରେ ବସାଇ ବୁଲାଇବା କାର୍ଯ୍ୟରେ ନିୟୋଜିତ ହେବ । ଏଭଳି ଚିନ୍ତାକରି ବନବିଭାଗ ଆଜି କେନ୍ଦୁଝରରୁ ଶମ୍ଭୁକୁ ଆଣି କୁମାରଖୁଣ୍ଟିରେ ଛାଡ଼ିଛି । ଏଠାରେ ଅପରାହ୍ଣ ୩ଟାରେ ପହଞ୍ଚିବା ପରେ ତାକୁ ଫୁଲଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ତାକୁ ବେବି ଫୁଡ୍ ଲାକ୍ଟୋଜେନ୍ ଖାଇବାକୁ ଦିଆଯାଇଛି । ଅନ୍ୟ ୭ହାତୀଙ୍କୁ ପାଖରେ ପାଇ ଶମ୍ଭୁ ପୁରା ଖୁସ୍ ଥିବା ଚନ୍ଦକା ଡିଏଫ୍ଓ ବିନୋଦ ଆଚାର୍ଯ୍ୟ କହିଛନ୍ତି ।

କେନ୍ଦୁଝରରୁ କୂଅରୁ ବନବିଭାଗ ଉଦ୍ଧାର କରିଥିଲା

ସୂଚନା ଥାଉକି, କେନ୍ଦୁଝର ବନଖଣ୍ଡର ଭୂୟାଁ ଜୁଆଙ୍ଗ ପୀଢ଼(ବିଜେପି) ବନାଞ୍ଚଳର ଶୁକଡୋଳା ଖସରା ଜଙ୍ଗଲରେ ଛୁଆ ହାତୀଟି ଗତମାସ ୨୪ ତାରିଖରେ ଏକ କୂଅରେ ପଡି ଫସି ରହିଥିଲା । କୌଣସି ସୂତ୍ରରୁ ଖବରପାଇ ବନବିଭାଗ ହାତୀ ଛୁଆକୁ ନଛୁଇଁ ଜେସିବି ଦ୍ୱାରା ରାସ୍ତା କରିବା ପରେ ହାତୀ ଛୁଆଟି କୂଅରୁ ବାହାରି ଜଙ୍ଗଲକୁ ଫେରିଯାଇଥିଲା । ହେଲେ ହାତୀ ଛୁଆକୁ ମା’ ହାତୀ କିମ୍ବା ପଲ ଆଉ ଗୋଠରେ ପୁରାଇ ନଥିଲେ । ଫଳରେ ବିକଳ ହୋଇ ଛୁଆ ହାତୀଟି ଜଙ୍ଗଲ ଭିତରେ ରଡି ଛାଡ଼ି ଏଣେତେଣେ ବୁଲୁଥିଲା । ବନବିଭାଗ ହାତୀ ଛୁଆର ସୁରକ୍ଷା ପାଇଁ ପହରା ଦେଇ ତା’ର ଗତିବିଧି ଅନୁଧ୍ୟାନ କରୁଥିଲା । ବାରମ୍ବାର ଗୋଠରେ ଛାଡିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ବନବିଭାଗ ଫେଲ୍ ମାରିଥିଲା । ଗାତରେ ପଡିଯିବା ପରେ ମଣିଷ ଛୁଇଁଥିବା ସନ୍ଦେହରେ ଛୁଆ ହାତୀକୁ ମା’ କି ପଲ ଗ୍ରହଣ କରୁ ନଥିବା ଜଣାପଡ଼ିଥିଲା । ୭ ଦିନ ଧରି ହାତୀ ଶାବକ ପାଇଁ ବନବିଭାଗ ନାକେଦମ୍ ହୋଇପଡିଥିଲା । ଶେଷରେ ଚଳିତମାସ ୧ ତାରିଖରେ ହାତୀ ଶାବକକୁ ଉଦ୍ଧାର କରାଯାଇ ପଦ୍ମପୁରସ୍ଥିତ ହାତୀ ଯତ୍ନ କେନ୍ଦ୍ରରେ ରଖାଯାଇଥିଲା । ସେଠାରେ ବନ କର୍ମଚାରୀମାନେ ତା’ ନାମ ‘ଶମ୍ଭୁ’ ରଖିଥିଲେ ।

ପିସିସିଏଫ୍‌ଙ୍କ  ନିର୍ଦ୍ଦେଶକ୍ରମେ ରବିବାର ହାତୀ ଶାବକ ଶମ୍ଭୁକୁ ଭୂବନେଶ୍ୱର ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିସ୍ଥିତ ହାତୀ ପାଠଶାଳାକୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇଛି । ବିଜେପି ରେଞ୍ଜର ନୟନକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ହାତୀ ଶାବକକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଧରି ଚନ୍ଦକା ଗୋଡ଼ିବାରୀ ଠାରେ ପହଞ୍ଚିଥିଲେ । ଏଠାରେ ଚନ୍ଦକା ରେଞ୍ଜ ଅଫିସର ଉତ୍ତମ କୁମାର ସାହୁ ଓ ଅନ୍ୟ କର୍ମଚାରୀମାନେ ତାକୁ ଫୁଲଚନ୍ଦନ ଦେଇ ସ୍ୱାଗତ କରିଥିଲେ । ସେଠାରୁ ତାକୁ କୁମାରଖୁଣ୍ଟିକୁ ନିଆଯାଇଛି । ହାତୀ ଶାବକଟି ମା’ ଠାରୁ ଅଲଗା ହୋଇଥିଲେ ମଧ୍ୟ ସ୍ୱାଭାବିକ ଭାବେ ରହିଥିଲା । ଖାଦ୍ୟପେୟ ଠିକ୍ ଭାବେ ଗ୍ରହଣ କରୁଥିବା ବେଳେ ସଂପୂର୍ଣ୍ଣ ସୁସ୍ଥ ରହିଥିଲା । ଏଠାରେ ପହଞ୍ଚିବା ପରେ ତାକୁ ସଙ୍ଗେ ସଙ୍ଗେ କିଲେ ଲାକ୍ଟୋଜିନ ପିଇବାକୁ ଦିଆଯାଇଥିଲା । ରାତିରେ ତାକୁ କିଲେ ସେରେଲାକ୍ ପିଇବାକୁ ଦିଆଯିବ ବୋଲି ରେଞ୍ଜ ଅଫିସର ଶ୍ରୀ ସାହୁ କହିଛନ୍ତି । ପୂର୍ବରୁ ଏହି ହାତୀ ପାଠଶାଳାରେ ଥିବା ହାତୀଛୁଆ ଚନ୍ଦୁ, ସୀମା, ଜଗା, ଉମା, କାହ୍ନା, ରାଧିକା ଓ କାର୍ତ୍ତିକଙ୍କୁ ପାଖରେ ପାଇ ଶମ୍ଭୁ ବେଶ୍ ଖୁସିଥିବା ଚନ୍ଦକା ବନ କର୍ମଚାରୀ ଓ ମାହୁନ୍ତମାନେ କହିଛନ୍ତି।