କୋକସରା, ୧୫।୬: ଚାଷୀଙ୍କୁ ସମୃଦ୍ଧ କରିବାକୁ ବ୍ୟାପକ କୃଷକ କଲ୍ୟାଣ ଯୋଜନା ରହିଛି l ହେଲେ ଚାଷ ଜମି ନିକଟରେ କେନାଲ ଥିଲେ ମଧ୍ୟ ଚାଷ ଜମିକୁ ପାଣି ମାଡୁନି l ଏନେଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଟେମରା ଅଞ୍ଚଳର ଚାଷୀମାନେ ବାରମ୍ବାର ଅଭିଯୋଗ କରିଛନ୍ତି । ମାତ୍ର ପ୍ରଶାସନ ଚାଷୀଙ୍କ ଗୁହାରୀ ଶୁଣିଲାନି । ଶେଷରେ ବାଧ୍ୟ ହୋଇ ଚାଷୀମାନେ ନିଜସ୍ବ ଉଦ୍ୟମରେ କେନାଲ ମରାମତି କରିଛନ୍ତି ।
କୋକସରା ବ୍ଲକ୍ ଟେମରା ଅଞ୍ଚଳର ଚାଷୀଙ୍କ ଚାଷ ଜମି ଦେଇ କ୍ଷୂଦ୍ର ଜଳସେଚନ ବିଭାଗର ଅଧୀନରେ ଥିବା ବେହେରା ଡ୍ୟାମର ବାମ ପାର୍ଶ୍ବ କେନାଲ ଯାଇଛି । କିନ୍ତୁ, ବର୍ଷ ବର୍ଷ ଧରି ଚାଷୀଙ୍କ ଜମିରେ କୋନାଲ ପାଣି ମାଡ଼ି ନାହିଁ । ଏ ସମସ୍ୟାର ସମାଧାନ ପାଇଁ ଚାଷୀମାନେ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଅଭିଯୋଗ କରି ନିରାଶ ହେବାପରେ ନିଜ ଉଦ୍ୟମରେ କେନାଲ ମରାମତି କରିଛନ୍ତି ।
ମରୁଡ଼ି ପ୍ରବଣ ଅଞ୍ଚଳରେ ଥିବା ଏହି ଚାଷୀମାନେ ଧାନଚାଷ ଉପରେ ନିର୍ଭର କରନ୍ତି । ବେଳେ ବେଳେ ନିଅଣ୍ଟିଆ ବର୍ଷା ଯୋଗୁ କେନାଲ ଉପରେ ନିର୍ଭର କରିଥାନ୍ତି । ପ୍ରତିବର୍ଷ ଜଳ କର ଦେଉଥିଲେ ମଧ୍ୟ ଚାଷୀଙ୍କ ଜମିରେ ପାଣି ମାଡ଼ୁନାହିଁ କି କେନାଲ ମରାମତି ହେଉନି l ବର୍ତ୍ତମାନ ଖରିଫ୍ ଋତୁ ଚାଷ ପାଇଁ କିଛି ଦୂର କେନାଲ ଖୋଲି ଚାଷ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାୟୀ ପକ୍କା କେନାଲ ପାଇଁ ପ୍ରଶାସନର ସହାୟତା ପାଇଁ ଚାଷୀମାନେ ଦାବି କରିଛନ୍ତି ।