ଭୁବନେଶ୍ୱର,୧୫।୦୨: ଜମିପଟ୍ଟା ବା ରେକର୍ଡ ଅଫ ରାଇଟ୍ସ୍ କଲମ୍-୨ ସଂଶୋଧନ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାର ଜମି ପଟ୍ଟା ସମ୍ବନ୍ଧୀୟ ବକେୟା ମାମଲାକୁ ତୁରନ୍ତ ସାରିବାକୁ ରାଜସ୍ୱ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏହାର ନିରୀକ୍ଷଣ କରିବେ । ଉପଜିଲ୍ଲାପାଳମାନେ ଉତ୍ତରଦାୟୀ ରହିବେ । ସଂଶୋଧନରେ ବିଳମ୍ବ ହେଲେ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ନୂଆପଡ଼ା, କୋରାପୁଟ, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି ଓ ସମ୍ବଲପୁର ଜିଲ୍ଲାର ତହସିଲଭିତ୍ତିକ ସମୀକ୍ଷା କରିଥିଲେ । ଏହି ସବୁ ଜିଲ୍ଲାରେ ଜମିଜମା ସମ୍ବନ୍ଧୀୟ ସଂଶୋଧନ କାମ ବକେୟା ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ । କିଛି ଜିଲ୍ଲାରେ ମାତ୍ରାଧିକ ବିଳମ୍ବ ହେଉଛି । ଏହାକୁ ନେଇ ସେ ତାଗିଦ୍ କରିଛନ୍ତି । ଏହି ସବୁ ମାମଲାକୁ ମିଶନ୍ ମୋଡରେ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ସଚିବ କହିଛନ୍ତି, ଖତିଆନରେ କଲମ୍-୨ ସଂଶୋଧନ କେବଳ ଏକ ସାଧାରଣ ସରକାରୀ ପ୍ରକ୍ରିୟା ନୁହେଁ ।
ଜମି ମାଲିକଙ୍କୁ ସୁରକ୍ଷା ଦେବା ସହ ସରକାରୀ ସେବା ଯୋଗାଇବାକୁ ଏହା ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ଠିକ୍ ସଂଶୋଧନ ଓ ଚାଷୀ ପଞ୍ଜୀକରଣ ଜରିଆରେ ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାର ସିଧାସଳଖ ଲାଭ ପାଇପାରିବେ । ଏଥିରେ ବିଳମ୍ବ ହେଲେ ନାଗରିକମାନେ ସିଧାସଳଖ ପ୍ରଭାବିତ ହେବେ । ପ୍ରଶାସନିକ କାର୍ଯ୍ୟଦକ୍ଷତା ମଧ୍ୟ କମିବ । ବକେୟା ମାମଲା ପକାଇ ରଖିଥିବା ତହସିଲଦାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଚେତାବନୀ ଦେବାକୁ ରାଜସ୍ୱ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟଦକ୍ଷତା ନ ବଢ଼ାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।
ଉପଜିଲ୍ଲାପାଳ ଏହାକୁ ନିୟମିତ ଅନୁଧ୍ୟାନ କରିବେ । ବଳକା ମାମଲା ଶୀଘ୍ର ସାରିବା ପ୍ରକ୍ରିୟାକୁ ଅନୁଧ୍ୟାନ ପାଇଁ ଡ୍ୟାସ୍ବୋର୍ଡ ବ୍ୟବସ୍ଥା ଆରମ୍ଭ ହେବ । ଅଗ୍ରଗତି ରିପୋର୍ଟ ନିୟମିତ ଦାଖଲ କରିବାକୁ ମଧ୍ୟ କୁହାଯାଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାକିଥିବା ମାମଲାକୁ କମାଇବାକୁ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଆର୍ଡିସି ବ୍ୟକ୍ତିଗତ ଭାବେ କାର୍ଯ୍ୟ ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।