ଭୁବନେଶ୍ୱର,୧୪/୦୨: ସବୁ ଅଟକିଛି କପିଳେଶ୍ୱର ମନ୍ଦିର ଖୁଣ୍ଟିଆ ସେବାୟତଙ୍କ ସେବା ସ୍ୱତ୍ତ୍ୱ ନିଷ୍ପତ୍ତି ଉପରେ । ଯଦି ଏଠାରେ ମଲିଆ ସେବାୟତ ଓ ପ୍ରଶାସନର ଅନୁମୋଦନ କ୍ରମେ ଖୁଣ୍ଟିଆ ସେବାୟତ ଭୋରୁ ମନ୍ଦିରକୁ ପ୍ରବେଶ କରି ଘଣ୍ଟି ବାଡେଇ ମଙ୍ଗଳ ଆଳତୀ ସହିତ ଅନ୍ୟାନ୍ୟ ସେବା ପୂଜା ଆରମ୍ଭ କରି ଦେବେ, ତା ହେଲେ ସବୁ ଆଶଙ୍କା ଟଳିଯିବ। ନଚେତ ୧୧ ପୁରି ୧୧ଶହ ବରଷ ବିତିଗଲେ ବି କିଛି ଫଳ ମିଳିବ ନାହିଁ । ଅବଶ୍ୟ ଏଥର ପ୍ରଶାସନ ତରଫରୁ ସବୁ ପ୍ରକାର ପ୍ରୟାସ କରାଯାଉଛି । କିନ୍ତୁ ତାହା କେତେଦୂର ଠିକଣା ଭାବରେ ସମ୍ପାଦନ ହେବ ତା’ଉପରେ ସମସ୍ତଙ୍କ ନଜର ।

ଗୁରୁବାର ସ୍ୱତ୍ତ୍ୱ ଲିପି କମିଶନଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳଙ୍କ ସହିତ ଖୁଣ୍ଟିଆ ସେବାୟତ ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ସେବା ଲାଗି ମନ୍ଦିରକୁ ଗଲାବେଳକୁ ମଲିଆ ସେବାୟତ ପହିଲି ଉପଚାର ସାରି ଦେଇଥିଲେ । ଫଳରେ ନିରାଶ ହୋଇ ଖୁଣ୍ଟିଆ ସେବାୟତମାନେ ଫେରିବାକୁ ବାଧ୍ୟ ହୋଇଥିଲେ । ଶୁକ୍ରବାର ପୁଣି ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା ଉଭୟ ପକ୍ଷର ସେବାୟତଙ୍କ ସହିତ ବହୁତ ସମୟ ନିଜ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ । ଏହି ଆଲୋଚନା ଆଧାରରେ ପୁନଶ୍ଚ ଆଉ ଏକ ବୈଠକ ଜିଲ୍ଲାପାଳ ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଡକାଇ ୧୭ ତାରିଖରେ ଅନୁଷ୍ଠିତ ହେବ । ସେଥିରେ କିଛି ସାକାରାତ୍ମକ ନିଷ୍ପତ୍ତି ହେଲେ ହାଣ୍ଡିଭଙ୍ଗା ଯାତ ପାଇଁ ବାଟ ଫିଟିବ ।

ଆହୁରି ପଢ଼ନ୍ତୁ ;- ଶୀଘ୍ର ହେବ ଯୁକ୍ତ ତିନି ଓ ପିଜି ନାମଲେଖା, ଜୁଲାଇ ୧୦ରୁ ପାଠପଢ଼ା

ସୂଚନାଯୋଗ୍ୟ ପ୍ରାୟ ୧୧ ବର୍ଷ ପୂର୍ବେ କପିଳେଶ୍ୱର ମନ୍ଦିରରେ ସେବା ଅଧିକାରକୁ ନେଇ ଉଭୟ ଖୁଣ୍ଟିଆ ଏବଂ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା । ପରବର୍ତ୍ତୀ ସମୟରେ ମାମଲା ଉଚ୍ଚ ନ୍ୟାୟଳୟ ପର୍ଯ୍ୟନ୍ତ ଯାଇଥିଲା । ଯାହାକୁ ନେଇ ଏକାଧିକ ନ୍ୟାୟାଳୟ ଆଦେଶ ଥିବା ସତ୍ତେ୍ୱ ପ୍ରଶାସନ କାର୍ଯ୍ୟକାରୀ କରିନାହାନ୍ତି । ତେଣୁ ଖୁଣ୍ଟିଆ ସେବାୟତମାନେ ସେବାରୁ ବଞ୍ଚିତ ହେବା ସହିତ କପିଳେଶ୍ୱର-ଶ୍ରୀଲିଙ୍ଗରାଜଙ୍କ ମଧ୍ୟରେ ଥିବା ହାଣ୍ଡିଭଙ୍ଗା ଯାତ, ଚନ୍ଦନ ଚାପ, ଶୀତଳ ଷଷ୍ଠୀ ପରିକା ଅନେକ ଦେବ ଉତ୍ସବରେ ଯାଆସ ବନ୍ଦ ରହିଛି ।