ଭୁବନେଶ୍ୱର, ୧୪/୦୨ : ଆସନ୍ତା ଶିକ୍ଷା ବର୍ଷ (୨୦୨୬-୨୭) ନାମଲେଖା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ । ଉଭୟ ସ୍ନାତକ (ଯୁକ୍ତ ତିନି) ଓ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେଥିଲାଗି ଏପ୍ରିଲ ୨୦ ସୁଦ୍ଧା ପରୀକ୍ଷା ଓ ଜୁନ୍ ୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ ।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ତିନି ଓ ପିଜି ନାମଲେଖା ପ୍ରକ୍ରିୟା ଆଗୁଆ ଆରମ୍ଭ ହେବ । ନୂଆ ଶିକ୍ଷାବର୍ଷରେ ନାମଲେଖା ଓ ପାଠପଢ଼ାରେ ଯେପରି ବିଳମ୍ବ ନହୁଏ ସେଥିଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ପିଜି ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା-୨୦୨୬ ଆଗୁଆ କରାଯିବ । ସେଥିଲାଗି ସମସ୍ତ ସ୍ନାତକ ଶେଷ ବର୍ଷ ସେମିଷ୍ଟର ଅର୍ଥାତ୍ ଚୂଡ଼ାନ୍ତ ପରୀକ୍ଷା ଏପ୍ରିଲ୍ ୩୦ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜୁନ୍ ୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସମସ୍ତ ବ୍ୟାକ୍ ପେପରର ଫଳ ପ୍ରକାଶ କରିବାକୁ କୁହାଯାଇଛି ।
ପିଜି ନାମଲେଖା ପାଇଁ ଗତ ବର୍ଷ ୪୯ଟି ବିଷୟ ଥିଲା । ଏବର୍ଷ ମଧ୍ୟ ପ୍ରାୟ ସମାନ ବିଷୟରେ ନାମଲେଖା ପାଇଁ ତାଲିକା ପ୍ରସ୍ତୁତ ହେବ । ସିପିଇଟିକୁ ରାଜ୍ୟ ପ୍ରବରଣ ମଣ୍ଡଳ (ଏସ୍ଏସ୍ବି) ପରିଚାଳନା କରିବ ଏବଂ ଫଳ ପ୍ରକାଶ କରିବ । ଏହାକୁ ଆଧାର କରି ନାମଲେଖା ହେବ । ଗତବର୍ଷ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ପାଇଁ ଆଗୁଆ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେପରି ନାମଲେଖାରେ ବିଳମ୍ବ ନହୁଏ ଓ ବହୁ ଦିନ ଧରି ନାମଲେଖା ପ୍ରକ୍ରିୟା ନଚାଲେ । ମାତ୍ର ସିଟ୍ ଖାଲି ପଡ଼ିବାରୁ ନଭେମ୍ବର ମାସ ଯାଏ ନାମଲେଖା ଚାଲିଥିଲା ।
ଏହି ଖବରଟିକୁ ପଢନ୍ତୁ- ସ୍କୁଲରେ ପଶିଲେ ଅଜଣା ଯୁବକ, ଭଙ୍ଗା ବୋତଲ ଧରି ପିଲାଙ୍କୁ ଗୋଡ଼ାଇଲା..