ତେଲକୋଇ,୦୬/୧୨: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ଥିବା ଅସୁସ୍ଥ ମାଖନା ହାତୀର ସ୍ୱାସ୍ଥ୍ୟବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଛି । ସଙ୍କଟାପନ୍ନ ଅବସ୍ଥାରେ ଏକ ବିଲ ମଝିରେ ନିଶ୍ଚେତ ହୋଇ ହାତୀଟି ପଡିରହିଛି। ଏନେଇ ବନ ବିଭାଗ ଗୁରୁତର ମାଖନା ପାଖରେ ଜଗି ରହିଥିଲେ ସୁଧା ଚିକିତ୍ସା ଅବହେଳରୁ ଏଭଳି ସ୍ଥିତି ଉପୁଜି ଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ୩ ମାସ ହେବ ଦନ୍ତା ହାତୀଙ୍କ ଆକ୍ରମଣରେ ଏହି ମାଖନା ହାତୀ ଅସୁସ୍ଥ ହୋଇଥିଲା । ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଦାନ୍ତ ପଶି ଗୁରୁତର ଆଘାତ ହୋଇଥିଲା । ବନ ବିଭାଗ ପକ୍ଷରୁ ଏକ ଡ଼ାକ୍ତରୀ ଦଳ ନିଶ୍ଚେତକ ଦେଇ ଚିକିତ୍ସା କରିଥିଲେ। କ୍ଷତ ହୋଇଥିବା ସ୍ଥାନ ସଂକ୍ରମିତ ହୋଇଥିବା ବେଳେ ସେହି ସ୍ଥାନକୁ ପୁଣିଥରେ ଡ୍ରେସିଂ କରାଯାଇ ଚିକିତ୍ସା କରାଯାଇଥିଲା । ମଝିରେ ମଝିରେ ଡାର୍ଟ ମାଧ୍ୟମରେ ମଧ୍ୟ ଆବଶ୍ୟକ ଆଣ୍ଟିବାୟୋଟିକ ଦିଆଯାଉ ଥିବା ବନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଉଥିବା ବେଳେ ସେତେବେଳେ ଅସୁସ୍ଥ ହାତୀର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା କୁହାଯାଉଥିଲା। ହେଲେ ଏଇ ଦୁଇ ଦିନ ହେବ ହାତୀର ଗତିବିଧି ଧିମା ରହିଥିଲା । କନ୍ତଳେଇ ଗ୍ରାମ ଦାଢିଆ ସାହି ନିକଟ ବାଙ୍କ ମୁଣ୍ଡା ଜମି ମାଳରେ ଥିବା ଏକ କାଦୁଅ ଜମିରେ ହାତୀଟି ପଶି ଯାଇଥିବା ବେଳେ ସେଠାରୁ ବାହାରି ପାରୁ ନଥିବା ଜଣା ପଡ଼ିଛି । ଫଳରେ ସେହି ଠାରେ ନିସ୍ତେଜ ଅବସ୍ଥାରେ ପଡ଼ି ରହିଛି । ତେବେ ହାତୀଟି ଅତି ଦୁର୍ବଳ ହୋଇ ଯାଇଥିବାରୁ ଆଉ ଉଠି ପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।