ଦଶରଥପୁର, ୨/୭ (ମାନସ କୁମାର ଜେନା): ସ୍ୱାମୀ ଆର ପାରିରେ। ଘରେ ଭେଣ୍ଡିଆ ମାନସିକ ବିକୃତ ପୁଅ । ଅଜବ ଓ ଅସ୍ୱାଭାବିକ ତା’ର ଲକ୍ଷଣ । ଦିନରେ ଅଧା ସମୟ ଶାନ୍ତ ସରଳ । ଅବଶିଷ୍ଟ ସମୟରେ ତାକୁ ସମ୍ଭାଳିବା ଅସମ୍ଭବ । ନିଜେ ୭୮ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଜୀବନ ବୋଝରେ ଭାରାକ୍ରାନ୍ତ । ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜୀବନ ଯୁଦ୍ଧରେ ସଂଘର୍ଷ କରୁଛନ୍ତି ବୃଦ୍ଧା ସୌଦାମିନୀ । ସେ ଦେଖିଥିବା ସ୍ୱପ୍ନ ୨୫ବର୍ଷ ହେବ ଶିକୁଳିରେ ବନ୍ଦୀ । ଦଶରଥପୁର ପଞ୍ଚାୟତ ପ୍ରକଟପୁର ଗ୍ରାମରେ ଏଭଳି ଦୁଃଖଭରା ଚିତ୍ର ଦେଖିବାକୁ ମିଳିଛି ।

ଗ୍ରାମର ରଘୁନାଥ ସାହୁ ଓ ସୌଦାମିନୀ ସାହୁଙ୍କ ଏକମାତ୍ର ପୁଅ ସତ୍ୟନାରାୟଣ। ପୁଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ପିତାମାତା। ଆଶା ଥିଲା ପୁଅ ପାଠ ପଢ଼ି ସ୍ୱାବଲମ୍ବୀ ହେବ। ବୟସର ଅପରାହ୍ଣରେ ସେମାନଙ୍କ ଆଶାବାଡ଼ି ସାଜି ସବୁ ବୋଝ ମୁଣ୍ଡାଇବ । କିନ୍ତୁ ଦଇବର ବିଚାର ଥିଲା ଭିନ୍ନ । ବୃଦ୍ଧ ବାପା, ମା’ଙ୍କ ବୋଝ ମୁଣ୍ଡାଇବା ବୟସରେ ଶିକ୍ଷିତ ସତ୍ୟନାରାୟଣ ଆଜି ବୃଦ୍ଧା ମା’ ସୌଦାମିନୀଙ୍କ ପାଇଁ ବୋଝ ପାଲଟିଛନ୍ତି। ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି । ପୁଅକୁ ଭଲ କରିବା ପାଇଁ ବାପା, ମା’ ନିଜର ସବୁ କଷ୍ଟ ଅର୍ଜିତ ସମ୍ପତ୍ତି ସାରି ଦେଇଛନ୍ତି। ପୁଅର ଅବସ୍ଥା ଦିନକୁ ଦିନ ଆହୁରି ସଙ୍କଟ ଆଡ଼କୁ ଗତି କରୁଛି। ପରିସ୍ଥିତି ଏମିତି ହୋଇଛି ଯେ ଭେଣ୍ଡିଆ ପୁଅକୁ ଇଚ୍ଛା ନଥିଲେ ବି ୨୫ବର୍ଷ ହେଲାଣି ଗୋଡ଼ରେ ଶିକୁଳି ପକାଇ ଘରେ ରଖିବାକୁ ବାଧ୍ୟ ହୋଇଛନ୍ତି।

ସତ୍ୟନାରାୟଣଙ୍କୁ ଏବେ ୪୭ ବର୍ଷ ବୟସ। ସେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପରେ ଇଲେକ୍ଟ୍ରୋନିକ୍ସରେ ଆଇଟିଆଇ ପାସ୍ କରିଥିଲେ। ସୌଦାମିନୀଙ୍କ କହିବା ଅନୁସାରେ ୨୨ବର୍ଷ ବୟସ ପର୍ଯ୍ୟନ୍ତ ସତ୍ୟନାରାୟଣ ଠିକଠାକ ଥିଲେ। ହଠାତ କାଳ ସାଜିଲା ଅଜଣା ରୋଗ । ଆଖିକୁ ନିଦ ହେଲାନି । ଶାନ୍ତ ସରଳ ସ୍ୱଭାବର ସତ୍ୟନାରାୟଣ ଖିଆପିଆ ଛାଡ଼ିଦେଇ ଏଣେତେଣେ ବୁଲିଲେ । ଘରକୁ ଫେରିଲେ ଭଙ୍ଗାରୁଜା କଲେ । ଏଭଳି ଅବସ୍ଥାରେ ନିଜର ଅନିଚ୍ଛା ସତ୍ତ୍ଵେ ବାପା, ମା’ ପୁଅକୁ ଶିକୁଳିରେ ବାନ୍ଧି ରଖିଲେ। କଟକ ଓ ଭୁବନେଶ୍ୱରର ସରକାରୀ ଓ ବେସରକାରୀ ମେଡିକାଲକୁ ନେଇ ମାନସିକ ବିଶେଷଜ୍ଞ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଲେ। ପୁଅକୁ ଭଲ କରିବା ପାଇଁ ଜୀବନ କାଳ ମଧ୍ୟରେ ସାଇତି ରଖିଥିବା କଷ୍ଟ ଅର୍ଜିତ ଧନ ସରିଗଲା। ପରେ ଧାର କରଜ କରି ସତ୍ୟନାରାୟଣଙ୍କର ଚିକିତ୍ସା କରାଇଲେ ବି କିଛି ସୁଫଳ ମିଳିଲା ନାହିଁ। ଭେଣ୍ଡିଆ ପୁଅ ଭଲ ନହେବା ଚିନ୍ତାରେ ବାପା ରଘୁନାଥ ୨୦୧୮ରେ ଆଖି ବୁଜି ଦେଲେ। ବର୍ତ୍ତମାନ ସୌଦାମିନୀଙ୍କ ବୟସ ୭୮ବର୍ଷ ହେଲାଣି । ଆଖିକୁ ଭଲ ଭାବେ ଦେଖାଯାଉନି। ଅଣ୍ଟା ସଳଖି ଛିଡ଼ା ହେବାକୁ ମଧ୍ୟ ଅସମର୍ଥ। ଏପରି ଅବସ୍ଥାରେ ପୁଅର ସବୁ କାର୍ଯ୍ୟ କରୁଛନ୍ତି ସୌଦାମିନୀ । ଶିକୁଳିରେ ବନ୍ଧା ହୋଇଥିବା ପୁଅ ଶୌଚ ହେବା, ଗାଧୋଇବା, ଖାଇବା ଠାରୁ ଆରମ୍ଭ କରି ସବୁ ଦାୟିତ୍ୱ ସୌଦାମିନୀଙ୍କୁ କରିବାକୁ ପଡୁଛି।

ବହୁ ଦୌଡ଼ାଦୌଡ଼ି କରିବା ପରେ ସତ୍ୟନାରାୟଣଙ୍କୁ ୭୫ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଛି। ଆଉ ମାତ୍ର ୫ ପ୍ରତିଶତ ପାଇଁ ସେ ମାସକୁ ମାତ୍ର ୧ହଜାର ଟଙ୍କା ଭତ୍ତା ଆକାରରେ ପାଉଛନ୍ତି । ୮୦ ପ୍ରତିଶତ ହୋଇଥିଲେ ମିଳିଥାଆନ୍ତା ମାସକୁ ୩ ହଜାର। ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୫କିଲୋ ଚାଉଳ ମିଳୁଛି। ଯାହା ସମୁଦ୍ରକୁ ଶଙ୍ଖେ। ତେଣୁ ଏପରି ଅସହାୟ ଅବସ୍ଥାରେ ପୁଅର ବୋଝ ଉଠାଇବା ସୌଦାମିନୀଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ଶତପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର କରାଯିବା ସହିତ ସରକାରୀ କିମ୍ବା ବେସରକାରୀ ସ୍ତରରେ ଆର୍ଥିକ ସହାୟତା ମିଳିଲେ ପୁଅର ଚିକିତ୍ସା ହୋଇପାରନ୍ତା ବୋଲି ମା’ ସୌଦାମିନୀ ଆକୁଳ ନିବେଦନ କରିଛନ୍ତି।

ଆହୁରି ପଢନ୍ତୁ-ଆସୁଛି ଲଘୁଚାପ, ୭ ତାରିଖ ଯାଏ ପ୍ରବଳ ବର୍ଷିବ,୨ ଜିଲ୍ଲାକୁ ଅରେଞ୍ଜେ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ରୂପ ଅପୂର୍ଣ୍ଣ, କୃପା ସମ୍ପୂର୍ଣ୍ଣ! Why Lord Jagannath Chose an Incomplete Idol?