ଖଲ୍ଲିକୋଟ ୧୪/୦୨ : ପ୍ରେମ କେବଳ ଯୌବନରେ ହୁଏ... ସେମିତି ବୋଲି କିଛି ନାହିଁ । ବାଲ୍ୟାବସ୍ଥାରୁ ଆରମ୍ଭ ହୋଇ ଅତି ବାର୍ଦ୍ଧକ୍ୟବସ୍ଥାରେ ମଧ୍ୟ ନିବିଡ଼ ରହିଛି ବୈଷ୍ଣବ ପ୍ରଧାନ ଓ ପତ୍ନୀ ସାମ୍ବାରୀ ପ୍ରଧାନଙ୍କ ପ୍ରେମ । ପ୍ରେମର ମାନେ ହେଉଛି ଜନ୍ମ ଜନ୍ମର ସାଥି ହୋଇ ରହିବା, ଦୁଃଖରେ ହାତ ଧରିବା, ଆଉ ସୁଖରେ ଭରପୁର ହସିବା । ଏହାର ବାସ୍ତବ ନଜିର ପାଲଟିଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଖୋଜାପଲ୍ଲୀ ଗ୍ରାମର ଶତାୟୁ ଦମ୍ପତି । ପରିଣତ ବୟସରେ ମଧ୍ୟ କିଏ କାହା ହାତ ଛାଡ଼ି ନାହାନ୍ତି । ବରଂ ପରସ୍ପରର ସୁଖ ଦୁଃଖରେ ଯତ୍ନ ଓ ସ୍ନେହ ଶ୍ରଦ୍ଧା ଦେଇ ଆସିଛନ୍ତି ଦୁହେଁ ।

ବୈଷ୍ଣବ ଓ ସାମ୍ବାରୀ ନିଜେ ନିଜ ବୟସ ଜାଣିନାହାନ୍ତି । ତେବେ ଦୁହିଁଙ୍କ ବୟସ ୧୦୦ ଟପିଲାଣି । କାହିଁ କେଉଁ କାଳୁ ଦୁହେଁ ବାଲ୍ୟ ବିବାହ କରିଥିଲେ । ବୟସର ଅପରାହ୍ଣରେ ସୁଦ୍ଧା ଦୁହିଁଙ୍କ ପ୍ରେମ ପୂର୍ବବତ୍ ଅତୁଟ ରହିଛି । ନିଜର ବୋଲି ଘର ଖଣ୍ଡିଏ ନାହିଁ । ଖୋଜାପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଝୁମ୍ପୁଡ଼ି ଘର କରି ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି । ବଳବୟସ ଥିବା ପର୍ଯ୍ୟନ୍ତ ମୂଲ ଲାଗି ଚଳୁଥିଲେ । ଏବେ ଆଉ ସେ ସମୟ ନାହିଁ । କିଛି ଦିନ ହେଲା ବୈଷ୍ଣବ ଚାଲି ପାରୁନାହାନ୍ତି, ବିଛଣାରେ ପଡ଼ି ରହିଛନ୍ତି । ଆଉ ସ୍ତ୍ରୀ ସାମ୍ବାରୀ ନିଜକୁ କଷ୍ଟ ହେଲେ ସୁଦ୍ଧା ସ୍ୱାମୀଙ୍କ ସେବା ଯତ୍ନରେ ଟିକିଏ ବି ହେଳା କରୁନାହାନ୍ତି । କାହାଠୁ ଶୁଣିଲେ କି କେମିତି ଜାଣିଲେ କେଜାଣି, ପ୍ରେମ ସପ୍ତାହରେ କେଉଁଠୁ ଗୋଟିଏ ଗୋଲାପ ଯୋଗାଡ଼ କରି ଆଣି ବୈଷ୍ଣବ ପତ୍ନୀଙ୍କୁ ଗୋଲାପ ଫୁଲଟିଏ ଉପହାର ଦେଇଥିଲେ ।

ଆହୁରି ପଢ଼ନ୍ତୁ...ତୁମେ ମୋ ଭାଲେଣ୍ଟାଇନ୍…ତୁମ ସହ ସାତ ଜନ୍ମର ସାଥୀ ହେବାକୁ ଚାହେଁ

ଗଣମାଧ୍ୟମ ପ୍ରତିନିଧି ଝାଟିମାଟି ଘରେ ପହଞ୍ଚିଲା ବେଳକୁ ବଡ଼ ସରାଗରେ ସାମ୍ବାରୀ ଫୁଲଟି ଦେଖାଇଥିଲେ, କହିଥିଲେ ସିଏ (ସ୍ୱାମୀ) ଦେଇଛନ୍ତି । ଅପରପକ୍ଷରେ ଶଯ୍ୟାଶାୟୀ ସ୍ୱାମୀଙ୍କ ମୁଣ୍ଡକୁ ସାମ୍ବାରୀ ସ୍ନେହ ଆଉଁସି ଦେଉଥିବା ଦୃଶ୍ୟ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳିତ କରିଥିଲା । ସମ୍ପ୍ରତି ଦିନକୁ ଦିନ ପ୍ରେମ ଆଳରେ ପ୍ରେମିକ- ପ୍ରେମିକା ହୁଅନ୍ତୁ କି ସ୍ୱାମୀ- ସ୍ତ୍ରୀ ଅଥବା ତୃତୀୟ ବ୍ୟକ୍ତିଙ୍କୁ ନେଇ ଅଭାବନୀୟ ଘଟଣା ଘଟୁଛି । ଏଭଳି ସ୍ଥିତିରେ ପ୍ରେମ ସମ୍ପର୍କ କେତେ ଗଭୀର ତାହା ଏହି ଶତାୟୁ ଦମ୍ପତିଙ୍କୁ ଦେଖିଲେ ଜାଣିହେବ । ବାଲ୍ୟ କାଳରୁ ଆଜି ପର୍ଯ୍ୟନ୍ତ ଦୁଇ ଜଣ ଏକ ମନ ଏକ ପ୍ରାଣ ହୋଇ ଚଳି ଆସୁଛନ୍ତି । ଆଜି କାଲିର ସମାଜ ପ୍ରତି ସେମାନଙ୍କ ସମ୍ପର୍କ, ପ୍ରେମ, ସ୍ନେହ ପଥପ୍ରଦର୍ଶକ ନିଶ୍ଚୟ ।