ଲସ୍ଆଞ୍ଜେସ୍ର କେଲୀ ନାମ୍ନୀ ଜଣେ ୧୭ବର୍ଷ ବୟସ୍କା ମହିଳା ୨୦୨୩ ମସିହାରେ ଲସ୍ଆଞ୍ଜେସ କାଉଣ୍ଟି ସୁପରିୟର ଅଦାଲତରେ ଚାରୋଟି ସାମାଜିକ ଗଣମାଧ୍ୟମ କମ୍ପାନୀ ବିରୋଧରେ ମକଦ୍ଦମା ଦାଏର କରିଥିଲେ- ୟୁଟ୍ୟୁବ, ଇନ୍ଷ୍ଟାଗ୍ରାମ, ମ୍ୟୁଜିକାଲି (ପରେ ଟିକ୍ଟକ୍ ନାମରେ ପରିଚିତ) ଏବଂ ସ୍ନାପଚାଟ୍ । ଅଭିଯୋଗ ଥିଲା- ସେ ଛଅବର୍ଷ ବୟସରୁ ୟୁଟ୍ୟୁବ, ନଅବର୍ଷ ବୟସରୁ ଇନ୍ଷ୍ଟାଗ୍ରାମ, ଦଶବର୍ଷ ବୟସରୁ ମ୍ୟୁଜିକାଲି ଏବଂ ଏଗାର ବର୍ଷ ବୟସରୁ ସ୍ନାପଚାଟ୍ ପ୍ରତିଦିନ ଦୀର୍ଘକାଳ ଧରି ବ୍ୟବହାର କରିବା ଫଳରେ ତାଙ୍କର ଶାରୀରିକ କ୍ଳାନ୍ତି, ମାନସିକ ଅବସାଦ ସହିତ ଜୀବନ ପ୍ରତି ବୀତସ୍ପୃହ ଭାବ ସୃଷ୍ଟି ହୋଇଛି । ସେହି ସମୟରେ ସେମାନଙ୍କ କବଳରୁ ମୁକ୍ତହେବା ସମ୍ଭବ ନଥିଲା । ସତଯେମିତି ସେ ନିଶାସକ୍ତ ଭାବେ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଥିଲେ । ଫଳରେ ବର୍ତ୍ତମାନ କୌଣସି କାର୍ଯ୍ୟରେ ମନୋନିବେଶ କରିବାକୁ ଅସମର୍ଥ ହୋଇପଡ଼ିଛନ୍ତି, ତେଣୁ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି । ଏଥିନିମନ୍ତେ ସେ ଏହି ଚାରୋଟି କମ୍ପାନୀକୁ ଦାୟୀ କରିବା ସହିତ କ୍ଷତିପୂରଣ ଦାବି କରିଛନ୍ତି ।

ୟୁଟ୍ୟୁବ ହେଉଛି ଗୁଗୁଲ କମ୍ପାନୀର ଅଂଶବିଶେଷ, ଯାହାର ମୂଳ କମ୍ପାନୀ ଆଲଫାବେଟ୍ । ଇନ୍‌ଷ୍ଟା ଗ୍ରାମ ମୂଳ କମ୍ପାନୀ ହେଉଛି ମେଟା ପ୍ଲାଟଫର୍ମ, ସଂକ୍ଷେପରେ ମେଟା । ଟିକ୍ଟକ୍ ହେଉଛି ଗୋଟିଏ ଚୀନ କମ୍ପାନୀ ଏବଂ ସ୍ନାପଚାଟ୍ ଆମେରିକା କମ୍ପାନୀ । ୟୁଟ୍ୟୁବ ଏବଂ ଇନ୍‌ଷ୍ଟାଗ୍ରାମ ପ୍ରତ୍ୟେକର ସକ୍ରିୟ ମାସିକ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୩୦୦କୋଟି (ବିଶ୍ୱର ଜନସଂଖ୍ୟା ପ୍ରାୟ ୮୦୦ କୋଟି) । ଟିକ୍ଟକ୍ର ୨୦୦କୋଟି ଓ ସ୍ନାପଚାଟ୍ ୧୦୦କୋଟି । ଏହି ବିଶାଳ ସଂଖ୍ୟାରୁ ଏହି କମ୍ପାନୀମାନଙ୍କର କୋମଳମତି କିଶୋର ପିଢ଼ି ଉପରେ ଆଧିପତ୍ୟ ଏବଂ ପ୍ରଭାବ ଆକଳନ କରାଯାଇପାରେ । ମାମଲାର ଶୁଣାଣି ପରେ ୨୦୨୬ ମସିହା ମାର୍ଚ୍ଚ ୨୫ ତାରିଖରେ ବିଚାରପତିମାନେ ଏକ ଦୃଷ୍ଟାନ୍ତମୂଳକ ତଥା ନିର୍ଣ୍ଣାୟକ ରାୟରେ ମେଟା ଓ ଗୁଗୁଲ୍କୁ ଦୋଷୀ ସାବ୍ୟସ୍ତ କରି ଛଅ ମିଲିୟନ ଡଲାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାୟରେ ଉଲ୍ଲେଖ ଅଛି “ବାଲ୍ୟାବସ୍ଥାରୁ କେଲୀଙ୍କୁ ନିଶାସକ୍ତ ଭାବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ପାଇଁ ମେଟା ଓ ଗୁଗୁଲ ବାଧ୍ୟ କରିଥିବାରୁ, ମହିଳାଙ୍କର ମାନସିକ ଅବସାଦ ଓ ଦୁଶ୍ଚିନ୍ତା ନିମନ୍ତେ ଏହି ଦୁଇ କମ୍ପାନୀ ଦାୟୀ ଅଟନ୍ତି । ତେଣୁ ୬ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୫୬କୋଟି ଟଙ୍କା) ଭରଣା କରିବା ପାଇଁ ଦୁଇ କମ୍ପାନୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି ।” ଯଦିଓ ଟ୍ରିଲିୟନ ଡଲାର କମ୍ପାନୀ ନିମନ୍ତେ ଏହି ଆର୍ôଥକ ଦଣ୍ଡ ଅତି ନଗଣ୍ୟ, କିନ୍ତୁ ରାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ, ପ୍ରଥମ ଥର ପାଇଁ ଅଦାଲତ ସାମାଜିକ ଗଣମାଧ୍ୟମ ଆପ୍ଗୁଡ଼ିକୁ ତ୍ରୁଟିପୂର୍ଣ୍ଣ ଉତ୍ପାଦ ଭାବେ ବିବେଚନା କରି ଏଗୁଡ଼ିକ କିପରି ଶିଶୁ ଓ କିଶୋରମାନଙ୍କ ବିକାଶଶୀଳ ମସ୍ତିଷ୍କକୁ ବିଭ୍ରାନ୍ତ କରୁଛନ୍ତି, ତାହା ରାୟ ଦେଇଛନ୍ତି ।

ଏହାର ଗୋଟିଏ ଦିନ ପୂର୍ବେ, ଅର୍ଥାତ୍ ୨୦୨୬ ମସିହା ମାର୍ଚ୍ଚ ୨୪ ତାରିଖରେ ନିଉ ମେକ୍ସିକୋ ଅଦାଲତ ଅନ୍ୟ ଏକ ପୃଥକ ମାମଲାରେ ଇନଷ୍ଟାଗ୍ରାମ ଓ ଫେସବୁକ୍ର ମୂଳ କମ୍ପାନୀ ମେଟାକୁ ୩୭୫ ମିଲିୟନ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩୫୬୦କୋଟି ଟଙ୍କା) କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପୃଷ୍ଠଭୂମି ଏହିଭଳି: ନିଉ ମେକ୍ସିକୋ ରାଜ୍ୟର ଆଟର୍ଣ୍ଣି ଜେନେରାଲ ରାଉଲ ଟରେଜ, ଇନ୍ଷ୍ଟାଗ୍ରାମ ଓ ଫେସବୁକ୍ରେ ଶିଶୁ ଯୌନ ଶୋଷଣ ଅଭିଯୋଗ ପାଇବା ପରେ ସତ୍ୟାସତ୍ୟ ଜାଣିବା ନିମନ୍ତେ ୨୦୨୩ ମସିହାରେ ଏକ ଗୁପ୍ତ ଅଭିଯାନ ଆରମ୍ଭ କରିଥିଲେ । ତଦନ୍ତକାରୀ ଏଜେଣ୍ଟମାନେ ୧୪ବର୍ଷରୁ କମ୍ ବୟସ ଦର୍ଶାଇ ଫେସବୁକ୍ ଏବଂ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଥିଲେ । ପରେ ସେହି ଆକାଉଣ୍ଟଗୁଡ଼ିକୁ ବୟସ୍କମାନଙ୍କ ତରଫରୁ ନିୟମିତ ଭାବେ ଯୌନ ଉତ୍ତେଜକ ବାର୍ତ୍ତା ଆସିବା ସହିତ ସେହିଭଳି ବାର୍ତ୍ତା ପଠାଇବା ପାଇଁ ଅନୁରୋଧ ଆସିଲା । ଫଳରେ ସେହି ବ୍ୟକ୍ତିମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଗଲା । ବିଚାରପତିମାନେ ମେଟା କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରି ରାୟ ପ୍ରଦାନ କରିଥିଲେ “ଇନ୍‌ଷ୍ଟାଗ୍ରାମ ଓ ଫେସବୁକ୍ ପ୍ଲାଟଫର୍ମର ସୁରକ୍ଷା ସଂପର୍କରେ ଗ୍ରାହକମାନଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରି ଶିଶୁମାନଙ୍କୁ ବିପଦ ମୁହଁକୁ ଠେଲି ଦେଇଥିବାରୁ, ମେଟା କମ୍ପାନୀକୁ ଦୋଷୀ ସାବ୍ୟସ୍ତ କରାଯାଇ ନିଉ ମେକ୍ସିକୋ ରାଜ୍ୟର ୩୭,୫୦୦ ବ୍ୟବହାରୀଙ୍କୁ ୫୦୦୦ ଡଲାର ଲେଖାଏଁ ସମୁଦାୟ ୩୭୫ ମିଲିୟନ ଡଲାର କ୍ଷତିପୂରଣ ଦେବାପାଇଁ ନିର୍ଦ୍ଦେଶ ଦିଆଯାଉଛି” । କୌଣସି ରାଜ୍ୟ ତରଫରୁ ସାମାଜିକ ଗଣମାଧ୍ୟମର ଭ୍ରମାତ୍ମକ କାର୍ଯ୍ୟକଳାପ ଉପରେ ଏହା ପ୍ରଥମ ଆଇନଗତ ପଦକ୍ଷେପ ।

୨୦୨୧ ମସିହା ମାର୍ଚ୍ଚ ମାସରେ ମେଟା କମ୍ପାନୀ ୧୩ବର୍ଷରୁ କମ୍ କିଶୋର ପିଢ଼ିଙ୍କ ନିମନ୍ତେ ଇନ୍ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବା ପାଇଁ ଘୋଷଣା କଲା । ସେହିବର୍ଷ ମଇ ମାସ ୧୦ ତାରିଖରେ ଆମେରିକାର National Association of Attorneys General (NAAG) ତରଫରୁ ୪୪ଟି ରାଜ୍ୟର ଆଟର୍ଣ୍ଣି ଜେନେରାଲ ନିଜସ୍ୱ ଦସ୍ତଖତରେ ମେଟା କମ୍ପାନୀର ମୁଖ୍ୟ ଜୁକେରବର୍ଗଙ୍କୁ କିଶୋରମାନଙ୍କ ପାଇଁ ଏଭଳି ଆକାଉଣ୍ଟ ନଖୋଲିବା ପାଇଁ ଆଇନଗତ ଚେତାବନୀ ପତ୍ର ପଠାଇଥିଲେ । ପତ୍ରରେ ଉଲ୍ଲେଖ ଅଛି “...ଫେସବୁକ୍ ତରଫରୁ ୧୩ବର୍ଷର କମ୍ କିଶୋରଙ୍କ ନିମନ୍ତେ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ ଯୋଜନା ସଂପର୍କରେ ଅବଗତ ହେଲୁ । ...ଆଟର୍ଣ୍ଣି ଜେନେରାଲ ଭାବେ ଆମେ ପ୍ରତି ରାଜ୍ୟରେ ପିଲାମାନଙ୍କର କଲ୍ୟାଣ ଏବଂ ଅନ୍ଲାଇନ୍ ଗୋପନୀୟତା ସୁରକ୍ଷା ଆଇନ (Children’s Online Privacy Protection Act -COPPA) ଆଧାରରେ ସେମାନଙ୍କ ପ୍ରତି ବ୍ୟବସାୟ ଦ୍ୱାରା ଅନ୍ୟାୟ, ପ୍ରତାରଣା, କ୍ଷତିକାରକ କାର୍ଯ୍ୟ ବିରୋଧରେ ସୁରକ୍ଷା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ । ...ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ଅନ୍ଲାଇନ ପ୍ଲାଟଫର୍ମଗୁଡ଼ିକ ବ୍ୟବହାରୀଙ୍କ ଅନ୍‌ଲାଇନ କାର୍ଯ୍ୟକଳାପ ଉପରେ ନଜର ରଖି ବ୍ୟାବସାୟିକ ଉଦ୍ଦେଶ୍ୟରେ ତୃତୀୟ ପକ୍ଷକୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ବିକ୍ରି କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରନ୍ତି ।

ଶିଶୁମାନଙ୍କୁ ଇଣ୍ଟରନେଟ୍ ଗୋପନୀୟତା କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବା ଅତ୍ୟନ୍ତ ଆବଶ୍ୟକ, କାରଣ ସେମାନେ ସହଜରେ ପ୍ରଭାବିତ ହୋଇ ନିଜର ବ୍ୟକ୍ତିଗତ ତଥ୍ୟ ଏବଂ ଅନ୍ଲାଇନ କର୍ଯ୍ୟକଳାପ ନମୁନା ସଂଗ୍ରହକୁ ଅନୁମତି ଦେବାର ଗୋପନୀୟତା ଓ ସୁରକ୍ଷାର ପ୍ରଭାବକୁ ସଂପୂର୍ଣ୍ଣ ରୂପେ ବୁଝିବାରେ ଅସମର୍ଥ ଅଟନ୍ତି । ...ଯେହେତୁ ଆପଣଙ୍କ କମ୍ପାନୀ ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମ ସେବା ପ୍ରଦାନର ଯୋଜନା ଘୋଷଣା କରିଛି ଆମେ COPPA ଏବଂ ଫେଡେରାଲ ଟ୍ରେଡ କମିଶନ ନିୟମର ସଂପୂର୍ଣ୍ଣ ଅନୁପାଳନ ସୁନିଶ୍ଚିତ କରିବା ସହିତ ଆପଣଙ୍କ ଯୋଜନାକୁ ସ୍ପଷ୍ଟ କରିବା ପାଇଁ ନିମ୍ନ ପ୍ରଶ୍ନାବଳୀ ଉପସ୍ଥାପନା କରୁଛୁ” । ଫେସବୁକ୍ର ମୁଖ୍ୟ ମାର୍କ ଜୁକରବର୍ଗଙ୍କୁ ସମ୍ବୋଧିତ ଚାରି ପୃଷ୍ଠାର ଏହି ଦୀର୍ଘପତ୍ରରେ ଶିଶୁମାନଙ୍କ ଅନ୍ଲାଇନ ସୁରକ୍ଷା ସମ୍ବଳିତ ୧୨ଟି ପ୍ରଶ୍ନ ଉପସ୍ଥାପନା କରାଯାଇଥିଲା । ଅନ୍‌ଲାଇନ ପ୍ଲାଟଫର୍ମରେ ଶିଶୁ ସୁରକ୍ଷାକୁ କେନ୍ଦ୍ର କରି ପ୍ରବଳ ଚାପ ଫଳରେ ଫେସବୁକ୍ ଏହି ଯୋଜନାକୁ ବନ୍ଦ କରିବା ପାଇଁ ବାଧ୍ୟହେଲା ।

ଏହି କ୍ରମରେ ଆମ ଦେଶରେ ଚଳିତ ବର୍ଷ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏକ ମର୍ମନ୍ତୁଦ, ଦୁଃଖଦ ଘଟଣା ଅନେକ ପାଠକବନ୍ଧୁଙ୍କର ମନେଥିବ । ଘଜିଆବାଦର ତିନିଜଣ ନାବାଳିକା ଭଉଣୀ ସୋସିଆଲ ମିଡିଆ ଆକାଉଣ୍ଟରେ ଏତେ ନିଶାଗ୍ରସ୍ତ ହୋଇଯାଇଥିଲେ ଯେ ସେମାନଙ୍କ ଆକାଉଣ୍ଟ ଅପସାରଣ କରି ଫୋନ୍ ଛଡ଼େଇନେବା ପରେ ସେମାନେ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ସୋସିଆଲ ମିଡିଆରେ କେତେ ନିଶାସକ୍ତ ହେଲେ ତାହା ବିନା ଜୀବନଧାରଣ ଅସମ୍ଭବ ମନେହୁଏ, ଏହି କୋମଳମତି କିଶୋରୀମାନେ ତାହାର କରୁଣ ଦୃଷ୍ଟାନ୍ତ ଛାଡ଼ିଯାଇଛନ୍ତି ଏବଂ ଭବିଷ୍ୟତ ପିଢ଼ି ଏଥିରୁ କିପରି ନିବୃତ୍ତ ରହିବେ ତାହାର ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଆମକୁ ବାଧ୍ୟ କରିଛନ୍ତି । ଆମ ଦେଶର ୨୦୨୫-୨୬ ଅର୍ଥନୈତିକ ସର୍ବେକ୍ଷଣରେ ତିନି ଭଉଣୀଙ୍କ ଆତ୍ମହତ୍ୟା ଦୁର୍ଘଟଣାକୁ "ଡିଜିଟାଲ ନିଶା' ଆଖ୍ୟା ଦିଆଯାଇ ସାର୍ବଜନୀନ ସ୍ୱାସ୍ଥ୍ୟକ୍ଷେତ୍ରରେ ଏହା ଗୁରୁତର ଆହ୍ୱାନ ବୋଲି ଦର୍ଶାଯାଇଛି । ଏହି ସର୍ଭେରେ "ଡିଜିଟାଲ ଆସକ୍ତି'ର ସଂଜ୍ଞା ଏହିଭଳି ନିରୂପଣ କରାଯାଇଛି “ଡିଜିଟାଲ ଉପକରଣ ସହିତ ନିରନ୍ତର, ବାଧ୍ୟତାମୂଳକ, ଅତ୍ୟଧିକ ଜଡ଼ିତ ରହିବା ଫଳରେ ମାନସିକ କ୍ଳେଶ ଓ କାର୍ଯ୍ୟକ୍ଷମତାର ଅବନତି ଘଟେ ଏବଂ ତାହା ଶାରୀରିକ, ମାନସିକ ଏବଂ ବୌଦ୍ଧିକ-ସାମାଜିକ ସ୍ତରରେ ପ୍ରଭାବ ବିସ୍ତାର କରି ବ୍ୟକ୍ତିକୁ ଦୁର୍ବଳ କରିଦିଏ” । କୋମଳମତି ଶିଶୁ ଓ କିଶୋରମାନଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଓ ପରିଣତି ଅତୀବ ଭୟଙ୍କର । ଅଥଚ ଏହି ସର୍ଭେରେ ଏହାର ନିରାକରଣ ନିମନ୍ତେ କୌଣସି ନୀତି ନିର୍ଦ୍ଧାରଣ କରାଯାଇନାହିଁ ।

ଆମେରିକାର ‘କୋପା’ ଆଇନ ଏବଂ ୟୁରୋପୀୟ ସଂଘର "ସାଧାରଣ ତଥ୍ୟ ସୁରକ୍ଷା ଅଧିନିୟମ' ଆଧାରରେ ସାମାଜିକ ଗଣମାଧ୍ୟମ କମ୍ପାନୀମାନଙ୍କ ପାଇଁ ପିଲାଙ୍କର ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ନିମନ୍ତେ ପିତାମାତା ବା ଅଭିଭାବକଙ୍କ ସମ୍ମତି ଅପରିହାର୍ଯ୍ୟ । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ ୧୬ବର୍ଷରୁ କମ୍ ପିଲାମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଲାଗୁ କରିଛି । ଏହାର ବ୍ୟତିକ୍ରମ ହେଲେ କମ୍ପାନୀ ଉପରେ ୪୯.୫ ଅଷ୍ଟ୍ରେଲିଆ ଡଲାର (ଭାରତୀୟ ମୁଦ୍ରାରେ ୩୦୦କୋଟିରୁ ଊଦ୍ଧ୍ୱର୍) ଜରିମାନା ଲାଗୁହେବ । ଆମ ଦେଶରେ Digital Personal Data Protection Act, 2023 (DPDP) ଆଧାରରେ ୧୮ବର୍ଷରୁ କମ୍ ପିଲାମାନଙ୍କର ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ପାଇଁ ପିତାମାତା ବା ଅଭିଭାବକଙ୍କ ସମ୍ମତି ଆବଶ୍ୟକ । ଏହି ଆଇନର ଉଲ୍ଲଙ୍ଘନ ହେଲେ ୨୦୦କୋଟି ଟଙ୍କା ଜରିମାନା ଲାଗୁହେବ । ଆମ ଦେଶରେ କର୍ଣ୍ଣାଟକ ରାଜ୍ୟ ୨୦୨୬- ୨୭ ମସିହା ବଜେଟରେ ୧୬ବର୍ଷରୁ କମ୍ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଲଗାଇଛି । କିନ୍ତୁ ଏହାର ଚୂଡ଼ାନ୍ତ ରୂପରେଖ ଏପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇନାହିଁ । ଆନ୍ଧ୍ରପ୍ରଦେଶରେ ୧୩ବର୍ଷରୁ କମ୍ ପିଲାଙ୍କ ବ୍ୟବହାର ଉପରେ କଟକଣା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଛନ୍ତି । ଆମ ଦେଶରେ ଏଭଳି କଟକଣା କେତେଦୂର ଫଳପ୍ରଦ ହେବ, ତାହା ନେଇ ମନରେ ଆଶଙ୍କା ଆସିବା ସ୍ୱାଭାବିକ । ସରକାର ନିଜକୁ ଚାପମୁକ୍ତ ରଖିବା ପାଇଁ ପିତାମାତା/ଅଭିଭାବକ/ଶିକ୍ଷାନୁଷ୍ଠାନ ଉପରେ ସମସ୍ତ ଦୋଷ ଲଦିଦେବେ ଏଥିରେ ସନ୍ଦେହ ନାହିଁ। କାରଣ କଟକଣାଗୁଡ଼ିକ ଆମ ଦେଶରେ ଫମ୍ପା ବାଣ ସଦୃଶ । ଗୁଟ୍ଖା ଉପରେ କଟକଣା, ପଲିଥିନ ବ୍ୟବହାର ଉପରେ କଟକଣା ଏହାର କେତୋଟି ନମୁନା ମାତ୍ର ।