ନୂଆଦିଲ୍ଲୀ,୨୭।୩: ଆଇନ ଆଖିରେ କେହି ବି ବଡ଼ ନୁହେଁ। ତାଜା ଉଦାହରଣ ଦୁନିଆର ଦ୍ବିତୀୟ ସବୁଠାରୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍‌ଙ୍କ ନିକଟରେ ଦେଖିବାକୁ ମିଳିଛି। ଆମାଜନ୍‌ର ମାଲିକ ଜେଫ୍ ବେଜୋସ୍‌ ଓ ତାଙ୍କ ପାର୍ଟନର ଲରେନ୍ ସାଚେଞ୍ଜଙ୍କ ହେବାକୁ ଯାଉଛି ବିବାହ। ଚଳିତ ବର୍ଷ ମେ’ ମାସରେ ଇଟାଲିର ଭେନିସ୍ ସହରରେ ଆୟୋଜନ ହେବ ଭବ୍ୟ ବିବାହ। ଏହାକୁ ‘ମ୍ୟାରେଜ୍ ଅଫ୍ ସେଞ୍ଚୁରୀ’ ବା ‘ଶତାବ୍ଦୀର ବିବାହ’ ବୋଲି କୁହାଯାଉଛି। ପେଜ୍ ସିକ୍ସର ରିପୋର୍ଟ ଅନୁସାରେ, ଏହି ଇଭେଣ୍ଟ ବେଜୋସ୍‌ଙ୍କ ୪୧୦୦ କୋଟି ମୂଲ୍ୟର ମେଗା ୟାଚ୍‌ ‘କୋରୁ’ରେ ହେବାର ଥିଲା, ଭେନିସ୍‌ର କଡା ନିୟମ ଅନୁସାରେ ଏହି ପ୍ଲାନ୍ ଫେଲ୍ ହୋଇଛି। 

କୋରୁ ଦୁନିଆର ସବୁଠାରୁ ବଡ଼ ୟାଚ୍ ମଧ୍ୟରୁ ଅନ୍ୟତମ, ଯାହାକି ୪୧୫ ଫୁଟ ଲମ୍ବା। ଏଥିରେ କେବଳ ୧୮ ଭିଆଇପି ରହିପାରିବେ, କିନ୍ତୁ ଭେନିସ୍‌ର ଆଇନ ଅନୁସାରେ, ଏତେ ବଡ଼ ୟାଚ୍‌ ସହରର ପ୍ରସିଦ୍ଧ ଗ୍ରାଣ୍ଡ କେନାଲରେ ରହିପାରିବନି। ଏହାକୁ ଅର୍ସେନାଲ ଅଞ୍ଚଳରେ ରଖିବାକୁ ହେବ, ଯାହାକି ଦେଖିବାରେ ସେତେ ସୁନ୍ଦର ନୁହେଁ। 

ଡେଲିମେଲ୍‌ର ରିପୋର୍ଟ ଅନୁସାରେ, ଜେଫ୍ ବେଜୋସ୍‌ ବିଲିୟନ ଡଲାରର ମାଲିକ ହୋଇଥିଲେ ମଧ୍ୟ ଭେନସ୍‌ର ନିୟମକୁ ବଦଳାଇ ପାରିଲେନି। ଫଳରେ ଗ୍ରାଣ୍ଡ କେନାଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେନି। ତେବେ ଜେଫ୍‌ ବେଜୋସ୍‌ଙ୍କ ବିବାହରେ ସାମିଲ ଅତିଥିଙ୍କ ପାଇଁ କରାଯାଇଛି ଖାସ୍ ବ୍ୟବସ୍ଥା। ଭେନିସ୍‌ର ଦୁଇଟି ସବୁଠାରୁ ସୁନ୍ଦର ହୋଟେଲ, ଗ୍ରିଟି ପ୍ୟାଲେସ୍ ଓ ଅମନ୍ ଭେନିସ୍‌କୁ ୨୬ ଜୁନ୍‌ରୁ ୨୯ ଜୁନ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବୁକ୍ ହୋଇସାରିଛି। ଏହି ହୋଟେଲର ଗୋଟିଏ ରୁମ୍‌ର ଦାମ୍ ୨ ଲକ୍ଷରୁ ଆରମ୍ଭ ହୋଇ୨୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତି ରାତିକୁ ରହିଛି।  କିନ୍ତୁ ଅତିଥିଙ୍କ ସୁବିଧା  ଓ ବିଳାସପୂର୍ଣ୍ଣତା ଅନୁସାରେ ଦାମ୍‌ ୧୦ ଗୁଣା ବଢିପାରେ। ଉଲ୍ଲେଖନୀୟ ଯେ, ୬୧ ବର୍ଷୀୟ ଜେଫ୍ ବେଜୋସ୍‌ ଓ ୫୫ ବର୍ଷୀୟ ସାଞ୍ଚେଜ୍  ମଇ ୨୦୨୩ ରେ ଏନଗେଜମେଣ୍ଟ କରିଥିଲେ। ସାଞ୍ଜେଜ୍‌ଙ୍କୁ ୨.୫ ମିଲିୟନ ଡଲାର ମୂଲ୍ୟର ଦାମୀ ଗୋଲାପୀ ହୀରା ମୁଦି ଦେଇ ଜେଫ୍ ବେଜୋସ୍‌ ବିବାହ ପ୍ରସ୍ତାବ ଦେଇଥିଲେ। ଟେକ୍ ବିଲେନିୟର ଜେଫ୍ ବେଜୋସ୍ ୨୦୧୯ ରେ ନିଜ ପ୍ରଥମ ପତ୍ନୀ ମ୍ୟାକୋଞ୍ଜି ସ୍କଟଙ୍କୁ ବିବାହର ୨୫ ବର୍ଷ ପରେ ଛାଡପତ୍ର ଦେଇଥିଲେ। ସେଭଳି ସାଞ୍ଚେଜ୍ ତାଙ୍କ ପୂର୍ବତନ ସ୍ବାମୀଙ୍କୁ ଛାଡପତ୍ର ଦେଇ ଏହି ବିବାହ କରୁଛନ୍ତି।