ନୂଆଦିଲ୍ଲୀ ୦୬/୦୧: ୪୦ତମ ଜନ୍ମଦିନ ପାଳନ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଏ ଅବସରରେ ଦୀପିକାଙ୍କ ଆଗାମି ବଡ଼ ପ୍ରୋଜେକ୍ଟ ‘AA22 x A6’ର ନିର୍ମାତା ଫ୍ୟାନ୍‌ଙ୍କୁ ସର୍‌ପ୍ରାଇଜ୍ ଦେଇଛନ୍ତି । ଫିଲ୍ମର ପ୍ରଡକ୍ସନ୍ ହାଉସ୍ ସନ୍ ନେଟ୍‌ୱାର୍କର ଚ୍ୟାନେଲ୍ ସନ୍ ମ୍ୟୁଜିକ୍ ଫିଲ୍ମରେ ଦୀପିକାଙ୍କ ଫାର୍ଷ୍ଟ ଲୁକ୍ ସାମ୍ନାକୁ ଆଣିଛି । ଏଥିରେ ଦୀପିକା ଜଣେ ଯୋଦ୍ଧା ଚରିତ୍ରରେ ଅଛନ୍ତି । ଖାକି ପୋଷାକରେ ଦୁଇ ହାତରେ ଖଣ୍ଡା ଧରି ଦମ୍‌ଦାର ଆକ୍ସନ୍ ପୋଜ୍ ଦେଇଛନ୍ତି । ସନ୍ ପିକ୍ଚର୍ସ ଏକ୍ସ ପ୍ଲାଟ୍‌ଫର୍ମରେ ଦୀପିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଆଉ ଏକ ପୋଷ୍ଟ୍ ବି ଶେୟାର କରିଛି । ଏଥିରେ ତାଙ୍କର ଅଲଗା ଅନ୍ଦାଜ୍ ଦେଖିବାକୁ ମିଳିଛି । ଏ ଲୁକ୍ ମଧ୍ୟ ଫିଲ୍ମ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି ।

ଆଟ୍‌ଲିଙ୍କ ନିର୍ଦ୍ଦେଶିତ ଏହି ସାଇନ୍ସ-ଫିକ୍ସନ୍ ଫିଲ୍ମରେ ଦୀପିକାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଅଲ୍ଲୁ ଅର୍ଜୁନ । ଏଥିସହ ରଶ୍ମିକା ମନ୍ଦାନା, ଜାହ୍ନବୀ କପୁର ଓ ମୃଣାଳ ଠାକୁର ବି ଅଛନ୍ତି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ଏକାଧିକ ଭୂମିକାରେ ପରଦାକୁ ଆସିବେ । ଅସ୍ଥାୟୀ ଭାବେ ଫିଲ୍ମର ଟାଇଟଲ୍ ‘AA22 x A6’ ରଖାଯାଇଛି । ଦୀପିକାଙ୍କ ଜନ୍ମଦିନ ଅବସରରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ଫ୍ୟାନ୍‌ଙ୍କ ସହ କେକ୍ କାଟି ଜନ୍ମଦିନ ପାଳନ କରୁଛନ୍ତି ।