ନୂଆଦିଲ୍ଲୀ ୧୧/୦୨: ରାଜା ମହାରାଜାଙ୍କ ଜୀବନ ସର୍ବଦା ଆଲୋଚନାର ବିଷୟ ହୋଇ ରହିଛି । ସେମାନଙ୍କ ଜୀବନଶୈଳୀ, ଖାଦ୍ୟପେୟ, ପୋଷାକ ବିଷୟରେ ଜାଣିବାକୁ ଲୋକେ ସର୍ବଦା ଇଚ୍ଛୁକ । ରାଜା-ମହାରାଜାଙ୍କ ଭୋଜି କେମିତି ଥିଲା, କି କି ବ୍ୟଞ୍ଜନ ପ୍ରସ୍ତୁତ ହେଉଥିଲା? ଏସବୁ ପ୍ରଶ୍ନର ଉତ୍ତର ଇତିହାସ ପୃଷ୍ଠାରେ ମିଳେ । ଏହି କ୍ରମରେ ପ୍ରାୟ ୧୩୦ ବର୍ଷ ପୁରୁଣା ଏକ ମେନ୍ୟୁ ଭାଇରାଲ ହେଉଛି । ଐତିହାସିକ ନେହା ବର୍ମାନୀ ଏହି ରାଜକୀୟ ବ୍ୟଞ୍ଜନ ତାଲିକା ଶେୟାର କରିଛନ୍ତି, ଯାହା ଭାରତୀୟଙ୍କୁ ଚକିତ କରିଛି । ନେହା ଦକ୍ଷିଣ ଏସିଆ ମୋଗଲ-କାଳ ଓ ଏହାର ଖାଦ୍ୟପେୟ ପରମ୍ପରା ଉପରେ ଅଧ୍ୟୟନ କରୁଛନ୍ତି । ଏହି ମେନ୍ୟୁ ୧୮୯୭ ମସିହା, ଜାନୁଆରୀ ୩୧ର ଏକ ରାଜକୀୟ ଭୋଜିର । ଗ୍ୱାଲିୟର ମହାରାଜା ସିନ୍ଦିଆଙ୍କ ସମ୍ମାନରେ ବଡୋଦରା ମହାରାଜା ଏହି ଭୋଜିର ଆୟୋଜନ କରିଥିଲେ । ବ୍ରିଟିଶ ଶାସନ କାଳରେ ଗୁଜରାଟ ସ୍ଥିତ ଭବ୍ୟ ଲକ୍ଷ୍ମୀ ବିଳାସ ପ୍ୟାଲେସ୍ରେ ଭୋଜି ଆୟୋଜିତ ହୋଇଥିଲା ।
ବର୍ମାନୀ କହନ୍ତି, ବ୍ରିଟିଶ କାଳର ସେହି ଭୋଜିର ବ୍ୟଞ୍ଜନ ତାଲିକା ଆଜି ବି ଆମେରିକାର ଏକ ଅଭିଲେଖାଗାରରେ ସଂରକ୍ଷିତ ଅଛି, ଯାହା ସବୁରି ଧ୍ୟାନ ଆକର୍ଷଣ କରିଛି । ଭୋଜିର ବ୍ୟଞ୍ଜନ ତାଲିକା ୟୁରୋପୀୟ ରୋଷେଇ ପୁସ୍ତକର ଏକ ପୃଷ୍ଠା ଭଳି ମନେହେଉଛି । ଆଲ୍ମଣ୍ଡ କଷ୍ଟାର୍ଡରୁ ଖାଦ୍ୟ ଆରମ୍ଭ ହୋଇଥିଲା । ମାୟୋନିଜ ସସ୍ ସହ ମାଛ ପରସା ଯାଇଥିଲା । ଟ୍ରଫଲ୍ରେ ସୁସଜ୍ଜିତ ଚିକେନ୍ ସୁପ୍, ତା’ପଛକୁ ଆସିଥିଲା ଇଟାଲିଆନ୍-ଶୈଳୀ ମଟନ୍ କଟ୍ଲେଟ୍ । ମୁଖ୍ୟ ବ୍ୟଞ୍ଜନରେ ଥିଲା ମଟରଯୁକ୍ତ ରୋଷ୍ଟେଡ୍ ପାଟ୍ରିଜ୍, ଯାହା ଫ୍ରାନ୍ସ ରାଜକୀୟ ଖାଦ୍ୟପେୟର ଝଲକ୍ ପ୍ରଦାନ କରେ । ତା’ପରେ ଆସିଥିଲା ଡେମି-ଗ୍ଲାସ୍ରେ ସୁସଜ୍ଜିତ ଆର୍ଟିଚୋକ୍ ।
ପରିବା ଓ ଚାଉଳରେ ପ୍ରସ୍ତୁତ ଏକ ତରକାରୀ ବି ଥିଲା, ଯାହାକୁ ଫ୍ରେଞ୍ଚ୍ ଶୈଳୀରେ ନୂଆ ନାଁ ଦିଆଯାଇଥିଲା । ମିଠାରେ କ୍ରିମ୍ଯୁକ୍ତ ସେଓ ଓ ପିସ୍ତା ଆଇସ୍କ୍ରିମ୍ ଭୋଜିକୁ ରାଜକୀୟ ଶୈଳୀରେ ଶେଷ କରିଥିଲା । ଭୋଜି ସମ୍ପୂର୍ଣ୍ଣ ରୂପେ ବିଦେଶୀ ବ୍ୟଞ୍ଜନରେ ପରିପୂର୍ଣ୍ଣ ଥିଲା । ଗୋଟିଏ ବି ପାରମ୍ପରିକ ଭାରତୀୟ ବ୍ୟଞ୍ଜନ ଏଥିରେ ଦେଖିବାକୁ ମିଳିନଥିଲା । ପାରମ୍ପରିକ ରୂପେ ଏହା ମୋଗଲ କିମ୍ବା ସମ୍ପୂର୍ଣ୍ଣ ଭାରତୀୟ ଖାଦ୍ୟ ନ ଥିଲା । ଭୋଜିର ଉଦ୍ଦେଶ୍ୟ ଆଉ କିଛି ଥିଲା ବୋଲି ଏଥିରୁ ଅନୁମାନ କରାଯାଏ ।
ଆହୁରି ପଢ଼ନ୍ତୁ...ଭାରତ-ୟୁଏସ୍ ଟ୍ରେଡ୍ ଡିଲ୍ରେ ଆମେରିକାର ସାଇଲେଣ୍ଟ ୟୁ-ଟର୍ଣ୍ଣ, ଫ୍ୟାକ୍ଟ ସିଟ୍ ବଦଳାଇଲା ହ୍ୱାଇଟ୍ ହାଉସ୍
ଉନବିଂଶ ଶତାବ୍ଦୀ ଶେଷ ସୁଦ୍ଧା ଭାରତୀୟ ଗଡ଼ଜାତ ରାଜ୍ୟଗୁଡ଼ିକ ବିଶ୍ୱ ସଂସ୍କୃତି ସହ ଗଭୀର ଭାବେ ଯୋଡ଼ି ହୋଇଥିଲେ । ଫ୍ରେଞ୍ଚ୍ ସେଫ୍ମାନେ ରାଜାମହାରାଜାଙ୍କ ପାକଶାଳାରେ କାମ କରୁଥିଲେ । ଇଂରାଜୀ ଭୋଜନ ଶିଷ୍ଟାଚାର ସେବାରେ ଝଲସୁଥିଲା । ଔପନିବେଶିକ ବାଣିଜ୍ୟ ମାର୍ଗ ଦେଇ ବିଦେଶରୁ ରୋଷଇ ସାମଗ୍ରୀ ଆସୁଥିଲା । ବ୍ୟଞ୍ଜନ ତାଲିକା ଇଂରାଜୀ ଓ ଫ୍ରେଞ୍ଚ୍ ଭାଷାରେ ମୁଦ୍ରିତ ହୋଇଥିଲା । ଖାଦ୍ୟ କୂଟନୀତିର ଏକ ରୂପ ହୋଇଥିଲା, ଯାହା ୟୁରୋପୀୟ ଅଧିକାରୀ ଓ ଭାରତର ରାଜା-ମହାରାଜାଙ୍କ ମଧ୍ୟରେ ସ୍ପଷ୍ଟ ବାର୍ତ୍ତାଳାପର ମାଧ୍ୟମ ହୋଇଥିଲା । ସେତେବେଳେ ରାଜ ଦରବାରମାନଙ୍କରେ ଏଭଳି ବ୍ୟଞ୍ଜନ ସାଧାରଣ ଥିଲା । ହାଇଦ୍ରାବାଦ, ମହୀଶୂର ଓ ଟ୍ରାଭାନକୋର ରେକର୍ଡରୁ ଭାରତୀୟ ବ୍ୟଞ୍ଜନ ସହିତ କ୍ଲିୟର ସୁପ୍, କଟ୍ଲେଟ୍, ପୁଡିଂ ଓ ଆଇସ୍କ୍ରିମ୍ ଭଳି ସମାନ ବ୍ୟଞ୍ଜନ ଶୈଳୀର ପ୍ରମାଣ ମିଳେ । ଭୋଜନାଳୟରେ ୟୁରୋପୀୟ ଡାଇନିଂ ଟେବଲ୍ ସରଞ୍ଜାମ ବ୍ୟବହୃତ ହେଉଥିଲା । ବ୍ୟଞ୍ଜନରେ କଣ୍ଟିନେଣ୍ଟାଲ ଖାଦ୍ୟ ପରସା ଯାଉଥିଲା । ଏଥିରୁ ସ୍ପଷ୍ଟ ବାର୍ତ୍ତା ଯାଉଥିଲା ଯେ ଭାରତୀୟ ରାଜାମହାରାଜା କେବଳ ପ୍ରାନ୍ତୀୟ ଶାସକ ନ ଥିଲେ, ବରଂ ବିଶ୍ୱସ୍ତରୀୟ ଚେହେରା ଥିଲେ ।