ସମ୍ବଲପୁର, ୧୬/୫ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସମ୍ବଲପୁରଠାରେ ‘ଅପରେସନ ସିନ୍ଦୂର’ର ସଫଳତା ତଥା ଭାରତର ସେନାବାହିନୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆୟୋଜିତ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦଳର କାର୍ଯ୍ୟ କର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇ ମୁଁ ଗର୍ବ ଅନୁଭବ କରୁଛି । ଏହି ଶୋଭାଯାତ୍ରା ଅପରେସନ ସିନ୍ଦୂରର ସଫଳତା, ଦେଶର ସୈନ୍ୟଶକ୍ତିର ଶୌର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇବାର ମହାନ ଅବସର । ‘ଅପରେସନ ସିନ୍ଦୂର’ ଜରିଆରେ ଭାରତର ପରାକ୍ରମକୁ ସାରା ବିଶ୍ୱ ଦେଖିଛି । ଭାରତର ସୈନିକ ଶକ୍ତି ନିଜର ପରାକାଷ୍ଠା ଦେଖାଇଛି । ଆମର ଭାରତୀୟ ସେନାମାନେ ନିପୁଣତାର ସହ ଆତଙ୍କବାଦୀ ତଥା ସେମାନଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଉଚିତ୍ ଜବାବ୍ ଦେଇଛି । 'ଅପରେସନ ସିନ୍ଦୂର'ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମରିକ ଶକ୍ତି କ୍ଷେତ୍ରରେ ବିଶ୍ୱରେ ନୂଆ ପରିଚୟ ତିଆରି କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଏବଂ ଭାରତୀୟ ସେନାର ଅଦମ୍ୟ ସାହସ ପାଇଁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
‘ପରାକ୍ରମ ଶୋଭାଯାତ୍ରା’ରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଏବଂ ଶହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ, ବୀର ସୁରେନ୍ଦ୍ର ସାଏ ଓଡ଼ିଶାର ଶୌର୍ଯ୍ୟମୟ ପରିଚୟର ଅନନ୍ୟ ପ୍ରତୀକ । ତାଙ୍କର ଅଦ୍ୱିତୀୟ ସାଂଗଠନିକ ଶକ୍ତି ଓ ରଣକୌଶଳ ଓଡିଆ ଜାତିର ବୀରତ୍ୱର ପ୍ରତିଫଳନ । ତାଙ୍କର ତ୍ୟାଗ, ଶୌର୍ଯ୍ୟ ଓ ପରାକ୍ରମ ସର୍ବଦା ଆମର ଯୁବପିଢିମାନଙ୍କୁ ପ୍ରେରିତ କରିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାୟକ, ବିଜେପି କାର୍ଯ୍ୟକର୍ତ୍ତା ଓ ଜନସାଧାରଣମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ‘ଜୟ ହିନ୍ଦ୍’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ ସମ୍ବଲପୁର ଗୁଞ୍ଜରିତ ହୋଇଥିଲା ।