ନୂଆଦିଲ୍ଲୀ ୩୧/୦୩: ସୁନା ଓ ହୀରାକୁ ଧନର ପ୍ରତୀକ ବିବେଚନା କରାଯାଏ । କିନ୍ତୁ ଏକ ବିରଳ  କାଠ ଅଛି, ଯାହା ସୁନା ଓ ହୀରାଠୁ ମଧ୍ୟ ମୂଲ୍ୟବାନ । ଏହାର ମାତ୍ର ୧୦ ଗ୍ରାମ୍‌ର  ମୂଲ୍ୟ ୧ କିଲୋ ସୁନାର ମୂଲ୍ୟ ସହ  ସମାନ । କାଇନମ୍‌ ନାମରେ ପରିଚିତ  ଅନନ୍ୟ ପ୍ରଜାତିର ଅଗର୍‌ଉଡ୍‌କୁ  ପୃଥିବୀର ସବୁଠୁ ବିରଳ ଓ ମହଙ୍ଗା  କାଠ ରୂପେ ବିବେଚନା କରାଯାଏ ।  ଏହାକୁ ‘ଭଗବାନଙ୍କ କାଠ’ ଭାବେ ମଧ୍ୟ   ସମ୍ବୋଧନ କରାଯାଏ ।  

ଅଗର୍‌ଉଡ୍‌ ସାଧାରଣତଃ ଦକ୍ଷିଣପୂର୍ବ ଏସିଆ, ଭାରତ,  ଚୀନ୍‌ ଓ ମଧ୍ୟ-ପୂର୍ବରେ ଦେଖିବାକୁ ମିଳେ । ଅତ୍ୟନ୍ତ   ସୁନ୍ଦର ବାସ୍ନା ଏହାର ମୁଖ୍ୟ ବିଶେଷତ୍ୱ । ପର୍‌ଫ୍ୟୁମ୍‌  ବା ଅତର ଉଦ୍ୟୋଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ କରେ । ଖାସ୍‌କରି ଉଚ୍ଚ ଚାହିଦାଯୁକ୍ତ ସୁଗନ୍ଧିତ  ତୈଳ ‘ଅଉଡ୍‌’ର ଉତ୍ପାଦନରେ ଏହାର ଭୂମିକା ରହିଛି ।  ତେବେ ଅଗର୍‌ଉଡ୍‌ ପ୍ରଜାତିରେ କାଇନମ୍‌ ଅତ୍ୟନ୍ତ  ଦୁର୍ଲଭ କିସମର କାଠ । ଅଭାବ ଓ ଅଦ୍ୱିତୀୟ ସୁଗନ୍ଧ  ଏହାକୁ ଦୁର୍ଲଭ ସମ୍ପତ୍ତିର ମାନ୍ୟତା ଦେଇଛି । ସେଥିପାଇଁ   ଏହାର ମୂଲ୍ୟ ବି ଆକାଶଛୁଆଁ ହୋଇଛି । 

ଅଲ୍‌ ଜଜୀରା ରିପୋର୍ଟ ଅନୁସାରେ, କେବଳ ୧୦ ଗ୍ରାମ୍‌ର   କାଇନମ୍‌ କାଠର ମୂଲ୍ୟ ୮୫.୬୩ ଲକ୍ଷ । ଏହି କାରଣ   ପାଇଁ ବିଶ୍ୱର ସବୁଠୁ ମହଙ୍ଗା ପ୍ରାକୃତିକ ଉପାଦାନ ଭାବେ ଏହା ଖ୍ୟାତି ଅର୍ଜନ କରିଛି । ଏହି ଟଙ୍କାରେ ୧ କିଲୋ  ସୁନା କିଣାଯାଇ ପାରିବ । ଅଦ୍ୟାବଧି ବିକ୍ରି ହୋଇଥିବା  କାଇନମ୍‌ କାଠ ମୂଲ୍ୟ ଶୁଣିଲେ ଆପଣ ଚକିତ ହେବେ ।  ୬୦୦ ବର୍ଷ ପୁରୁଣା କାଇନମ୍‌ର ୧୬ କିଲୋ ଓଜନର  ଖଣ୍ଡେ କାଠ ୧୭୧ କୋଟିରେ ବିକ୍ରି ହୋଇଛି । 

ଅଗରଉଡ୍‌ ପ୍ରସ୍ତୁତିର ଜଟିଳ ଓ ଅପ୍ରତ୍ୟାଶିତ ପ୍ରକ୍ରିୟା  କାଇନମ୍‌ର ଅସାଧାରଣ ମୂଲ୍ୟ ପଛର କାରଣ ।  ପ୍ରାକୃତିକ ରୂପେ ଅଗର୍‌ଉଡ୍‌ ଉତ୍ପନ୍ନ କରୁଥିବା  ଆକ୍ୱିଲାରିଆ ଗଛ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ପ୍ରକାର  ମୋଲ୍ଡ ଦ୍ୱାରା ସଂକ୍ରମଣ ଦେଇ ଗତି  କରେ, ରୂପାନ୍ତରଣ ହୁଏ । ଏହା ଦ୍ୱାରା  ଗଛ ଏକ ଗାଢ୍‌, ସୁଗନ୍ଧିତ ତରଳ ସ୍ରାବ  କରେ, ଯାହା ଧୀରେ ଧୀରେ କାଠକୁ  ସୁଗନ୍ଧିତ ଓ ମୂଲ୍ୟବାନ ପଦାର୍ଥରେ  ରୂପାନ୍ତରିତ କରେ । ଏହି ପ୍ରକ୍ରିୟାରେ  ଦୀର୍ଘ ଦଶନ୍ଧିର ସମୟ ଲାଗେ ।  ଅଗର୍‌ଉଡ୍‌ ଗଛର କେବଳ ଗୋଟିଏ  ଅଂଶ ଏହି ମୂଲ୍ୟବାନ ତରଳକୁ ଏତେ  ଶୁଦ୍ଧ ଭାବେ ବିକଶିତ କରେ ଏହାକୁ  କାଇନମ୍‌ ଭାବେ ବର୍ଗୀକୃତ କରାଯାଏ । 

ମଧ୍ୟ-ପୂର୍ବରୁ ଅଗର୍‌ଉଡ୍‌ର କିଛି ଖଣ୍ଡକୁ ପାରମ୍ପରିକ  ରୂପେ ଅତିଥିଙ୍କୁ ସ୍ୱାଗତ କରିବା ଓ ଦୀର୍ଘକାଳୀନ  ସୁଗନ୍ଧ ପାଇଁ ଜଳାଯାଏ । କୋରିଆରେ ଔଷଧୀୟ  ୱାଇନ୍‌ରେ ଏହି କାଠ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।  ଜାପାନ ଓ ଚୀନ୍‌ରେ ଆଧ୍ୟାତ୍ମିକ ଓ ଅନ୍ୟ ଉତ୍ସବ  ଆଦିରେ ଏହାର ଉପଯୋଗ ହୁଏ । ଭାରତରେ  ଆସାମକୁ ଦେଶର ଅଗର୍‌ଉଡ୍‌ ରାଜଧାନୀ ଭାବେ  ବିବେଚନା କରାଯାଏ । ଏଠାରେ ସ୍ଥାନୀୟ ଚାଷୀ ଏହି ଗଛ ଚାଷ କରନ୍ତି । ତେବେ, ଅଗର୍‌ଉଡ୍‌ର ଚାହିଦା  ବୃଦ୍ଧି ଓ ବିରଳତା ଏହାର ସଂରକ୍ଷଣ ପ୍ରୟାସକୁ  ଆହୁରି ଜଟିଳ କରିଛି ।