ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ବୁଲା କୁକୁର ମୁକ୍ତ ହେବ ବୋଲି ଚର୍ଚ୍ଚା ହେଉଛି । ଅଗଷ୍ଟ ୧୧ରେ ଆସିଥିବା ସୁପ୍ରିମକୋର୍ଟଙ୍କ ଏକ ରାୟ ପଶୁ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ କେତେକଙ୍କୁ ଆଶ୍ବସ୍ତ କରିଛି । ଲୋକେ ବୁଲା କୁକୁର ଭୟରୁ ମୁକ୍ତି ପାଇବେ ବୋଲି ମଧ୍ୟ କୁହାଯାଉଛି । କିନ୍ତୁ ଏହି ମାମଲାରେ ପୁଣି ଥରେ ଶୁଣାଣି କରିଥିବା ବେଳେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳକୁ ପଠାଇବା ଏବଂ ବନ୍ଧ୍ୟାକଣ ନିଷ୍ପତ୍ତି ସଂପର୍କରେ ଚୂଡ଼ାନ୍ତ ରାୟ ଆସିଲେ ସ୍ଥିତି ସ୍ପଷ୍ଟ ହୋଇଯିବ ।
ବୁଲା କୁକୁରଙ୍କୁ ସେଲଟର ହୋମ୍କୁ ପଠାଇବା ଉପରେ ବିତର୍କ ଚାଲିଥିବା ବେଳେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏସବୁ ମଧ୍ୟରେ ନେଦରଲ୍ୟାଣ୍ଡକୁ ଉଦାହରଣ ଭାବରେ ଗ୍ରହଣ କରାଯାଇଛି । କେମିତି ବୁଲା କୁକୁର ମୁକ୍ତ ହେଲା ନେଦରଲ୍ୟାଣ୍ଡ ? ସେଠାକାର ଲୋକେ କିଭଳି ବୁଲା କୁକୁର ଏବଂ ରାବିଜ୍ରୁ ମୁକ୍ତି ପାଇଲେ ? ଏସବୁ ପ୍ରସଙ୍ଗ ଏବେ ଭାରତରେ ଚର୍ଚ୍ଚାର ପରିସରକୁ ଆସିଛି ।
ଏବେ ନେଦରଲ୍ୟାଣ୍ଡକୁ ବିଶ୍ୱର ପ୍ରଥମ ଦେଶ ବୋଲି କୁହାଯାଉଛି, ଯେଉଁଠାରେ ପ୍ରାୟ କୌଣସି ବୁଲା କୁକୁର ନାହାନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଭିଯାନ ସମୟରେ ନା କୁକୁରମାନଙ୍କୁ ହତ୍ୟା କରାଯାଇଥିଲା ନା ସେମାନଙ୍କ ସହିତ ଅମାନବୀୟ ବ୍ୟବହାର କରାଯାଇଥିଲା। ତେବେ କିପରି ନେଦରଲ୍ୟାଣ୍ଡ ବୁଲା କୁକୁରଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହେଲା, ଆସନ୍ତୁ ଜାଣିବା ।
ଅତୀତରେ ନେଦରଲ୍ୟାଣ୍ଡରେ କୁକୁରକୁ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରାଯାଉଥିଲା । ଧନୀ ଲୋକଙ୍କ ଘରେ କୁକୁର ରଖିବାର ପରମ୍ପରା ଥିଲା । ଉନବିଂଶ ଶତାବ୍ଦୀରୁ ପରିସ୍ଥିତି ଆହୁରି ଖରାପ ହୋଇଗଲା। ରାବିଜ୍ ମାମଲାର ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଲା । ଏହା ଏକ ମହାମାରୀର ରୂପ ନେଲା । ଫଳରେ ଲୋକମାନେ ଭୟରେ ଘରେ ରଖିଥିବା କୁକୁରଙ୍କୁ ରାସ୍ତାରେ ଛାଡ଼ିଲେ । କୁକୁରଙ୍କ ପ୍ରତି ଲୋକଙ୍କ ଚିନ୍ତାଧାରା ପରିବର୍ତ୍ତନ ହେବାରେ ଲାଗିଲା । ପ୍ରଥମେ କୁକୁରଙ୍କୁ ହତ୍ୟା କରାଯାଉଥିଲା । କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ମିଳିଲା ନାହିଁ । ଧୀରେ ଧୀରେ ନେଦରଲ୍ୟାଣ୍ଡ ସରକାର ଏବଂ ଲୋକମାନେ ବୁଝିପାରିଲେ ଯେ, କୁକୁରଙ୍କୁ ହତ୍ୟା କରିବା ସମସ୍ୟାର ସମାଧାନ ନୁହେଁ ।
କୁକୁର ସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ପୋଷା କୁକୁର ପାଇଁ ପଞ୍ଜୀକରଣ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରାଯାଇଥିଲା । ଅନେକ ସହରରେ କିଣାଯାଉଥିବା କୁକୁର ଉପରେ ଅତ୍ୟାଧିକ ଟିକସ ଲାଗୁ କରାଯାଇଥିଲା । ଏହା ଦ୍ୱାରା ଲୋକମାନେ ବାହାରୁ କିଣିବା ପରିବର୍ତ୍ତେ ଆଶ୍ରୟସ୍ଥଳରୁ କୁକର ନେଉଥିଲେ । ବୁଲା କୁକୁରଙ୍କୁ ପୋଷା କୁକୁର ଭାବରେ ଗ୍ରହଣ କରିବାକୁ ଲୋକମାନଙ୍କୁ ଉତ୍ସାହିତ କରାଯାଇଥିଲା । ଏନଜିଓ ଏବଂ ସ୍ଵେଚ୍ଛାସେବୀମାନେ ହଜାର ହଜାର କୁକୁରଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ।
ପଶୁମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରୁଥିବା ଲୋକଙ୍କ ଉପରେ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଥିଲା। ଧୀରେ ଧୀରେ ଏହାର ପ୍ରଭାବ ଦେଖାଯିବା ଆରମ୍ଭ ହେଲା । ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ ପାଇଲା । ସରକାର ବୁଲା କୁକୁରଙ୍କ ଭୟକୁ ଗମ୍ଭୀରତାର ସହ ନେଇଥିଲେ ଏବଂ କୁକୁରଙ୍କ ସଂଖ୍ୟା କମ କରିବାକୁ ମାଗଣା ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ କରିଥିଲେ । ଏହା ସହିତ, ସୁସ୍ଥ କୁକୁରମାନଙ୍କୁ ହତ୍ୟା ନକରିବା ପାଇଁ ଏକ ନୀତି ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ସମୟ କ୍ରମେ ବୁଲା କୁକୁର ମୁକ୍ତ ହୋଇଥିଲା ନେଦରଲ୍ୟାଣ୍ଡ ।