ଆଠଗଡ଼, ୧୦/୦୪ : ଚୋରା ଗୋମାଂସ ଚାଲାଣର ନୂଆ ଠିକଣା ପାଲଟିଛି ଆଠଗଡ଼। ଶୂନଶାନ୍ ରାତିରେ ସକ୍ରିୟ ହେଉଛନ୍ତି ମାଫିଆ। ରାତି ଅନ୍ଧାରର ସୁଯୋଗ ନେଇ ବେଧଡ଼କ ଭାବେ ଚାଲିଛି ଗୋଚାଲାଣ। ଆଠଗଡ଼ ତିଗିରିଆ, ଢେଙ୍କାନାଳ ସଦର ତଥା ବାଙ୍କୀ ଅଞ୍ଚଳରୁ ଗୋରୁ କିଣି ଆଠଗଡ଼ ଥାନା ରେଗେଡାପଡା ଗୋଚର ପଡ଼ିଆ ପଟାସ ଜଙ୍ଗଲରେ ଗୋରୁଙ୍କୁ ଠୁଳ କରୁଛନ୍ତି ବେପାରୀ। ଏହାପରେ ବିଳମ୍ଵିତ ରାତିରେ ଗୋରୁଙ୍କୁ କାଟି କରାଯାଉଛି ମାଂସ ଚାଲାଣ। ଏନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। 

ସୂଚନାନୁଯାୟୀ, ଗତ ବର୍ଷ ଡିସେମ୍ବର ମାସରେ ତିଗିରିଆ ଥାନା ଅନ୍ତର୍ଗତ ବାରମାଣ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ପାଖାପାଖି ୭୦୦ ଗୋରୁଙ୍କୁ ଉଦ୍ଧାର କରିଥିଲା କଟକ ଗ୍ରାମାଞ୍ଚଳ ପୋଲିସ। ଗ୍ରାମାଞ୍ଚଳ ଏସପି ପ୍ରତୀକ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହୋଇଥିଲା ଚଢାଉ। ଏହାପରେ କିଛି ଦିନ ପାଇଁ ନୀରବ ହୋଇଯାଇଥିଲେ ଗୋରୁ ମାଫିଆ। ଏପରିକି ଆଠଗଡ଼ ଅଞ୍ଚଳରୁ ଗୋଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ବୋଲି ସାଧାରଣରେ ହେଉଥିଲା ଚର୍ଚ୍ଚା। ହେଲେ ଏବେ ଆଠଗଡ଼ ଅଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି ଗୋରୁ ମାଫିଆ। ରେଗେଡାପଡାର ଗୋଚର ପଡ଼ିଆ ବା ଯାତ୍ରା ପଡ଼ିଆ ନିକଟରେ ଥିବା ପଟାସ ଜଙ୍ଗଲରେ ଚାଲିଛି ମାଂସ କାରବାର। ଯାହାକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।  

ଏହି ଖବରଟିକୁ ପଢନ୍ତୁ-ପିକଅପ୍ ଭ୍ୟାନ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ