କଟକ, ୩୦/୧୨ : ଆସନ୍ତା ଫେବ୍ରୁଆରୀ ୨୧ରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା । ଏଥର ପରୀକ୍ଷାରେ ବସିବାକୁ ଯାଉଥିବା ପାଞ୍ଚ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତିକୁ ସହଜ ଓ ଶାଣିତ କରାଇବା ନିମନ୍ତେ ସୋମବାର ଠାରୁ ପ୍ରକାଶ ପାଉଛି ‘ପ୍ରମେୟ ମାଟ୍ରିକ୍‌ ଗାଇଡ୍‌’ର ନବମ ସଂସ୍କରଣ । 

ମାଟ୍ରିକ୍‌ ପରୀକ୍ଷାର ଢାଞ୍ଚା ଇତିମଧ୍ୟରେ ବଦଳିଥିବା ହେତୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପ୍ରସ୍ତୁତି ବି ବଦଳିବା ଦରକାର ବୋଲି ଅନୁଭବ କରି ‘ପ୍ରମେୟ’ ଏଥର ନୂଆ ଧାରାରେ ଏହି ଗାଇଡ୍‌ ପ୍ରସ୍ତୁତ କରିଛି । ଯେଉଁଥିରେ ବିଷୟୱାରି ଆଦର୍ଶ ପ୍ରଶ୍ନୋତ୍ତର ସହ ସମ୍ଭାବ୍ୟ ନମୁନା ପ୍ରଶ୍ନ ଓ ପରୀକ୍ଷା ଟିପ୍‌ସ୍‌ ବା ସଫଳତାର ସୂତ୍ରମାନ ରହିବ । ବିଗତ ୮ ବର୍ଷ ଧରି ଏହି ଗାଇଡ୍‌କୁ ସଯତ୍ନ ପ୍ରସ୍ତୁତ କରି ଆସୁଥିବା ଅଭିଜ୍ଞ ବିଷୟ-ବିଶାରଦ ଶିକ୍ଷକମାନେ ଏଥର ୪୮ ଦିନର କ୍ରାସ୍‌ କୋର୍ସ ରୂପରେ ଏହାକୁ ପ୍ରସ୍ତୁତ କରିଛନ୍ତି । ୨୦୧୭ ମସିହାରେ ରାଜ୍ୟରେ ପ୍ରଥମକରି ଆରମ୍ଭ ହୋଇଥିବା ‘ପ୍ରମେୟ ମାଟ୍ରିକ୍‌ ଗାଇଡ୍‌’ ପୂର୍ବ ବର୍ଷମାନଙ୍କ ଭଳି ଏଥର ବି ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କ ଆସ୍ଥା ଜିତିବାରେ ସବା ଆଗରେ ରହିବ ବୋଲି ବିଶ୍ୱାସ ।