ଆମ କଥା ଭାଷା, ବ୍ୟବହାର ଆମ ବ୍ୟକ୍ତିତ୍ୱକୁ ସ୍ୱତନ୍ତ୍ର କରି ଗଢ଼ିତୋଳେ । ଆମେ ଯେତେ ସଫଳତା ଅର୍ଜନ କଲେ ବି ଯେତେ ଡିଗ୍ରୀ ଉପାଧି ହାସଲ କରିଥିଲେ ବି କଥାବାର୍ତ୍ତା ବ୍ୟବହାରରେ ଯଦି ମଧୁରତା ନାହିଁ, ଆଉ ମୁଖମଣ୍ଡଳରେ ହସ ନାହିଁ, ସବୁକିଛି ବୃଥା । ତୁଣ୍ଡରେ ମଧୁର ବଚନ ଥିଲେ ସାରା ଦୁନିଆ ତୁମର । ମିଠା ମିଠା ସ୍ନେହ ଆଦରବୋଳା କଥାରେ ଶତ୍ରୁ ବି ହୋଇଯାଏ ମିତ୍ର । ଭାଙ୍ଗିଯାଇଥିବା ସମ୍ପର୍କ ପୁନଃ ହୋଇଯାଏ ଯୋଡ଼ି । ଏଣୁ ସାମ୍ନାରେ ଥିବା ବ୍ୟକ୍ତି କ'ଣ ପ୍ରତିକ୍ରିୟା ଦେବେ ତାହା ଆମେ ବିଚାର କରି କହିବା । ତୁଣ୍ଡର ଶବ୍ଦ ଆମର ମନ ଏବଂ ଆଖପାଖ ପରିବେଶକୁ ପ୍ରଭାବିତ କରେ । ବହୁତ ଗୁଡ଼ିଏ ଶବ୍ଦ ଆଖପାଖରେ ସୃଷ୍ଟି କରେ ଅରୁଚିକର ପରିବେଶ । ଶବ୍ଦର ପ୍ରୟୋଗ ସ୍ଥାନ-କାଳ-ପାତ୍ର ବିଚାରରେ ନିତାନ୍ତ ଜରୁରି । ଶବ୍ଦଗୁଡ଼ିକ ଆମ ଶରୀରର ଆଭ୍ୟନ୍ତରୀଣ ପ୍ରଦେଶକୁ ବି ପ୍ରଭାବିତ କରେ । ଅନେକ ସମୟରେ ଭୁଲ୍ବଶତଃ କହିଦେଇଥିବା କଥାଟି ମନ ମସ୍ତିଷ୍କକୁ ଆଚ୍ଛନ୍ନ କରି ଅସ୍ତବ୍ୟସ୍ତ କରିପକାଏ । ବାୟୁମଣ୍ଡଳରେ ଯେମିତି ଅନେକ ପ୍ରକାର ଧୂଆଁଧୂଳି, ବିଷାକ୍ତ କଣିକା ଏକତ୍ରିତ ହୋଇ ପ୍ରଦୂଷିତ କରନ୍ତି ଠିକ୍ ସେମିତି ମନର କ୍ରୋଧ ଈର୍ଷା, ଘୃଣା ସନ୍ଦେହ କାରଣରୁ ଆମ ଗଳା ହୁଏ ପ୍ରଦୂଷିତ । ପରିଶେଷରେ ତୁଣ୍ଡରେ ଉତୁରି ଆସେ କଟୁ ବଚନ । ଏହା ବଚନ ନୁହେଁ ତ ବାଣ ସଦୃଶ, ଯାହା ଜାଳି ପୋଡ଼ି ଛାରଖାର କରିପାରେ ।
ବାକ୍ୟବାଣରୁ ଘୋର ଅନର୍ଥର କାରଣ ସାଜିବ, ଏ କଥାକୁ ଆଦୌ ଏଡ଼ାଇ ଦେଇହେବନି । ଏଣୁ ବାକ୍ ସଞ୍ଜମତା ନିତାନ୍ତ ଜରୁରି । ଗୋଟେ ସହରରେ ଜଣେ ସାଦାସିଧା ଭଦ୍ର ବ୍ୟକ୍ତି ରହୁଥିଲେ । ତାଙ୍କର ଯେମିତି ସ୍ୱଭାବ ତାଙ୍କ ପରିବାରର ଲୋକେ ବି ଅବିକଳ ସେମିତି । ମାଛିକୁ ମ’ ସୁଦ୍ଧା କୁହନ୍ତି ନାହିଁ । ଭଦ୍ରବ୍ୟକ୍ତିଙ୍କ ପଡ଼ୋଶୀ ଥିଲେ ଏହାର ବିପରୀତ । କଳି ଝଗଡ଼ା ତାଙ୍କ ଘରେ ସବୁଦିନିଆ କଥା । ଭଦ୍ର ବ୍ୟକ୍ତିଙ୍କୁ ଦେଖେଇ ଶିଖେଇ ଖୁବ୍ ନିନ୍ଦନ୍ତି । ଭଦ୍ରବ୍ୟକ୍ତି କିନ୍ତୁ ଦିନକ ପାଇଁ ମୁହଁ ଖୋଲନ୍ତି ନାହିଁ । ଦିନେ ପଡ଼ୋଶୀ ଭଦ୍ରବ୍ୟକ୍ତିଙ୍କ ଉପରେ ଖୁବ୍ ବର୍ଷିଲେ । ସେ ଗାଳିରେ ଆଉ ବିରାମ ଲାଗିଲା ନାହିଁ । ଶେଷରେ ଭଦ୍ରବ୍ୟକ୍ତିଙ୍କ ସହ୍ୟଶକ୍ତି ତୁଟିଲା । ସେ ଏମିତି ଗର୍ଜିଲେ ଯେ, ସାହି ପଡ଼ିଶା ତାଜୁବ । ପଡ଼ୋଶୀ ଜଣଙ୍କ ଏକପ୍ରକାର ଚେତାଶୂନ୍ୟ ହେଇଗଲା । ପାଖ ଲୋକମାନଙ୍କ ସହଯୋଗରୁ ତାଙ୍କୁ ହସପିଟାଲ୍ ନିଆଗଲା । ଏ ଘଟଣା ପରେ ଭଦ୍ରବ୍ୟକ୍ତି ପୂରାପୂରି ନିରବି ଗଲେ । ଗୋଟିଏ କଥା ତାଙ୍କ ମୁଣ୍ଡକୁ ଘାରିଲା, ମୋ ଲାଗି ଆଜି ତାଙ୍କରି ଏ ଅବସ୍ଥା, ଏମିତି କହିବାର ନଥିଲା । ଦିନ ବିତିଲା, ହେଲେ ମୁଣ୍ଡରୁ ସେଇ କଥା ଯାଉନଥାଏ । ଦିନେ ଜଣେ ସନ୍ଥଙ୍କ ଆଗରେ ସବୁ ଘଟଣା କହିଲେ । ସନ୍ଥ ଗୋଟେ ପାତ୍ରରେ କିଛି ଖୁଦ୍ ଚାଉଳ ଦେଇ କହିଲେ ଏହାକୁ ନେଇ ଆଖପାଖରେ ଫିଙ୍ଗିଦିଅ । ସନ୍ଥ କହିବା ଅନୁସାରେ ଭଦ୍ରବ୍ୟକ୍ତି ସେମିତି କଲେ । ଏଥର ସନ୍ଥ କହିଲେ ଏବେ ଯାଅ ଯୋଉଠି ଯେମିତି ଚାଉଳ ଫିଙ୍ଗିଚ ସବୁକୁ ତୋଳି ଆଣିବ । ଭଦ୍ରବ୍ୟକ୍ତି କହିଲେ ଏବେ ତ ଆଉ ସମ୍ଭବ ନୁହେଁ । ସନ୍ଥ କହିଲେ, ବାସ୍ତବିକ ଫିଙ୍ଗା ଯାଇଥିବା ଖୁଦସଦୃଶ ତୁମ ଶଦ୍ଦ । ଏମିତି କହିନଥାନ୍ତି, ଏମିତି କହିଥିଲେ ଭଲ ହେଇଥାଆନ୍ତା, ଏସବୁ ଚିନ୍ତନ କେବଳ ଶଦ୍ଦ ପ୍ରୟୋଗ ପୂର୍ବରୁ ସମ୍ଭବ । କହିକି ଭାବିବା ଏକପ୍ରକାର ବୋକାମି ।
ମନେରଖ, ଶବ୍ଦାଘାତ ବଡ଼ ଅସହ୍ୟ । ସବୁ ଆଘାତର ଉପଶମ ଅଛି, ହେଲେ ଶଦ୍ଦ ଆଘାତର ନାହିଁ କୌଣସି ଉପଶମ । ଜୀବନ ତମାମ ଆମେ କାହାକୁ କେତେ କଟୁ ଶବ୍ଦରେ ଆଘାତ ଦେଇଥାଉ ତାର ହିସାବ ଆମ ପାଖରେ ନଥାଏ, କିନ୍ତୁ ଆମକୁ କିଏ କ’ଣ କହିଥାଏ ତାର ଲମ୍ବା ତାଲିକା ଆମ ପାଖରେ ଥାଏ । ଶଦ୍ଦ ବ୍ୟବହାର ପୂର୍ବରୁ ଭାବିଚିନ୍ତି କହିବା, କାରଣ ଏହାର ପରିଣାମ ସ୍ୱୟଂ ନିଜକୁ ହିଁ ବହନ କରିବାକୁ ପଡ଼ିବ । ମଧୁର ବଚନର ମହକ ଦୂର ଦୂର ପର୍ଯ୍ୟନ୍ତ ଗୁଞ୍ଜରିତ ହୁଏ । ସେଇଲାଗି ତ ସାଧୁସନ୍ଥଙ୍କ ଅମୃତ ବଚନ ଶ୍ରବଣ କରିବାକୁ ଛୁଟିଆସନ୍ତି ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ । ମହାଭାରତରେ ଅଠର ଦିନର ଯୁଦ୍ଧ ପରେ ହସ୍ତିନାପୁର ସହରର ଯେଉଁଆଡ଼େ ଚାହିଁଲେ ବିଧବା ମହିଳା ଆଉ ଅନାଥ ଶିଶୁ ଦୃଶ୍ୟମାନ ହେଉଥାଆନ୍ତି । ଦ୍ରୌପଦୀ ମହଲର ଗୋଟେ କୋଣରେ ନିରବ ନିଶ୍ଚଳ ମୁଦ୍ରାରେ ବସିଥାନ୍ତି । ମାନସିକ ସ୍ତରରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥାନ୍ତି । ଏଇ ସମୟରେ ଶ୍ରୀକୃଷ୍ଣ ଆସି ସେଠାରେ ଉପସ୍ଥିତ ହୋଇଛନ୍ତି । ଦ୍ରୌପଦୀ ତାଙ୍କୁ ପ୍ରଶ୍ନ କରିଛନ୍ତି- ହେ ସଖା! ଏ କ’ଣ ଘଟଣା ସବୁ ଘଟିଗଲା, ଯାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ଶ୍ରୀକୃଷ୍ଣ କହିଲେ- ପାଞ୍ଚାଳୀ ନିୟତିର ବିଚାର ବଡ଼ କ୍ରୁର । ଆମ ଭାବନା ତୁଳନାରେ ଅନ୍ୟ କିଛି ଘଟେ । ଯାହା ଆମେ କଳ୍ପନା ସୁଦ୍ଧା କରିନଥାଉ । ତୁମେ ପ୍ରତିଶୋଧ ନେବାକୁ ଚାହିଁଲ ଆଉ ସଫଳ ହେଲ । କେବଳ ଦୁର୍ଯ୍ୟୋଧନ କି କର୍ଣ୍ଣ ନୁହେଁ, ସମ୍ପୂର୍ଣ୍ଣ କୌରବ ବଂଶର ବିନାଶ ହେଲା । ତୁମେ ତ ଏବେ ଖୁସି ହେବା କଥା ।
ଦ୍ରୌପଦୀ ସଙ୍ଗେ ସଙ୍ଗେ କହୁଛନ୍ତିସଖା! ଏ ସମୟରେ ମତେ ଆଉ କଟାକ୍ଷ କରନାହିଁ । ଶ୍ରୀକୃଷ୍ଣ କହିଲେ- ନାହିଁ ଦ୍ରୌପଦୀ, ମଣିଷ ନିଜ କର୍ମର ପରିଣାମକୁ ସର୍ବଦା ଅଣଦେଖା କରେ, ଆଉ ସମୟ ଅପସରି ଗଲେ ସବୁକିଛି ହାତଛଡ଼ା ହୋଇଯାଏ । ଦ୍ରୌପଦୀ ପୁଣି ପ୍ରଶ୍ନ କଲେ- ତାହେଲେ କ’ଣ ମହାଭାରତ ଯୁଦ୍ଧ ପାଇଁ ମୁଁ ଦାୟୀ । ଶ୍ରୀକୃଷ୍ଣ କହିଲେତୁମ ସ୍ୱୟମ୍ବରରେ କର୍ଣ୍ଣକୁ ବାରଣ ନକରିଥିଲେ ସେ ନିଶ୍ଚିତ ଭାଗ ନେଇପାରିଥାନ୍ତେ । ତୁମେ ଦୁର୍ଯ୍ୟୋଧନଙ୍କୁ ଅନ୍ଧପୁତ୍ର କହିନଥିଲେ ସେ ପ୍ରତିଶୋଧପରାୟଣ ହୋଇନଥାନ୍ତେ । ଶ୍ରୀକୃଷ୍ଣଙ୍କ ଠାରୁ ସବୁକଥା ଶୁଣିବା ପରେ ଦ୍ରୌପଦୀ ପୂରାପୂରି ଚୁପ୍ ପଡ଼ିଗଲେ । ମନରେ ଆସୁଥିବା ସବୁ କଥା ତୁଣ୍ଡରେ ଉତୁରି ନଯାଉ, କାରଣ ଅନେକ ସମୟରେ ଏହା ବିଷମ ପରିସ୍ଥିତିର କାରଣ ସାଜେ । ବ୍ୟକ୍ତିର ମାନ ସମ୍ମାନ, ପଦ ମର୍ଯ୍ୟାଦା କ୍ଷୁଣ୍ଣ ହେବା ସହିତ ସୁସଂପର୍କରେ ବ୍ୟାଘାତ ସୃଷ୍ଟିହୁଏ । ଶଦ୍ଦ ମଧୁରତାପୂର୍ଣ୍ଣଥିଲେ ସାରା ଦୁନିଆଟା ନିଜର ମନେହେବ, ଏଥିଲାଗି ଲୋଡ଼ା କେବଳ ପୂର୍ଣ୍ଣ ଆନ୍ତରିକତା ।