ରେମୁଣା ୨୫/୦୪: ମାଲିକକୁ ଛାଡ଼ି ଅନ୍ୟତ୍ର ଯିବାକୁ ଚାହୁଁନଥିଲା ମୁଗେଇ । ଗାଈ ହେଲେ ବି ସତେ ଯେମିତି ସେ ପରିବାରର ଗୋଟିଏ ସଦସ୍ୟ ପାଲଟି ଯାଇଥିଲା । ମାଲିକ ବି ତାକୁ ନିଜ ଝିଅଠୁ ଅଧିକ ଭଲ ପାଉଥିଲେ । ଆଦରରେ ନାଁ ଦେଇଥିଲେ ମୁଗେଇ । କିଛିଦିନ ତଳେ ମାଲିକ ତାକୁ ଅନ୍ୟତ୍ର ବିକ୍ରି କରି ଦେଇଥିଲେ । ଅନିଚ୍ଛା ସତ୍ତେ୍ୱ ନୂଆ ମାଲିକଙ୍କ ଘରକୁ ଯାଇଥିଲା ମୁଗେଇ । ପରଦିନ ଲୁଚି ପୁରୁଣା ମାଲିକଙ୍କ ଘରକୁ ପଳାଇ ଆସିଥିଲା । ପୁନଶ୍ଚ ପୁରୁଣା ମାଲିକ ତାକୁ ନୂଆ ମାଲିକଙ୍କୁ ହସ୍ତାନ୍ତର କରୁଥିଲେ । ପୁରୁଣା ମାଲିକ ଘର ଛାଡ଼ି ଯିବାକୁ ଚାହୁଁ ନ ଥିବା ମୁଗେଇ ଏଥିରେ କ୍ଷଣକ ପାଇଁ ଉତ୍କ୍ଷିପ୍ତ ହୋଇପଡ଼ିଥିଲା । ପୁରୁଣା ମାଲିକଙ୍କୁ ଶିଙ୍ଗରେ କଚାଡ଼ି ଦେଇଥିଲା । ଏଥିରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମାଲିକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ମୁଗେଇ ନିଜ ଭୁଲକୁ ନେଇ ମ୍ରିୟମାଣ ହୋଇପଡ଼ିଛି । ମାଲିକଙ୍କ ମୃତ୍ୟୁଠାରୁ ଜଳ ବି ସ୍ପର୍ଶ କରୁନି । ଗୋଟିଏ ଜାଗାରେ ଶୋଇ ରହୁଛି । ସବୁବେଳେ କାନ୍ଦୁଛି । ମଣିଷ ମରା ଗାଈ ଭାବେ କୁଖ୍ୟାତି ଅର୍ଜନ କରିଥିବା ମୁଗେଇର ଏଭଳି ମାଲିକ ପ୍ରତି ଭଲ ପାଇବା ଏବେ ରେମୁଣା ଅଞ୍ଚଳର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବାଲେଶ୍ୱର ଜିଲ୍ଲା ରେମୁଣା ଖୁସାଲିଗଞ୍ଜ ଗ୍ରାମର ରାମଚନ୍ଦ୍ର ମହାରଣା ମୁଗେଇ ସମେତ ପାଳନ କରୁଥିବା ତିନୋଟି ଗାଈଙ୍କୁ ସେହି ଗ୍ରାମର ଜଣେ ଲୋକଙ୍କୁ ପାଳିବା ପାଇଁ ଦେଇଥିଲେ । ଅନ୍ୟ ଦୁଇଟି ଗାଈ ନୂଆ ମାଲିକଙ୍କ ଘରେ ଥିବାବେଳେ ମୁଗେଇ ଲୁଚି ରାମଚନ୍ଦ୍ରଙ୍କ ଘରକୁ ପଳାଇ ଆସିଥିଲା । ଗତ ୧୧ ତାରିଖରେ ନୂଆ ମାଲିକ ଆସି ରାମଚନ୍ଦ୍ରଙ୍କ ଘରେ ପହଞ୍ଚିବାରୁ ରାମଚନ୍ଦ୍ର ପୁନଶ୍ଚ ମୁଗେଇକୁ ତାଙ୍କୁ ହସ୍ତାନ୍ତର କରିବାକୁ ଉଦ୍ୟମ କରିଥିଲେ । ଏତିକିବେଳେ ମୁଗେଇ ରାଗରେ ତାଙ୍କୁ ମୁଣ୍ଡିଆ ମାରିଥିଲା । ଫଳରେ ରାମଚନ୍ଦ୍ର ପାଖ ଡ୍ରେନ୍ରେ ପଡ଼ିଯାଇଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ରାମଚନ୍ଦ୍ରଙ୍କ ମରଶରୀର ମଶାଣିକୁ ନେବାବେଳେ ଦୂରରୁ ମୁଗେଇ ଦେଖିଥିଲା । ସେବେଠାରୁ ସେ ଏକ ପରିତ୍ୟକ୍ତ ଜାଗାରେ ଶୋଇ ରହି ଆଖିରୁ ଲୁହ ଗଡ଼ାଉଛି । ଖାଇବା ପିଇବା ଛାଡ଼ି ଦେଇଛି । ଗ୍ରାମବାସୀ ଯାହା ଦେଲେ ବି ମୁହଁ ମାରୁନି ମୁଗେଇ । ମୁଗେଇର ମାଲିକ ପ୍ରତି ଏଭଳି ଭଲପାଇବା ଦେଖି ଲୋକେ ଭାବବିହ୍ୱଳିତ ହୋଇଛନ୍ତି । ଏବେ ରାମଚନ୍ଦ୍ରଙ୍କ ପରିବାର ମୁଗେଇକୁ ଘରେ ପୂରାଇ ଦେଉନାହାନ୍ତି । ଅପରପକ୍ଷରେ ନୂଆ ମାଲିକ ବି ତାକୁ ଆଉ ନେବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣାପଡ଼ିଛି ।
ଆହୁରି ପଢ଼ନ୍ତୁ...ବିକ୍ରି ହେଉଛି ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍ ! ଟଙ୍କା ଦେଇ ଫସିଗଲେ ୩୦୦ ଆଶାୟୀ