ଉତ୍ତରପ୍ରଦେଶ ୦୨/୦୬: ଉତ୍ତରପ୍ରଦେଶ ବାରାଣସୀ ଜିଲ୍ଲାର ବବିୟାଁବ ଗାଁରେ ଏବେ ଏକ ସ୍ୱତନ୍ତ୍ର କିସମର ଆମ୍ବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ତାହା ହେଲା ବିଶ୍ୱର ସବୁଠୁ ମହଙ୍ଗା ଆମ୍ବ ବୋଲି ମନେ କରାଯାଉଥିବା ଜାପାନର ମିୟାଜାକି ଆମ୍ବ । ଅନ୍ତର୍ଜାତୀୟ ବଜାରରେ ଏହି ଆମ୍ବର ମୂଲ୍ୟ କିଲୋପିଛା ୨-୩ ଲକ୍ଷ ହୋଇଥିବା ଦର୍ଶାଯାଏ । ବବିୟାଁବ ଗାଁର ଚାଷୀ ଶୈଳେନ୍ଦ୍ର କୁମାର ରଘୁବଂଶୀ ଏହାକୁ ଜାପାନରୁ ମଗାଇ ନିଜ ଚାଷ ଜମିରେ ଲଗାଇଥିଲେ । ଏବର୍ଷ ପ୍ରଥମ ଥର ଲାଗି ସେଥିରେ ଫଳ ଆସିବା ଆରମ୍ଭ ହୋଇଛି । ତାକୁ ଦେଖିବାକୁ ତାଙ୍କ କ୍ଷେତରେ ଲୋକେ ଭିଡ଼ ଲଗାଉଛନ୍ତି ।
ଶୈଳେନ୍ଦ୍ର କହିଛନ୍ତି, ସେ ୨୦୨୧ ଡିସେମ୍ବର ମାସରେ ପୁନେର ଏକ କଂପାନି ଜରିଆରେ ଏହି ଆମ୍ବର ଚାରା ମଗାଇଥିଲେ । ଛଅ ମାସ ଧରି ସ୍ୱତନ୍ତ୍ର ଭାବେ ଯତ୍ନ ନେବା ପରେ ତାକୁ ଲଗାଯାଇଥିଲା । ବର୍ତ୍ତମାନ ସେଥିରେ ଫଳ ଆସିବା ଆରମ୍ଭ ହୋଇଛି । ମିୟାଜାକି ଆମ୍ବ ସୂର୍ଯ୍ୟ ଉଦୟ ସମୟର ଲାଲିମା ଭଳି ରଙ୍ଗର ହୋଇଥାଏ । ଏହାର ଆକାର ଅଣ୍ଡାକୃତି ହୋଇଥିବାବେଳେ ସ୍ୱାଦ ସହିତ ଭିଟାମିନ୍ ଓ ମିନେରାଲ୍ସର ଉଚ୍ଚ ଗୁଣବତ୍ତା ଲାଗି ଏହା ପ୍ରସିଦ୍ଧ । ଏହାର ଉଚ୍ଚ ଦାମ୍କୁ ଦେଖି ସେ ୨୪ ଘଣ୍ଟା ଧରି ଆମ୍ବର ସୁରକ୍ଷା ଲାଗି ଦୁଇଜଣ ସୁରକ୍ଷାକର୍ମୀ ମୁତୟନ କରିଛନ୍ତି । ଏଥିସହ ସିସିଟିଭି କ୍ୟାମେରା ବି ଲଗାଇଛନ୍ତି ।
ଜାପାନରେ ଏହି ପ୍ରଜାତିର ଆମ୍ବରେ ଯେଉଁ ପୋଷକ ତତ୍ତ୍ୱ ମିଳିଥାଏ ତାହା ଏଇଠି ମିଳୁଛି କି ନାହିଁ ସେଥିନେଇ ପରୀକ୍ଷଣ କରାଯିବ । ଯଦି ପରିଣାମ ସକରାତ୍ମକ ଆସେ ତେବେ ଚାଷୀଙ୍କୁ ଏହି ଚାଷ ଲାଗି ସେ ପ୍ରେରିତ କରିବେ ବୋଲି ପ୍ରକାଶ କରିଛନ୍ତି । ଶୈଳେନ୍ଦ୍ର ମଧ୍ୟ ଏବେ ମିୟାଜାକି ଆମ୍ବର ୧୨୦ଟି ଚାରା ପ୍ରସ୍ତୁତ କରି ରଖିଛନ୍ତି । ପ୍ରତି ଚାରାକୁ ସେ ୧୦୦୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି ।