ଜଗତସିଂହପୁର,୧୩/୦୧ : ଇପିଏଫ୍ ଅର୍ଥ ପଇଠରେ ବ୍ୟାପକ ଅନିୟମିତତାର ପ୍ରମାଣ ସାମ୍ନାକୁ ଆସିସାରିଛି। ତଥାପି ଏଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ନଥିଲା । ବର୍ତ୍ତମାନ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ସେଲରୁ ଏଦିଗରେ ତନାଘନା ଆରମ୍ଭ ହୋଇଛି । ବାଲିକୁଦା ଖାଲଗାଁର ସମାଜସେବୀ ମନୋଜ ନାୟକଙ୍କ ଅଭିଯୋଗକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସ ସେଲ ତରଫରୁ ଘଟଣା ବାବଦରେ ଅନୁଧ୍ୟାନ କରିବାକୁ ରାଜ୍ୟ ଅର୍ଥ ବିଭାଗକୁ ଜଣାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ବାବଦରେ ଶ୍ରମ ଓ ଇଏସ୍ଆଇ ବିଭାଗର ସଚିବଙ୍କୁ ଅବଗତ କରାଯାଇଥିଲା ।
ଗତ ଡିସେମ୍ବର ମାସ ୨୩ ତାରିଖ ସୁଦ୍ଧା ଉକ୍ତ ଅଭିଯୋଗ ପତ୍ର ଇଏସ୍ଆଇ ନିର୍ଦ୍ଦେଶକଙ୍କ ଦପ୍ତରରେ ପହଞ୍ଚି ଯାଇଥିଲା । ବର୍ତ୍ତମାନ ଅର୍ଥାତ ଗତ ୫ ତାରିଖ ଚିଠି ସଂଖ୍ୟା ୮୭ରେ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ ତରଫରୁ ଏସଂକ୍ରାନ୍ତରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ରିଜିଓନାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ୍ କମିଶନରଙ୍କୁ ସୂଚିତ କରି ଦିଆଯାଇଛି । ତତ୍ସହିତ ଏସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବାକୁ ଜଣାଇ ଦିଆଯାଇଛି । ଜିଲ୍ଲାର ବିଭିନ୍ନ ସରକାରୀ ଦପ୍ତରରେ କର୍ମଚାରୀଙ୍କ ଇପିଏଫ୍ ଅର୍ଥ ମହାଘୋଟାଲାର ଗନ୍ଧ ବାହାରି ସାରିଛି ।
‘ପ୍ରମେୟ’ରେ ବାରମ୍ବାର ଖବର ପ୍ରକାଶ ପାଇବା ସତ୍ତ ସାମାନ୍ୟତମ ତଦନ୍ତ କରାଯାଇଥିବା ମନେ ହୋଇନାହିଁ । ତେବେ ପ୍ରମେୟରେ ପ୍ରକାଶିତ ‘ଇପିଏଫ୍ ଅର୍ଥ ପଇଠରେ ଘୋଟାଲା ତଦନ୍ତ ନାହିଁ’ ଶୀର୍ଷକ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସମାଜସେବୀ ଶ୍ରୀ ନାୟକ । ଯଦ୍ୱାରା ଏଦିଗରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରୁ ଜାରି ଚିଠି ସଂଖ୍ୟା ୮୭ରୁ ସ୍ପଷ୍ଟ ହୋଇଛି । ୫୧ ଲକ୍ଷ ୫୧ ହଜାର ଟଙ୍କାର ଇପିଏଫ୍ ବାବଦ ଅର୍ଥକୁ ନେଇ ବେଶ ବିବାଦଘେରରେ ରହିଆସିଛି ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ । ସେତେବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ମଧ୍ୟ ଏହି ଘଟଣାରେ ଉଦ୍ବେଗ ପ୍ରକାଶ କରିଥିଲେ । ୨୦୧୪ ମସିହା ନଭେମ୍ବର ମାସ ୨୯ ତାରିଖ ଚିଠି ସଂଖ୍ୟା ୩୮୮୬ରେ ଇପିଏଫ୍ ଅର୍ଥ ସମ୍ବନ୍ଧରେ ପଞ୍ଚାୟତିରାଜ ବିଭାଗକୁ ଜଣାଇଥିଲା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ।
ଉକ୍ତ ଘଟଣାରେ ଇପିଏଫ୍ କାର୍ଯ୍ୟାଳୟରୁ ସମନ ବି ଜାରି ହୋଇଥିଲା । ବିଶେଷକରି ୧୯୯୪ ମସିହା ମାର୍ଚ୍ଚରୁ ୨୦୧୦ ମସିହା ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ଇପିଏଫ୍ ଅର୍ଥ ପଇଠ ହୋଇନଥିବା ଦର୍ଶାଇ ୨୦୧୧ ମସିହା ଜୁଲାଇ ୧୮ ତାରିଖରେ ଇପିଏଫ୍ ଦପ୍ତର ପକ୍ଷରୁ ୫୧ ଲକ୍ଷ ୫୧ ହଜାର ୩୩୮ ଟଙ୍କା ଦାଖଲ ନେଇ ଏକ ଆଦେଶ ଜାରି କରାଯାଇଥିଲା । ଇପିଏଫ୍ ପକ୍ଷରୁ କେବଳ ଆଦେଶ ଜାରି ନୁହେଁ ଡିଆରଡ଼ିଏ ବା ବର୍ତ୍ତମାନ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ତହବିଲରୁ ଏହି ପରିମାଣର ଟଙ୍କାକୁ ଜବତ କରାଯାଇଥିଲା । ଖାସ୍କରି ଆଏୱାଇ(ନର୍ମାଲ୍) ଯୋଜନା ବାବଦକୁ ମିଳିଥିବା ଅର୍ଥରାଶିରୁ ଏହାକୁ କାଟି ନିଆଯାଇଥିଲା । ୨୦୧୪ ମସିହାରେ ମଧ୍ୟ ଇପିଏଫ୍ ଦପ୍ତର ପକ୍ଷରୁ ପୁଣି ଏକ ନୋଟିସ୍ ଜାରି କରାଯାଇଥିଲା । ଉକ୍ତ ନୋଟିସ୍ରେ ପୁଣି ୨୦ ଲକ୍ଷ ୮୧ ହଜାର ଟଙ୍କା ପଇଠର ଦାବି ହୋଇଥିଲା ।
ଯାହାକି ୧୯୯୬ ମସିହା ଏପ୍ରିଲ ୧ରୁ ୨୦୧୪ ମସିହା ଜାନୁଆରୀ ୧ ପର୍ଯ୍ୟନ୍ତ ଯେଉଁ କ୍ଷତି ଓ ସୁଧ ହୋଇଛି ତା’ର ପରିମାଣ ୨୦ ଲକ୍ଷରୁ ଊଦ୍ଧ୍ୱର୍ ବୋଲି ଯୁକ୍ତି ଦର୍ଶାଯାଇ ଏହାର ପଇଠ ନିମନ୍ତେ ଜଣାଇ ଦିଆଯାଇଥିଲା । ଏବଂ ୨୦୨୨ ମସିହାରେ ଜରିମାନା ବାବଦକୁ ପୁଣି ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜମାଖାତାରୁ ପାଖାପାଖି ୧୩ ଲକ୍ଷ ଟଙ୍କା ଭିଡ଼ି ନେଇଥିଲେ ଇପିଏଫ୍ କର୍ତ୍ତୃପକ୍ଷ । ସେଇ ବର୍ଷ ମଧ୍ୟ ପୁଣି ୨ ଲକ୍ଷ ୪୨ ହଜାର ୪୪୯ ଟଙ୍କା ଜରିମାନା ବାବଦକୁ ନିଆଯାଇଥିଲା । ସେତେବେଳେ ଅଧ୍ୟକ୍ଷ ଶ୍ରୀ ଭୋଇ କର୍ମଚାରୀଙ୍କ ଇପିଏଫ୍ ବାବଦ ଅର୍ଥ ଦାଖଲରେ ଅତୀତରେ ଘୋର ଅବହେଳା ହେବାର ପ୍ରମାଣ ବାହାରିଛି, କିନ୍ତୁ ତଦନ୍ତ ହୋଇନଥିବା ଖୋଲାଖୋଲି କହିଥିଲେ । କିଛି ମାସ ତଳେ ଜଗତସିଂହପୁର ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ଇପିଏଫ୍, ଇଏସ୍ଆଇ ବାବଦ ଅର୍ଥକୁ ସମୟ ଭିତରେ ଭରଣା କରାଯାଉ ନଥିବା ଜଣାପଡ଼ିଥିଲା ।
ଏତଦ୍ଭିନ୍ନ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ଏକ ସର୍ଭିସ ପ୍ରୋଭାଇଡର ସଂସ୍ଥା ମଧ୍ୟ ଏସଂକ୍ରାନ୍ତରେ ସଠିକ୍ ସୂଚନା ପ୍ରଦାନ କରୁନଥିବା ନେଇ ମୁହଁ ଖୋଲି ସ୍ୱୀକାର କରିଥିଲେ ନିର୍ବାହୀ ଅଧିକାରିଣୀ ସୀମା ଜେନା । ଅନୁରୂପ ଭାବେ ନିକଟରେ ଆଉ ଏକ ସର୍ଭିସ ପ୍ରୋଭାଇଡର ସଂସ୍ଥା ବିରୋଧରେ ସମାନ ଅଭିଯୋଗ ଆସିଥିଲା । ୯ ଜଣ ଡାଟା ଏଣ୍ଟ୍ରି ଅପରେଟର ଓ ପ୍ରୋଗ୍ରାମର, ଆକାଉଣ୍ଟାଣ୍ଟଙ୍କ ଇପିଏଫ୍ ଟଙ୍କା କିଛି ବର୍ଷ ଧରି ପଇଠ ହେଉନଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦପ୍ତରରେ ଅଭିଯୋଗ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା, ନିୟମିତ ଭାବେ କର୍ମଚାରୀଙ୍କ ଇପିଏଫ୍ ଅର୍ଥ ପଇଠ କରାନଗଲେ ଉକ୍ତ ସର୍ଭିସ ପ୍ରୋଭାଇଡର ସଂସ୍ଥାକୁ ଦାୟିତ୍ୱରୁ ଅନ୍ତର କରାଯିବା କଥା । ଜିଲ୍ଲାରେ କିନ୍ତୁ ଏହାର ବ୍ୟତିକ୍ରମ ସହ ପୁରସ୍କାର ସ୍ୱରୂପ କେତେକ ସର୍ଭିସ ପ୍ରୋଭାଇଡର ସଂସ୍ଥାର କାର୍ଯ୍ୟ ଅବଧିକୁ ନବୀକରଣ କରି ଦିଆଯାଉଛି । ୨୦୨୩ ମସିହାରେ କୁଜଙ୍ଗ ବ୍ଲକ ଶିକ୍ଷାଧିକାରୀଙ୍କ ଦପ୍ତର ମଧ୍ୟ ଇପିଏଫ୍ କେଳେଙ୍କାରୀ ବିବାଦରେ ଘାଣ୍ଟି ହୋଇଥିଲା । ପାଖାପାଖି ୧୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ହଡ଼ପ କରାଯାଇଥିଲା । ଉକ୍ତ ଅର୍ଥ ହଡ଼ପ ଘଟଣାରେ କୁଜଙ୍ଗ ପୁଲିସ ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲେ । ଅନେକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଇପିଏଫ୍ ଟଙ୍କା ହଡ଼ପର ଅଭିଯୋଗ ହୋଇଥିଲା ।