ମାଲକାନଗିରି/ଚିତ୍ରକୋଣ୍ଡା, ୨୭/୧୧(ଆପ୍ର ) : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରେ ରାସନ କାର୍ଡ ଧାରୀ ଙ୍କୁ ଦିଆଯାଉଛି ପୋକଡା ଚାଉଳ। ଯାହା ଫଳ ରେ ଖାଉଟି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପଞ୍ଚାୟତରେ ରାସନ ଆଣିବାକୁ ଯାଇଥିବା ଲୋକେ ଫିମ୍ପି ଓ ପୋକ ଲାଗିଥିବା ଚାଉଳ ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଉଳ ଏତେ ମାତ୍ରାରେ ଫିମ୍ପି ମାରିଛି ଯେ ରୋଷେଇ ଯୋଗ୍ୟ ହୋଇପାରିବ ନାହିଁ ଓ ବହୁତ ଗୁଡ଼ିଏ ପୋକ ସାଲୁବାଲୁ ହେଉଥିବା କହିଛନ୍ତି । ଚାଉଳକୁ ଅନୁଧ୍ୟାନ କଲେ ପ୍ରାୟ ଅଧିକାଂଶ ନଷ୍ଟ ହୋଇଯାଇଛି । ଏହା ବାବଦରେ ପଞ୍ଚାୟତ କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ ଚିତ୍ରକୋଣ୍ଡା ବ୍ଲକର ଅଠର ଗୋଟି ପଞ୍ଚାୟତରେ ଏହିଭଳି ଚାଉଳ ଦିଆଯାଇଛି । ଚଳିତ ବର୍ଷ ଦଶହରା ପୂର୍ବରୁ ଏଫ ସି ଆଇ ଗୋଦାମରୁ ଚାଉଳ ଆସି ଜମା ହୋଇ ରହିଥିବାରୁ ଫିମ୍ପି ଓ ପୋକ ଲାଗି ଯାଇଛି । ଯୋଗାଣ ସହାୟକ ମାନେ ଏଫ ସି ଆଇ ଗୋଦାମକୁ ଜଣାଇଥିଲେ ସୁଦ୍ଧା ସେମାନେ କୌଣସି ପ୍ରତିକ୍ରିୟା ନ ରଖି ବହୁତ ଆଗରୁ ଚାଉଳ ପଠାଉଛନ୍ତି ବୋଲି କହିଛନ୍ତି ।
ପୂର୍ବପରି ପ୍ରତି ମାସରେ ଚାଉଳ ଦେଲେ ଲୋକଙ୍କର ସୁବିଧା ହେବ।ତିନି ମାସର ଥରେ ଚାଉଳ ଦେଉଛନ୍ତି।ଯାହା ଦ୍ଵାରା ଗରିବ ବୁଦ୍ଧ ବୃଦ୍ଧା ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲୋକମାନଙ୍କୁ ଠିକ୍ ସମୟରେ ଯୋଗାଇ ଦେବାକୁ ଚିତ୍ରକୋଣ୍ଡା ଅଞ୍ଚଳ ର ଦିଲୀପ ମାଛ,ଅର୍ଜୁନ ହନ୍ତାଲ୍,ଲକ୍ଷ୍ମୀ ମାଛ, ପ୍ରମୁଖ ଦାବି କରିଛନ୍ତି। ଏସମ୍ପର୍କ ରେ ଜିଲ୍ଲା ଯୋଗାଣ ଅଧିକାରୀ ଏମ ଏମ ପଟନାୟକ ଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ ଏହାର ତଦନ୍ତ କରାଯିବା ସହିତ ସେ ପୋକଡା ଚାଉଳ ତୁରନ୍ତ ବଦଳା ଯାଇ ହିତାଧିକାରୀଙ୍କୁ ଭଲ ଚାଉଳ ଦିଆଯିବ ।