ନୂଆଦିଲ୍ଲୀ ୨୫/୦୩: ମାଲାୟାଲମ ଅଭିନେତା ମୋହନଲାଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍-୩’ର ରିଲିଜ୍ ତାରିଖ ପୁଣି ଥରେ ଘୁଞ୍ଚିଲା । ଏ ନେଇ ମୋହନଲାଲ ସ୍ପଷ୍ଟ କରିଛନ୍ତି, ‘ଦୃଶ୍ୟମ୍-୩’ ଆସନ୍ତା ମେ’ ୨୧ ଅର୍ଥାତ୍ ତାଙ୍କ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିବ । ଏହା ପୂର୍ବରୁ ଆସନ୍ତା ଏପ୍ରିଲ ୨ରେ ଫିଲ୍ମର ରିଲିଜ୍ ତାରିଖ ସ୍ଥିର ହୋଇଥିଲା । ମୋହନଲାଲ ସୋସିଆଲ ମିଡିଆରେ ଲେଖିଛନ୍ତି ‘ଅତୀତ କଦାପି ନିରବ ରହେ ନାହିଁ... ଏହା କେବଳ ଅପେକ୍ଷା କରେ । ମେ’ ୨୧ରେ ପହଞ୍ଚିବ ଜର୍ଜକୁଟ୍ଟୀ ।’

ଉପସାଗରୀୟ ଦେଶରେ ଚିନ୍ତାଜନକ ସ୍ଥିତି ଯୋଗୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚିଥିବା ଗଣମାଧ୍ୟମ ସୂଚନା ଦେଇଛି । ଜିତୁ ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୋହନଲାଲ ପୁଣି ଥରେ ଜର୍ଜକୁଟ୍ଟୀ ଭୂମିକାରେ ପରଦାକୁ ଆସିବେ । ମୀନା, ଅନ୍‌ସିବା ହସନ, ଏସଥର ଅନିଲ, ଆଶା ଶରତଙ୍କ ଭଳି କଳାକାର ଏଥିରେ ଅଭିନୟ କରିଛନ୍ତି । ଗତ ବର୍ଷ ଡିସେମ୍ବରରେ ମୋହନଲାଲ ଫିଲ୍ମର ସୁଟିଂ ଶେଷ କରିଥିଲେ । ମାଲାୟାଲମ ସିନେମାରେ ଦୃଶ୍ୟମ୍ ଫ୍ରାଞ୍ଚାଇଜିର ବଡ଼ ପ୍ରଭାବ ରହିଛି । ଫିଲ୍ମର ପ୍ରଥମ ସଂସ୍କରଣ ୨୦୧୩ରେ ମୁକ୍ତିଲାଭ କରିଥିଲା । କାହାଣୀ ବର୍ଣ୍ଣନାରେ ଏହା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା । ୨୦୨୧ରେ ମୁକ୍ତିପ୍ରାପ୍ତ ‘ଦୃଶ୍ୟମ୍-୨’ ସମାନ ଧାରା ବଜାୟ ରଖିଲା ।

ଆହୁରି ପଢ଼ନ୍ତୁ...‘ଧୁରନ୍ଧର-୨’ ବିବାଦ ନେଇ ଆର୍ ମାଧବନ ଦେଲେ ସ୍ପଷ୍ଟୀକରଣ , କହିଲେ ଲିଭାଇ ଦେଇଥିଲି ସିଗାରେଟ୍