ପୁରୀ, ୧୭।୧୨ : ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଭିତର ରତ୍ନଭଣ୍ଡାରରେ ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟରେ ୨୦ ଜଣ ଶ୍ରମିକ ନିୟୋଜିତ ଥିଲେ । ବୁଧବାର ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଗୁରୁବାର ଠାରୁ ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯିବା କାର୍ଯ୍ୟ କରାଯିବ। ମରାମତି କାର୍ଯ୍ୟ ବନ୍ଦ ହେବା ପରେ ଠାକୁରଙ୍କ ନୀତି କାନ୍ତି ଆରମ୍ଭ ହେବ ବୋଲି ଏଏସଆଇ ଅଧିକ୍ଷକ ଡି.ବି ଗଡ଼ନାୟକଙ୍କ ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାରର ମରାମତି ନେଇ ପୂର୍ବରୁ ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଅନୁଯାୟୀ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଦିନ ୧୨ ଟା ୩୦ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ଜାରି ରହିବ। ଏହି ସମୟରେ ଭକ୍ତମାନେ କେବଳ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିବେ। ସେହିପରି ମହାପ୍ରଭୁଙ୍କ ନୀତି କାନ୍ତି ମଧ୍ୟ ଶୃଙ୍ଖଳିତ ଭାବେ କରାଯିବ। ତେବେ ତିନି ମାସ ମଧ୍ୟରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଏଏସଆଇ ସମୟ ମାଗିଥିବା ବେଳେ ଯଥାଶୀଘ୍ର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ କୁହାଯାଇଛି।