ଭୁବନେଶ୍ୱର,୦୯/୦୩: ଆଜିଠୁ ଷୋଡ଼ଶ ବିଧାନସଭା ବଜେଟ ଅଧିବେଶନର  ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସରଗରମ ରହିବ । ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ  ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡିରୁ ଧାନ  ଉଠିନପାରିବା ଓ ବେକାରୀ ସମସ୍ୟା  ପ୍ରମୁଖ ପ୍ରସଙ୍ଗ ସାଜିବ । ଏ ନେଇ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ  ପ୍ରସ୍ତୁତି ସରିଥିବା ଉଭୟ ଦଳର  ବିଧାୟକମାନେ କହିଛନ୍ତି । ଯେମିତି ବଜେଟ ଅଧିବେଶନର  ପ୍ରଥମ ପର୍ଯ୍ୟାୟ ଚାଷୀ ପ୍ରସଙ୍ଗରେ  ଉତ୍ତେଜନାପୂର୍ଣ୍ଣ ରହିବା ସହ  ରାଜ୍ୟପାଳଙ୍କ ଅଭିଭାଷଣ ପରଠୁ ହିଁ ଗୃହ ଏକ ପ୍ରକାର ଅଚଳ ହୋଇ ପଡ଼ିଥିଲା ।  

ସେହିପରି ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୃହରେ  ବିଜେଡି ଓ କଂଗ୍ରେସର ସରକାରଙ୍କୁ ବିରୋଧ ଆହୁରି ତୀବ୍ର  ହେବ । ଉଭୟ ମୁଖ୍ୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ  ମିଳିତ ଭାବେ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ  ସମର୍ଥନ କରୁଥିବାରୁ ବିଧାନସଭାରେ ମଧ୍ୟ ଏହାର ପ୍ରତିଫଳନ  ଦେଖିବାକୁ ମିଳିବ । ଆସନ୍ତାକାଲିଠାରୁ ବିଭିନ୍ନ କମିଟି ରିପୋର୍ଟ  ଉପସ୍ଥାପନ କରିବେ । ଏହା ସହିତ ବଜେଟ ନେଇ ମଧ୍ୟ ଗୃହରେ  ଆଲୋଚନା ହେବ । ସୋମବାର ଅପରାହ୍ନ ଅଧିବେଶନରେ  ବିଧାନସଭାର ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ପ୍ରଦାନ  କରିବେ । ପରେ ମଙ୍ଗଳବାରରୁ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ  ହେବ । ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ  କହିଛନ୍ତି, ବର୍ତ୍ତମାନ ବିରୋଧୀ ଏକାଠି ହେବାର ଆବଶ୍ୟକତା  ଅଛି । ଡବଲ ଇଞ୍ଜିନ ଫେଲ୍‌ । ବିକାଶ ପ୍ରସଙ୍ଗରେ ବିରୋଧୀ  ଏକାଠି ହେବାର ଆବଶ୍ୟକତା ଅଛି । ବିରୋଧୀ ଦଳ ମୁଖ୍ୟ  ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବିଧାନସଭାରେ ଉଭୟ  ଉଭୟଙ୍କ ପ୍ରସଙ୍ଗ ନେଇ ଲଢ଼ିବୁ । ବିଜେଡି ତା ପ୍ରସଙ୍ଗ ଓ  କଂଗ୍ରେସ ତା ପ୍ରସଙ୍ଗରେ ଲଢ଼ିବ । ବିଜୁ ଜନତା ଦଳ ଲୋକଙ୍କ  ପାଇଁ ବିଧାନସଭାରେ ଲଢ଼ିବ ବୋଲି ପ୍ରମିଳା କହିଛନ୍ତି ।