ନୂଆଦିଲ୍ଲୀ, ୨୯/୦୬; ପୁରୀ ଶରଧାବାଲି ଠେଲାପେଲାକୁ ନେଇ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ବିରୋଧି ଦଳନେତା ରାହୁଲ ଗାନ୍ଧି । ଦଳାଚକଟାରେ ପ୍ରାଣ ହରାଇଥିବା ତିନି ଶ୍ରଦ୍ଧାଳୁଙ୍କ ଶୋକସନ୍ତପ୍ତ ପରିବାର ସମବେଦନା ଜଣାଇଛନ୍ତି । ଶୀଘ୍ର ଉଦ୍ଧାର କାର୍ଯ୍ୟ ସାରି ଆହାତଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଅପିଲ୍ କରିଛନ୍ତି । ଏଥିରେ ସହଯୋଗ କରିବାକୁ କଂଗ୍ରେସ କର୍ମୀଙ୍କୁ କହିଛନ୍ତି ।

ମହାପ୍ରଭୁଙ୍କ ଘୋଷଯାତ୍ରା ବିଶ୍ବ ପ୍ରସିଦ୍ଧ । ରଥଯାତ୍ରାରେ  ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏତେ ବଡ଼ ଆୟୋଜନରେ ସୁରକ୍ଷା ବ୍ୟବସ୍ଥା ଏବଂ ଭିଡ଼ ନିୟନ୍ତ୍ରଣକୁ ସରକାର ଗମ୍ଭୀରତାର ସହ ନେଇ ସମୀକ୍ଷା କରିବା ଦରକାର । ସବୁ ପରେ ଜୀବନ ବଞ୍ଚାଇବା ସର୍ବୋପରି ଏବଂ ଏଥିରେ ଅବହେଳା ଗ୍ରହଣୀୟ ନୁହେଁ ବୋଲି ବିରୋଧି ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି । 


ମହାପ୍ରଭୁଙ୍କ ତିନି ରଥ ସାମ୍ନାରେ ବଡ଼ ଧରଣର ଅଘଟଣ ଘଟିଛି । ରବିବାର ଭୋର ୪ଟା ୫୦ରେ ଶରଧାବାଲିରେ ଠେଲାପେଲା ହୋଇଥିଲା । ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସମସ୍ତ ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ପ୍ରଭାତୀ ଦାସ ଏବଂ ବାସନ୍ତୀ ସାହୁ ରଥ ସାମ୍ନାରେ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରେମାକାନ୍ତ ମହାନ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବା ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପବିତ୍ର ମୋହନ ମଲ୍ଲିକ ସୂଚନା ଦେଇଛନ୍ତି ।