ରାମଚନ୍ଦ୍ରପୁର, ୧୩/୦୮ : ସତେ କି ତାଙ୍କ ମୁଣ୍ଡରେ ରହିଛି ବିଶ୍ୱକର୍ମାଙ୍କ ଆଶୀର୍ବାଦ। ତାଙ୍କର ଯାଦୁକାରୀ ହାତ ସ୍ପର୍ଶରେ ପଥର ବି ହୋଇଉଠେ ଜୀବନ୍ତ। କଥା କୁହେ ନିର୍ଜୀବ ପଥର। ଏହିଭଳି ଜଣେ ସୁଦକ୍ଷ ଯୁବ ପ୍ରସ୍ତର ଶିଳ୍ପୀ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅଳତି ଗ୍ରାମର ଶରତଚନ୍ଦ୍ର ମହାରଣା(୫୫ ବର୍ଷ)। ମୁହଁରେ ସ୍ମିତହାସ୍ୟ। କିନ୍ତୁ ପଥରକୁ ଜୀବନ୍ତ କରିବାର କଳା ତାଙ୍କୁ ବେସ୍ ଜଣା। ପିଲା ବେଳୁ ବାପାଙ୍କୁ ହରାଇଥିଲେ। ବଡ଼ଭାଇ ହରେକୃଷ୍ଣ ମହାରଣାଙ୍କ ଠାରୁ ଶିଳ୍ପୀ ହେବାର ପ୍ରେରଣା ଓ ଉତ୍ସାହ ପାଇଥିଲେ। ଦୃଢ଼ ଇଚ୍ଛାଶକ୍ତି ଓ ସଂକଳ୍ପ ନେଇ ୧୯୮୨ ମସିହାରେ ଭୁବନେଶ୍ୱର ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ପଥର ଶିଳ୍ପୀ ଭାବେ ତାଲିମ ଗ୍ରହଣ କଲେ । ଏହା ପର ଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଖୁବ କମ୍ ଦିନରେ ସେ ଜଣେ ପ୍ରତିଷ୍ଠିତ ପଥର ଶିଳ୍ପୀ ଭାବେ ସମଗ୍ର ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିଲେ।
କେନ୍ଦୁଝରର ପ୍ରସିଦ୍ଧ ଘଟଗାଁ ମା’ ତାରିଣୀ ମନ୍ଦିରରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ସହ ଅନେକ କାରୁକାର୍ଯ୍ୟ ଖଚିତ ପଥର ମୂର୍ତ୍ତି ଶରତଙ୍କର କଳାକୃତିର ନିଚ୍ଛକ ନିଦର୍ଶନ। ପୁରୀ ବାଲିଘାଇସ୍ଥିତ ହରିହରାନନ୍ଦ ଆଶ୍ରମର ପ୍ରତିଷ୍ଠାତା ହରିହରା ନନ୍ଦ ଗିରୀ ମହାରାଜଙ୍କ ମାର୍ବଲ ନିର୍ମିତ ପ୍ରତିମୂର୍ତ୍ତି ସେ ନିର୍ମାଣ କରିଛନ୍ତି । କଳାମୁଗୁନି ପଥରରେ ନିର୍ମିତ କଳାଶଙ୍ଖ ଠିକ୍ ଶଙ୍ଖ ନାଦ ପରି ଧ୍ୱନି ସୃଷ୍ଟି କରିଛି। ଯାହାକି ତାଙ୍କର ଶ୍ରେଷ୍ଠ ଏବଂ ବିସ୍ମୟ କଳାକୃତି ଭାବେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକା ସହ ଦେଶର କିଛି ଇଂରାଜୀ ପତ୍ରିକାର ଶିରୋନାମା ପାଲଟିଥିଲା । ଏଥିପାଇଁ ରାଜ୍ୟ ହସ୍ତ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରେଷ୍ଠ ନମୁନା ଶିଳ୍ପୀ ଭାବେ ପୁରସ୍କୃତ ହୋଇଛନ୍ତି । ଶରତଙ୍କ ହାତ ତିଆରି ପଥର ମୂର୍ତ୍ତି ରାଜ୍ୟ ତଥା ଦେଶ ବାହାରକୁ ମଧ୍ୟ ଯାଇ ବହୁ ଉଚ୍ଚ ପ୍ରଶଂସିତ ହୋଇଛି।
ତତ୍କାଳୀନ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ତାଙ୍କୁ ୧୯୯୬ରେ ସ୍ଥାନୀୟ ଡିଏ ହାଇସ୍କୁଲର ରଜତ ଜୟନ୍ତୀ ଅବସରରେ ଯୁବ ପଥର ଶିଳ୍ପୀ ଭାବେ ସମ୍ମାନିତ କରିଛନ୍ତି । ଏଥିସହ ତାଙ୍କୁ ଆହୁରି ଅନେକ ଛୋଟବଡ଼ ଅନୁଷ୍ଠାନ ମଧ୍ୟ ସମ୍ମାନିତ କରିଛନ୍ତି । ସେ ଏବେ ରାମଚନ୍ଦ୍ରପୁର ଠାରେ ମୂର୍ତ୍ତି ତିଆରି କେନ୍ଦ୍ର ପ୍ରତିଷ୍ଠା କରି ୩୦ରୁ ଅଧିକ ଯୁବକଙ୍କୁ ନିଯୁକ୍ତି ଦେଇ ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି । ସେଠାରେ ମୁଗୁନି ପଥର ସହ ମାର୍ବଲ, ନାଲି ଶାଣ, ପଥର ଫାଇବର ଆଦିରେ ବିଭିନ୍ନ ଦେବଦେବା ମୂର୍ତ୍ତି ସହ ପ୍ରତିମୂର୍ତ୍ତି ନିର୍ମାଣ କରୁଛନ୍ତି । ଏହି କାମରେ ଶରତଙ୍କୁ ଅନୁସରଣ କରି ତାଙ୍କ ପୁଅ ସୌମେନ୍ଦ୍ର ମଧ୍ୟ ସହଯୋଗ କରୁଛନ୍ତି । ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଓ ନୂଆ କିଛି କରି ଦେଖାଇବାର ପ୍ରୟାସ ତାଙ୍କୁ ଜଣେ ସଫଳ କାରିଗର ଭାବେ ପ୍ରତିଷ୍ଠିତ କରିପାରିଛି ।