ଭୁବନେଶ୍ୱର, ୧୭/୭ (ବିଜୟ ମିଶ୍ର): ବଣଜଙ୍ଗଲ ଭିତରେ ଶଗଡ଼ ଯିବା ଭଳି ଗୋହିରି ରାସ୍ତା । ଶୂନଶାନ ଏହି ରାସ୍ତାରେ ପଥଚାରୀଟିଏ ଯିବା ବେଳେ ହଠାତ୍ ଶୁଣାଯିବ ଟିଟ୍ଟିଭ ପକ୍ଷୀ ଭଳି ଟିଁ ଟିଁ ଡାକ । ପଥଚାରୀ ଚଢ଼େଇ ବୋଲି ଭାବି ନିସନ୍ଦେହରେ ଆଗକୁ ବଢ଼ିବ । ହେଲେ କିଛି କ୍ଷଣ ମଧ୍ୟରେ ୨ ଜଣ ଗାମୁଛା ପିନ୍ଧା ହୃଷ୍ଟପୃଷ୍ଟ ଯୁବକ ପଥଚାରୀକୁ ମାଡ଼ିବସିବେ । କାବୁ କରି ଟେକିନେବେ ଏକ ବରଗଛ ମୂଳକୁ । ସେଠାରେ ବସିଥିବେ ଜଣେ ବିଶାଳ ବପୁଧାରୀ ମହିଳା । କ’ଣ ପାଖରେ ଅଛି କାଢ଼ ବୋଲି ଇଶାରା କରିବେ । ପ୍ରତିରୋଧ କଲେ ଅଣ୍ଟାରୁ କଟୁରି କାଢ଼ି ଚୋଟେ ପକାଇବେ ।
ରାଜଧାନୀ ଅପରାଧର ଇତିହାସକୁ ଖେଳାଇଲେ ଯେଉଁ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ନାମ ସର୍ବାଗ୍ରେ ରହିବ ତାଙ୍କ ଭିତରେ ଅନ୍ୟତମ ଥିଲେ ସଂପୃକ୍ତ ମହିଳା । ୬ ଫୁଟ ଉଚ୍ଚର ବିଶାଳ ଚେହେରା । ଦେହରେ ଧଳା ରଙ୍ଗ ବର୍ଡର ଶାଢ଼ି । ବବ୍ କଟ୍ କେଶ । ଚାଲି ଓ ହାବଭାବ ପୁରୁଷ ଭଳି । ଶରୀରରେ ଅମାପ ବଳ । ହାତରେ ଧାରୁଆ କଟୁରି । ନାଁ ତାଙ୍କର ଚିତ୍ତେରା । ଘର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ । ସାଙ୍ଗରେ ୨ଜଣ ହଟ୍ଟାକଠା ସହଯୋଗୀ ଯୁବକ ଗୋପିଆ ଓ କାଶିଆ । ୧୯୪୭ ମସିହାରୁ ୧୯୬୫ ପର୍ଯ୍ୟନ୍ତ ଚିତ୍ତେରାଙ୍କ ଆତଙ୍କରେ ଥରୁଥିଲେ ଆଖପାଖ ୫ ଖଣ୍ଡ ମୌଜାର ଲୋକେ । କେତେ ଲୋକଙ୍କୁ ସେ ଲୁଟିଛନ୍ତି ତାହାର ହିସାବ ନାହିଁ । ତାଙ୍କ କଟୁରି ଚୋଟରେ ଅନେକ ମୃତାହତ ହୋଇଛନ୍ତି । ହେଲେ ଭୟରେ କେହି ପୁଲିସ ଥାନାର ଦୁଆର ମାଡ଼ନ୍ତିନି ।
ଚିତ୍ତେରା ଥିଲେ ବିବାହିତା । ତାଙ୍କର ସ୍ୱାମୀ ପିଲାପିଲି ଘର ସଂସାର ଥିଲା । କିନ୍ତୁ ସେ ଅଧିକ ଧନ ଲୋଭରେ ଅପରାଧ ଜଗତରେ ପାଦ ଦେଇଥିଲେ । ଆଜିର ଲିଙ୍ଗରାଜ ଷ୍ଟେସନ ତାଙ୍କର ଥିଲା ଆଡ୍ଡାସ୍ଥଳୀ । ଦିନ ୧୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆଡ୍ଡା ଜମାଉଥିଲେ । ସେ ସମୟରେ ଷ୍ଟେସନ ନଥିଲା । ରେଳ ଲାଇନ କଡ଼ରେ ବ୍ୟାପୀ ରହିଥିଲା ଘଞ୍ଚ ଜଙ୍ଗଲ । ସେ ଜଙ୍ଗଲ ଭିତରେ ସବୁଠାରୁ ବଡ଼ ଗଛ ଥିଲା ନନ୍ଦୀ ବରଗଛ । ଜଙ୍ଗଲ ଭିତରେ ଗୋହିରି ରାସ୍ତା ପୋଖରୀପୁଟ, ଜଟଣୀ ଆଡ଼କୁ ଲମ୍ବିଥିଲା । ନୂଆ ରାଜଧାନୀ ନିର୍ମାଣ ହେବା ବେଳେ ଜଟଣୀ ବଜାରରୁ ସଉଦା ସାମଗ୍ରୀ ନେଇ ଶଗଡ଼ରେ ବ୍ୟବସାୟୀମାନେ ପୁରୁଣା ଭୁବନେଶ୍ୱର ଆସୁଥିଲେ । ମୁଣ୍ଡରେ ବୋଝ ଲଦି ମଧ୍ୟ କିଛି କ୍ଷୁଦ୍ର ବେପାରୀ ଆସୁଥିଲେ । ଏମାନେ ହିଁ ଚିତ୍ତେରାଙ୍କ ସହଜ ଶିକାର ପାଲଟୁଥିଲେ । ନନ୍ଦୀ ବରଗଛ ଉପରେ ଚଢ଼ି ଚିତ୍ତେରା ଗୋହିରି ରାସ୍ତା ଉପରେ ନଜର ରଖୁଥିଲେ । ଶଗଡ଼ିଆ କିମ୍ବା ପଥଚାରୀ କାହାକୁ ଦେଖିଲେ ପକ୍ଷୀ ଭଳି ଟିଁ ଟିଁ ରଡ଼ି ଛାଡ଼ି ଗୋପିଆ, କାଶିଆଙ୍କୁ ସଙ୍କେତ ଦେଉଥିଲେ । ଭଲରେ ଟଙ୍କା ପଇସା ବଢ଼ାଇ ଦେଲେ କିଛି କ୍ଷତି କରୁ ନଥିଲେ । କିନ୍ତୁ ମହିଳା ବୋଲି କେହି ପ୍ରତିରୋଧ କଲେ ସେ ଆକ୍ରମଣ କରୁଥିଲେ ।
ଯଦି କୌଣସି ଦିନ କେହି ଶିକାର ମିଳୁ ନଥିଲେ ତେବେ ଚିତ୍ତେରା ରେଳ ଗାଡ଼ିକୁ ଟାର୍ଗେଟ କରୁଥିଲେ । କୋଇଲା ବୋଝେଇ ଗାଡ଼ି ଗଲା ବେଲେ ଦୌଡ଼ି ଦୌଡ଼ି ବଗି ଉପରେ ଚଢ଼ି ଯାଉଥିଲେ । ମାଲବାହୀ ଡବାରୁ ବିପୁଳ ପରିମାଣର କୋଇଲା ରେଳ ଲାଇନ କଡ଼କୁ ପକାଇ ଦେଉଥିଲେ । ପୁଣି ଧାବମାନ ଗାଡ଼ିରୁ ଡେଇଁ ପଡ଼ୁଥିଲେ । କୋଇଲାକୁ ସଂଗ୍ରହ କରି ସହଯୋଗୀମାନେ ଆଖପାଖ ଅଞ୍ଚଳରେ ବିକୁଥିଲେ । ରାଜଧାନୀ ଆଇନଶୃଙ୍ଖଳା ରକ୍ଷା ପାଇଁ ସେତେବେଳେ ଏକମାତ୍ର ଥାନା ଥିଲା ଭୁବନେଶ୍ୱର ଥାନା(ବର୍ତ୍ତମାନ ଶ୍ରୀଲିଙ୍ଗରାଜ ଥାନା) । ରାଜଧାନୀ ଅପରାଧର ଦୁର୍ଦ୍ଦାନ୍ତ ଲେଡି ଡନ୍ ସାଜିଥିବା ଚିତ୍ତେରାକୁ ଧରିବା ପାଇଁ ପୁଲିସ ପାଖରେ କୌଣସି ପ୍ରମାଣ ନ ଥିଲା । କାହିଁକି ନାଁ ଚିତ୍ତେରା ବିରୋଧରେ କେହି ଏତଲା ଦେଉ ନଥିଲେ । ତେବେ ରେଳ ବିଭାଗ ଅଭିଯୋଗ ଅନୁଯାୟୀ କୋଇଲା ଚୋରି ଅପରାଧରେ ପୁଲିସ ଅନେକ ଥର ଚିତ୍ତେରାଙ୍କୁ ଗିରଫ କରିଛି । କିନ୍ତୁ କୋର୍ଟରୁ ଜାମିନ ପାଇ ଚିତ୍ତେରା ପୁଣି ଅପରାଧରେ ମାତି ଯାଉଥିଲେ । ପ୍ରାୟ ୨୦ ବର୍ଷ କାଳ ପୁଲିସର ନିଦ ହଜାଇ ଦେଇଥିବା ଚିତ୍ତେରା ବୟସାଧିକ ଯୋଗୁ ୧୯୬୫ ମସିହାରେ ଅପରାଧ ଜଗତ ଛାଡ଼ି ନିଜ ସଂସାରକୁ ଫେରି ଯାଇଥିଲେ । ୧୯୭୦ ଦଶକରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ପୁରୁଣା ଭୁବନେଶ୍ୱର ଠାରୁ ଆରମ୍ଭ କରି କପିଳେଶ୍ୱର, ସୁନ୍ଦରପଦା, କପିଳପ୍ରସାଦ, ପୋଖରିପୁଟଠୁ ଜଟଣୀ ଯାଏ ବୟସ୍କ ଲୋକେ ଏପର୍ଯ୍ୟନ୍ତ ଚିତ୍ତେରାଙ୍କ ଆତଙ୍କକୁ ଭୁଲି ପାରିନାହାନ୍ତି ।
ଆହୁରି ପଢନ୍ତୁ- Fuel theft : ତେଲ ଚୋରଙ୍କ ପାଇଁ ପ୍ରେମୀଯୁଗଳ ହଟହଟା, ବର୍ଷା ପାଗରେ ଠେଲିଲେ ବାଇକ୍
🔴NonStop LIVE । ଆଜି ପୁଣି ଶ୍ରୀକ୍ଷେତ୍ରରେ ରଥଟଣା