ସଂପ୍ରସାରଣ ହିଁ ଜୀବନ, ସଂକୋଚନ ମୃତ୍ୟୁ'- ଏହି  ଅମୃତବାଣୀ ହେଉଛି ସ୍ୱାମୀ ବିବେକାନନ୍ଦଙ୍କର ।  ନିଜକୁ ବିସ୍ତାରିତ ଓ ବିତରିତ କରିବାରେ ହିଁ ଜୀବନର ପ୍ରକୃତ  ସ୍ୱାଦ ଓ ଆନନ୍ଦ ଉପଲବ୍ଧି କରିହୁଏ । ଏଭଳି ବିସ୍ତାର ଓ ବିତରଣ  ଭିତରେ ଜଣେ ହୁଏତ ତା' ଜୀବନରେ କିଛି ହିଁ ପାଇନପାରେ ।  କିଛି ଅର୍ଥାତ୍‌, ବ୍ୟକ୍ତିଗତ ସୁଖ ଓ ବୈଷୟିକ ସମୃଦ୍ଧି । ନିଜକୁ  ବାଣ୍ଟିବାରେ ସେ ନିଃସ୍ୱ ହୋଇଯାଇପାରେ । ମାତ୍ର ବୈଷୟିକ  ସମୃଦ୍ଧିର ସୁଖ ଓ ନିଃସ୍ୱ ହେବାର ଆନନ୍ଦ ଭିତରେ ଯେ ଏକ  ପାର୍ଥକ୍ୟ ରହିଛି ଏବଂ ସୁଖ ଓ ଆନନ୍ଦ ଏକା କଥା ନୁହେଁ, ଏକଥା  ବୁଝିଲେ ହେଲା । ଏହା କୌଣସି ଅର୍ଜନ ବା ଆହରଣର କଥା  ନୁହେଁ, ସମ୍ପୂର୍ଣ୍ଣ ଅନୁଭବର କଥା । ଅନୁଭବ ଆସେ ଅନ୍ତରରୁ,  ଯାହାର ବ୍ୟାପ୍ତି ଅନ୍ତରୀକ୍ଷ ଯାଏଁ । ମାତ୍ର ନା ଆମେ ଅନ୍ତର୍ଲୋଚନକୁ  ଫେଡ଼ି ଦେଖୁ ନା ଅନ୍ତରୀକ୍ଷ ଉପରେ ଦୃଷ୍ଟି ପକାଉ । ଅହର୍ନିଶି  ଆମେ କେବଳ ବାହ୍ୟ ଆଡମ୍ବର, ଉପଚାର, ଅନୁଷ୍ଠାନ,  ଅର୍ଜନ ଭିତରେ ଘାଣ୍ଟି ହେଉଥାଉ । ଫଳରେ ଆନନ୍ଦ ବଦଳରେ  ତଥାକଥିତ ସୁଖର ବିଳାସ ଭିତରେ ବାଟବଣା ହୋଇଯାଉ ।  ଅନ୍ତରର ଡାକକୁ ଶୁଣି ନଶୁଣିଲା ପରି ରହିଯାଉ । ଫଳରେ  ପ୍ରକୃତ "ଖୁସି' ଆମ ପାଖରୁ ଅପହଞ୍ଚ ଦୂରତାରେ ରହିଯାଏ ।  ସଫଳତାର ସୋପାନ ପରେ ସୋପାନ ଅତିକ୍ରମ କରି ଶିଖରରେ  ପହଞ୍ଚିଲା ପରେ ବି ଜଣେ କାହିଁକି ଖୁସି ହୋଇପାରେ ନାହିଁ, ସେ  ସମ୍ପର୍କରେ କେହି ଚିନ୍ତା କରନ୍ତି କି? 

ବ୍ୟକ୍ତିକୁ କେନ୍ଦ୍ର କରି ସାହିତ୍ୟ, ସମାଜ, ଶାସନ ଓ  ରାଜନୀତିର ବିଧିବ୍ୟବସ୍ଥା । ମାତ୍ର ବ୍ୟବସ୍ଥା ଯେତେବେଳେ  ସମ୍ପୂର୍ଣ୍ଣ ବ୍ୟକ୍ତିଭିତ୍ତିକ ହୋଇଯାଏ, ବ୍ୟକ୍ତିରୁ ସମଷ୍ଟିକୁ ଏହା  ରୂପାନ୍ତରିତ ହୁଏନାହିଁ । ସେତେବେଳେ ବ୍ୟକ୍ତିଗତ ଖୁସିରେ  ବାଧା ସୃଷ୍ଟି ହୁଏ । କାରଣ ଆମ ସମାଜ ଓ ସଂସାରର ମୂଳକଥା  ହେଲା ସମ୍ପର୍କ । ସମସ୍ତଙ୍କ ସହିତ ରହିବାର ଭାବ । ସମସ୍ତଙ୍କ ହିତ  ପାଇଁ କାର୍ଯ୍ୟ କରିବାର ଆଗ୍ରହ ଓ ଅନୁଭବ । ଆମ ସମସ୍ତଙ୍କର  ଜୀବନ ଗୋଟିଏ ଗୋଟିଏ ପଥିକର ଜୀବନ । ପଥ ପଡ଼ିଥାଏ  ବହୁଦୂର ଯାଏଁ, ବିସ୍ତାରିତ ପଥ, ଆଖି ପାଏନାହିଁ । ପଥଚଲା  ବି ଆରମ୍ଭ ହୁଏ, ମାତ୍ର କ'ଣ ହୁଏ କେଜାଣି, ବାଟ ମଝିରେ  କିଛି ପାଇଗଲା ପରେ, ଆମର ସେହି ପ୍ରାପ୍ତି ଓ ଅର୍ଜନକୁ  ସଂଗ୍ରହ ଓ ସଞ୍ଚୟ କରି ସେଥିରେ ସନ୍ତୁଷ୍ଟ ରହି ଭୁଲିଯାଉ  ଆମ ବାଟ ଚାଲିବାର ସଂକଳ୍ପ । ହାତରେ ହାତ ଛନ୍ଦି, ପାଦରେ  ପାଦ ମିଳେଇ ଚାଲିବାର ଆନନ୍ଦ । ବିପଦକୁ ବରଣ କରିବାର,  ସଂକଟକୁ ସାମ୍ନା କରିବାର ସାହସ ଓ ସାମର୍ଥ୍ୟ । ନିଜକୁ ସୁରକ୍ଷିତ  କରି ରଖିବାର ଭାବନାରେ ଆମେ ପ୍ରକୃତରେ ଅସୁରକ୍ଷିତ ହିଁ  ରହିଥାଉ । ସଦାସର୍ବଦା ନାନାବିଧ ଆଶଙ୍କା ଓ ଆତଙ୍କ ଭିତରେ  ଘାରି ହେଉଥାଉ । ସମ୍ପର୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିମଣ୍ଡଳରୁ ସମ୍ପର୍କହୀନତାର ସଂକୁଚିତ ବ୍ୟୂହ ଭିତରକୁ ଆମେ ଟାଣି  ହୋଇଯାଉ । 

"ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ  ପ୍ରତି ରକ୍ତବିନ୍ଦୁ' ଏହା ଥିଲା ଆମର ପ୍ରିୟ ଗୋପବନ୍ଧୁଙ୍କର  ଅମରବାଣୀ । ବୁଝିଛୁ କି ଏହାର ମର୍ମାର୍ଥ? ନିଜକୁ "ହିନ୍ଦୁ' ବୋଲି  କହି ଗର୍ବ କରିବା ଭିତରେ ଆମେ ଆମର "ହିନ୍ଦୁତ୍ୱ'କୁ ସଂକୀର୍ଣ୍ଣ  ଧର୍ମଧାରଣାର ଗଣ୍ଡି ଭିତରେ ଆବଦ୍ଧ କରିଦେଇଛୁ । ଜଣେ ହିନ୍ଦୁ  ସନ୍ନ୍ୟାସୀ ଭାବରେ ବିବେକାନନ୍ଦ ବିଶ୍ୱ ଧର୍ମ ସମ୍ମିଳନୀରେ ଯୋଗ  ଦେଇଥିଲେ ସତ, ମାତ୍ର ନିଜ ହିନ୍ଦୁତ୍ୱର ଯଥାର୍ଥ ପରିଚୟରେ  ସେ ସମଗ୍ର ବିଶ୍ୱମନକୁ ଜୟ କରିଯାଇଥିଲେ । ଭାରତର  ସ୍ୱାମୀ ବିବେକାନନ୍ଦ ହୋଇଗଲେ ବିଶ୍ୱବିଜୟୀ ବିବେକାନନ୍ଦ ।  ଧର୍ମୀୟ ଔପଚାରିକତା ଓ ଆନୁଷ୍ଠିକତାର ଊଦ୍ଧ୍ୱର୍ରେ ଖେଳିଗଲା  ବିଶ୍ୱଜୀବନରେ ପ୍ରେମର ପ୍ଳାବନ । 

"ପ୍ରେମେ ଅବଗାହି ନିଜ ପରିଚୟ/ ପାଇଅଛି ମୁଁ ଏ କ୍ଷୁଦ୍ର  ଜୀବନେ/ ମୋ ହୃଦ କଲ୍ଲୋଳ ଉଛୁଳେ ଉଲ୍ଲାସେ/ ଜଳେ  ସ୍ଥଳେ ଫଳେ ଫୁଲେ ଗଗନେ' । ପୁଣି ମନେ ପଡ଼ିଯାଆନ୍ତି ବିଶ୍ୱ  ଜୀବନର ବାର୍ତ୍ତାବହ ପ୍ରେମିକ ଗୋପବନ୍ଧୁ। ମଣିଷ ମଣିଷର ବନ୍ଧୁ  ହେବାକୁ ମନ କଲେ ତା' ନିଜ ଭିତରେ କେତେ କ'ଣ ଦ୍ୱାର  ପ୍ରକୃତରେ ଉନ୍ମୋଚିତ ହୋଇଯାଏ । ସେ ମୁକୁଳିତ ହେବାରେ  ଲାଗିଯାଏ । ତା'ର ସାହିତ୍ୟ, ତା'ର ରାଜନୀତି, ତା' ବ୍ୟକ୍ତିଗତ  ଜୀବନର ସଫଳତା ଓ ବିଫଳତା ତା'କୁ ଆଉ ବିଭାଜିତ କରି  ରଖେନାହିଁ । ଏକ ଅବିଭକ୍ତ ଜୀବନର ସ୍ୱାଦ ସେ ଆହରଣ  କରିପାରେ ।  

ମୋର ଅଧ୍ୟୟନ, ଅନୁଭବ ଓ ମନନଶୀଳତାରେ ମୁଁ  ସ୍ମରଣ କରୁଛି ପ୍ରିୟ ଚିତ୍ତଭାଇଙ୍କୁ, ଆମ ସମୟର ବିଶିଷ୍ଟ  ଚିନ୍ତାନାୟକ ଚିତ୍ତରଂଜନ ଦାସ। ତାଙ୍କରି ଭାଷାରେ ମୁଁ କହିବାକୁ  ଚାହେଁ "ସବୁ ପ୍ରକାରର ଖୋଳ ସତ୍ତେ୍ୱ ପ୍ରତ୍ୟେକ ମଣିଷ ଭିତରେ  ଯେ ସବା ତଳେ ବନ୍ଧୁଟିଏ ବସି ରହିଛି, ଅପେକ୍ଷା କରି ବସିଛି  ଓ ଅନ୍ୟମାନଙ୍କ ଭିତରେ ବନ୍ଧୁକୁ ହିଁ ଖୋଜିବାରେ ଲାଗିଛି' ।  ସେହି ବିଶ୍ୱାସ ଟିକକ ମୋ ଭିତରେ ଅଧିକରୁ ଅଧିକ ବଳବତ୍ତର  ହେବାରେ ଲାଗିଛି । ହୁଏତ ସେଇ ବାଟରେ ଆହୁରି ଆଗକୁ  ଯାଇ ମୁଁ ଭଗବାନଙ୍କୁ ବନ୍ଧୁ ରୂପେ ଆବିଷ୍କାର କରିଛି । ଯିଏ ଅଯାଚିତ ଭାବରେ ଦିଏ, ମୁକ୍ତ ଭାବରେ ଦିଏ, ଉଜ୍ୱଳ କରେ ଓ ଆଲୋକିତ କରିଦିଏ, ସେଇ ହେଉଛି ବନ୍ଧୁ । ଏହିପରି ଭାବରେ  ମୁଁ ସମ୍ଭବତଃ ସୂର୍ଯ୍ୟକୁ ଆପଣା ଜୀବନର ସର୍ବଶ୍ରେଷ୍ଠ ପ୍ରତୀକ  ବୋଲି ଅନୁଭବ କରି ଶିଖିଛି । ଆଖି ବୁଜିଲା ମାତ୍ରକେ ଭିତରେ  ଓ ବାହାରେ ଆଲୋକ ଦେଖିଛି । ଲୋଡ଼ିଲା ମାତ୍ରକେ ଆପଣାର  ଭିତରେ ଓ ବାହାରେ ସତେ ଅବା କେଉଁ ଆତ୍ମୀୟଜନକୁ ଅନୁଭବ  କରିଛି । ସମ୍ଭବତଃ ସେହି କାରଣରୁ ହିଁ, ମୁଁ ନିଜ ଜୀବନରେ  ଶିକ୍ଷକତାର ବୃତ୍ତିଟିକୁ ଆଦରି ନେଇଛି । ସେହି ବୃତ୍ତିକୁ ଏକ  ବ୍ରତରେ ପରିଣତ କରିବାର ଚେଷ୍ଟା କରିଛି ଏବଂ ତାହାରି  ଦ୍ୱାରା ହିଁ ମୋ ଭିତରେ ସମସ୍ତ ଶକ୍ତି ଓ ବ୍ୟାକୁଳତା ଗୋଟିଏ  ଛାତ୍ର ହୋଇ ପ୍ରତ୍ୟହ ଜନ୍ମଲାଭ କରିବାରେ ଲାଗିଛି । 

ମୋର ଛାତ୍ରମାନେ ମଧ୍ୟ ଅନେକ ସମୟରେ ଶିକ୍ଷକର ଭୂମିକାରେ ରହି  ମୋତେ ମାର୍ଗଦର୍ଶକ କରେଇଛନ୍ତି । ଶିଖେଇବା ଠାରୁ ଶିଖିବାରେ  ହିଁ ମୁଁ ଅଧିକ ଆନନ୍ଦ ପାଇଛି । ମୋ ନିଜ ଭିତରେ ମୁଁ କେବେ ନିଜକୁ ସଂକୁଚିତ, ସଂଗୁପ୍ତ  ଓ ଅବରୁଦ୍ଧ କରି ରଖିବାକୁ ଚାହିଁନାହିଁ । ନିଜକୁ ପରସ୍ତ ପରସ୍ତ  କରି ଖୋଲି ଦେଇଛି ଏବଂ ସେହି ଖୋଲିବାରେ ହିଁ ସବୁଠାରେ  ବିଶ୍ୱାସ ଅଧିକ ପାଇଛି । ଭଲ ପାଇବା ପାଇଛି । ପ୍ରେରଣା ଓ ପ୍ରୋତ୍ସାହନ ପାଇଛି । ସେହି ଆଗ୍ରହ ଓ ଉତ୍ସାହର ଦୃଷ୍ଟିରେ ହିଁ ମୁଁ  ଜୀବନକୁ, ନିଜକୁ ତଥା ଅନ୍ୟମାନଙ୍କୁ ଦେଖି ଶିଖିଛି ।