ବିଶାଖାପଟ୍ଟନମ୍ ୦୬/୧୨: ଆଜି ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ତୃତୀୟ ଦିନିକିଆ । ୧-୧ରେ ସିରିଜ ବରାବର ରହିଛି । ଭାରତୀୟ ଦଳକୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଉଛି । ୨-୦ରେ ଟେଷ୍ଟ ସିରିଜ ମୂଳପୋଛ କରିସାରିଥିବା ଦକ୍ଷିଣ ଆଫ୍ରିକା ଦଳ  ଉକ୍ତ ମ୍ୟାଚ୍ ଜିତିଲେ ଐତିହାସିକ ସଫଳତା ଅର୍ଜନ କରିବ । ଶେଷ ଥର ପାଇଁ ପାକିସ୍ତାନ ଦଳ ୧୯୮୬/୮୭ରେ ଭାରତ ଗସ୍ତରେ ଆସି ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ଜିତିଥିଲା ।

ଭାରତୀୟ ଦଳ ପାଇଁ ସମ୍ମାନ ବଞ୍ଚାଇବାର ସମୟ । ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ଦଳଗତ ପ୍ରଦର୍ଶନ ଜରୁରି । ତେଣୁ ଭାରତୀୟ ଦଳ ସବୁ ଶକ୍ତି ଖଟାଇ ବିଜୟ ପାଇଁ ପ୍ରୟାସ କରିବ। ଫଳରେ ବିଶାଖାପଟ୍ଟନମ୍‌ରେ  ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଭାରତୀୟ ଦଳ ଦିନିକିଆରେ କ୍ରମାନ୍ୱୟରେ ୨୦ଥର ଟସ୍ ହାରି ସାରିଲାଣି । ଶେଷ ଥର ପାଇଁ ଗତ ୨୦୨୩ ବିଶ୍ୱକପ ସେମି ଫାଇନାଲ୍‌ରେ ଭାରତ ଟସ୍ ଜିତିଥିଲା । ଭାରତୀୟ ଜଳବାୟୁରେ ଟସ୍ ସର୍ବଦା ପ୍ରଭାବ ପକାଇଥାଏ । ଦିବା-ରାତ୍ର ମ୍ୟାଚ୍ ସାଙ୍ଗକୁ ବଲ୍ ନିୟମରେ ପରିବର୍ତ୍ତନ ଟସ୍ ହାରୁଥିବା ଭାରତୀୟ ଦଳକୁ ଚିନ୍ତାରେ ପକାଇ ଦେଇଛି ।

ପ୍ରଥମ ୨ଟି ଯାକ ମ୍ୟାଚ୍‌ରେ ଶତକ ଅର୍ଜନ କରିବା ପରେ ସମଗ୍ର କ୍ରିକେଟ୍ ପ୍ରେମୀଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବା ସ୍ୱାଭାବିକ । ତାଙ୍କ ବ୍ୟାଟ୍‌ରୁ ହ୍ୟାଟ୍ରିକ ଶତକ ରେକର୍ଡ ଦେଖିବାକୁ ଦର୍ଶକ ଆଶା ବାନ୍ଧିବେ । ବିଶାଖାପଟ୍ଟନମ୍ରେ କୋହଲିଙ୍କ ପ୍ରଦର୍ଶନ ସର୍ବଦା ଆକର୍ଷଣୀୟ ରହିଛି । ଏଠାରେ ସେ ୪ଟି ଦିନିକିଆ ଓ ଗୋଟିଏ ଟେଷ୍ଟ ଶତକ ଅର୍ଜନ କରିଛନ୍ତି । ଦ୍ୱିତୀୟ ମ୍ୟାଚ୍ରେ ବିଫଳ ହୋଇଥିବା ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ମଧ୍ୟ ବଡ଼ ଇନିଂସ ଆଶା କରାଯାଉଛି । ତେବେ ଦଳର ନୂଆ ତାରକା ରୂପେ ଉଭା ହୋଇଥିବା ଋତୁରାଜ ଗାଏକୱାଡ୍‌ଙ୍କୁ ନେଇ ଉତ୍ସାହ ବଢ଼ିଛି । ଦ୍ୱିତୀୟ ଦିନିକିଆରେ ତାଙ୍କ ଶତକୀୟ ଇନିଂସ କୋହଲିଙ୍କ ଠାରୁ ମଧ୍ୟ ଆକର୍ଷଣୀୟ ରହିଥିଲା । ଦିନିକିଆ କ୍ରିକେଟ୍ରେ ୪ନଂ ସ୍ଥାନରେ ଖେଳିବା ପାଇଁ ଗାଏକୱାଡ୍ ଉପଯୁକ୍ତ ସଦସ୍ୟ ରୂପେ ଉଭା ହୋଇଛନ୍ତି ।

ଏସବୁ ଭିତରେ ମାର୍କୋ ଜାନସେନ ଓ ଯଶସ୍ୱୀ ଜୈସ୍ୱାଲଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିବ । ବାମ ହାତି ପେସ୍ ବୋଲରଙ୍କ ବିପକ୍ଷରେ ଜୈସ୍ୱାଲ୍ ବାରମ୍ବାର ବିଫଳ ହେଉଛନ୍ତି । ଟେଷ୍ଟ ସିରିଜରେ ଜାନସେନ ତାଙ୍କୁ ସହଜରେ ଆଉଟ୍ କରିଥିବା ଦେଖିବାକୁ ମିଳିଥିଲା । ଏଥର ଜୈସ୍ୱାଲ୍ ପୂର୍ବ ତ୍ରୁଟି ନ ଦୋହରାଇ ଜାନସେନଙ୍କୁ ପ୍ରବଳ ପ୍ରହାର କରିବେ ।

ଦକ୍ଷିଣ ଆଫ୍ରିକା ଏକାଦଶରେ ୨ଟି ପରିବର୍ତ୍ତନ କରିବା ସମ୍ଭାବନା ରହିଛି । ଦ୍ୱିତୀୟ ଦିନିକିଆରେ ପେସ୍ ବୋଲର ନାନ୍ଦ୍ରେ ବର୍ଗର ଓ ବାମ ହାତି ବ୍ୟାଟର ଟୋନି ଡି ଜର୍ଜି ଆହତ ହୋଇଥିଲେ । ଉଭୟ ଫିଟ୍ ହୋଇ ନାହାନ୍ତି । ତେଣୁ ଡି ଜର୍ଜିଙ୍କ ସ୍ଥାନରେ ରାନ୍ ରିକେଲଟନ ଓ ବର୍ଗରଙ୍କ ସ୍ଥାନରେ ଓଟିନେଲ୍ ବାର୍ଟମାନଙ୍କୁ ଏକାଦଶରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭାରତ ଏକାଦଶରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ବୋଲିଂ ବିଭାଗରେ ପରିବର୍ତ୍ତନର ଆବଶ୍ୟକତା ରହିଥିଲେ ହେଁ ଭାରତୀୟ ଦଳରେ ବିକଳ୍ପର ଅଭାବ ରହିଛି। ପ୍ରସିଦ୍ଧ କ୍ରିଷ୍ଣା ଦ୍ୱିତୀୟ ଦିନିକିଆରେ ୮.୪୮ ହାରରେ ରନ ପ୍ରଦାନ କରିଥିଲେ । ହେଲେ ଦଳରେ ଆଉ କୌଣସି ସ୍ପେଶାଲିଷ୍ଟ ପେସ ବୋଲର ନାହାନ୍ତି । କେବଳ ପେସ୍ ବୋଲିଂ ଅଲରାଉଣ୍ଡର ଭାବେ ନୀତିଶ କୁମାର ରେଡ୍ଡୀ ଦଳରେ ରହିଛନ୍ତି ।

ବିଶାଖାପଟ୍ଟନମ୍ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ପୂର୍ବ ୨ଟି ମ୍ୟାଚ୍ ଭଳି ଏଠାରେ ମଧ୍ୟ ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି । ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ରାଞ୍ଚି ଓ ରାଏପୁର ତୁଳନାରେ ଏଠାରେ ତାପମାତ୍ରା ଅଧିକ ରହିବା ନିଶ୍ଚିତ । ତଥାପି ରାତ୍ରିରେ କାକର ପଡ଼ିବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ୍, ବିରାଟ କୋହଲି, ଋତୁରାଜ ଗାଏକୱାଡ୍, କେଏଲ ରାହୁଲ (ଅଧିନାୟକ), ୱାସିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ।

ଦକ୍ଷିଣ ଆଫ୍ରିକା: ଆଡେନ ମାରକ୍ରମ, କ୍ୱିଣ୍ଟନ ଡି କକ୍, ତେମ୍ବା ବଭୁମା (ଅଧିନାୟକ), ମାଥ୍ୟୁ ବ୍ରୀଜକି, ଡିୱାଲ୍ଡ ବ୍ରେଭିସ, ର୍ୟାନ ରିକେଲଟନ, ମାର୍କୋ ଜାନସେନ, କର୍ବିନ ବସ୍କ, କେଶବ ମହାରାଜ, ଲୁଙ୍ଗି ଏନ୍‌ଗିଡ଼ି, ଓଟିନେଲ ବାର୍ଟମାନ ।