ମୁମ୍ବାଇ ୦୪/୦୧: ଜୁନୈଦ ଖାନ୍ ଓ ଖୁସି କପୁରଙ୍କ ଅପ୍କମିଙ୍ଗ ଫିଲ୍ମ ‘ଲଭ୍ୟାପା’ର ପ୍ରଥମ ଗୀତ ରିଲିଜ୍ ହୋଇଛି । ଗୀତ ଟିକିଏ ହଟ୍କେ, କିନ୍ତୁ ସଙ୍ଗୀତପ୍ରେମୀଙ୍କ ମନ ଛୁଇଁବାରେ ବିଫଳ ହୋଇଛି । ଗତ ଶୁକ୍ରବାର ଗୀତର ଭିଡିଓ ଇନ୍ଷ୍ଟାଗ୍ରାମରେ ପୋଷ୍ଟ୍ କରାଯାଇଛି । କ୍ୟାପ୍ସନ ରହିଛି ‘ଜୁନୈଦ-ଖୁସିଙ୍କ ଅଭିନୀତ ଟାଇଟଲ୍ ସଙ୍ଗ୍ ‘ଲଭ୍ୟାପା’ ପର୍ଫେକ୍ଟ ପ୍ରେମ ଗୀତ, ଯାହା ବର୍ତ୍ତମାନ ପିଢ଼ିକୁ ପୂରା ମ୍ୟାଚ୍ କରୁଛି । ଏହି ଗୀତ ସହିତ ଭାଲେନ୍ଟାଇନ୍ସ ଋତୁକୁ ସେଲିବ୍ରେଟ୍ କରନ୍ତୁ ।

ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ‘ଲଭ୍ୟାପା’ ସିନେମାଘରକୁ ଆସିବ ।’ ଖୁସି ନିଜ ଇନ୍ଷ୍ଟା ହ୍ୟାଣ୍ଡେଲ୍ରେ ଏହି ଗୀତ ପୋଷ୍ଟ୍ କରି ଲେଖିଛନ୍ତି ‘ବାବୁ ଶୋନା କର୍ତେ-କର୍ତେ ହୋ ଗୟା ଦିମାଗ୍ କା ଭାଜିୟାପା? ଏହା ‘ଲଭ୍ୟାପା’ର ଆରମ୍ଭ!’ ନାକାଶ ଅଜିଜ୍ ଓ ମଧୁବନ୍ତୀ ବାଗ୍ଚୀ ଏହି ଗୀତ ଗାଇଛନ୍ତି । ତେବେ ଗୀତକୁ ଲୋକେ ଖାସ୍ ପସନ୍ଦ କରିନାହାନ୍ତି । ଗୀତ ଭଳି ଫିଲ୍ମଟି ଚାଲିବ କି ନାହିଁ, ତାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି ।