ଏଲଆଇସି ପ୍ରତିବର୍ଷ ପ୍ରାୟ ୫ଲକ୍ଷ କୋଟି ଟଙ୍କାର ନିବେଶଯୋଗ୍ୟ ସରପ୍ଲସ୍ ବା ଉଦ୍ବୃତ ସୃଷ୍ଟିକରେ, ଯାହାକୁ ଏହା ସରକାରୀ ସିକ୍ୟୁରିଟିଜ୍, ବଣ୍ଡ୍, ଇକ୍ୱିଟି ଏବଂ ଡିବେଞ୍ଚରରେ ନିବେଶ କରେ । ସରକାରୀ ସିକ୍ୟୁରିଟିଜ୍କୁ ଛାଡ଼ିଦେଲେ ସବୁ ନିବେଶରେ କିଛି ରିସ୍କ ଥାଏ, କିନ୍ତୁ ନିବେଶ ନକଲେ ବୀମାଧାରୀଙ୍କୁ ଅଧିକ ରିଟର୍ଣ୍ଣ କିପରି ଦେବ ।
ସମ୍ପ୍ରତି "ୱାଶିଂଟନ୍ ପୋଷ୍ଟ’ ପ୍ରାଂଶୁ ବର୍ମା ଏବଂ ରବି ନାୟାରଙ୍କ ଦ୍ୱାରା ଲିଖିତ "ଆମେରିକାର ଅଭିଯୋଗ ପରେ ମୋଦିଙ୍କ ମହାରଥୀକୁ ସାହାଯ୍ୟ କରିବା ପାଇଁ ଭାରତର ୩.୯ ବିଲିୟନ ଡଲାର ଯୋଜନା’ ଶୀର୍ଷକ ଏକ ନିବନ୍ଧ ପ୍ରକାଶ କରିଛି । ସେହି ନିବନ୍ଧରେ ଦାବି କରାଯାଇଛି ଯେ ଅର୍ଥ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ (ଡିଏଫ୍ଏସ୍) ଏବଂ ନୀତି ଆୟୋଗର ଅଧିକାରୀମାନେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡ଼ିକରେ ୩.୯ ବିଲିୟନ ଡଲାର କିମ୍ବା ୩୩,୦୦୦ କୋଟି ଟଙ୍କା ନିବେଶ କରିବାକୁ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଉପରେ ଚାପ ପକାଇଥିଲେ ।
ସେହି ନିବନ୍ଧ ବା ଲେଖା ଅନୁଯାୟୀ, ଏହି ହସ୍ତକ୍ଷେପ ଏପରି ଏକ ସମୟରେ ଆସିଥିଲା ଯେତେବେଳେ ଆଦାନୀ ଗୋଷ୍ଠୀ ଋଣ ପରିଶୋଧ କରିବାରେ ଅକ୍ଷମ ଥିଲା ଏବଂ ଆମେରିକାରେ ଲାଞ୍ଚ ଏବଂ ଠକେଇ ଅଭିଯୋଗରେ ଅଭିଯୁକ୍ତ ହେବାପରେ ପ୍ରମୁଖ ଆମେରିକୀୟ ଏବଂ ୟୁରୋପୀୟ ବ୍ୟାଙ୍କଗୁଡ଼ିକରୁ ପାଣ୍ଠି ଆଣିବାରେ ସମସ୍ୟାର ସମ୍ମୁଖୀନ ହେଉଥିଲା । ଏଠାରେ ଆଦାନୀ ଭଲ ବା ଖରାପ ବା ଏହା ସରକାରଙ୍କୁ ପ୍ରଭାବିତ କରେ ବା ନକରେ ତାହା ଆଲୋଚନାର ବିଷୟ ନୁହେଁ, ପ୍ରଶ୍ନ ହେଉଛି ଏଲଆଇସି ଯେଉଁ ନିବେଶ କରିଛି ତାହା ନୀତି, ନିୟମ ଅନୁଯାୟୀ ହୋଇଛି ନା ନାହିଁ ଏବଂ ବୀମାଧାରୀଙ୍କ ଅର୍ଥ ସଂପୂର୍ଣ୍ଣ ସୁରକ୍ଷିତ ନା ନୁହେଁ? ଯଦି ଜଣେ ନିରପେକ୍ଷ ଓ ତଥ୍ୟଭିତ୍ତିକ ଭାବେ ବିଶ୍ଳେଷଣ କରିବ ତେବେ ଏହି ସିଦ୍ଧାନ୍ତରେ ଉପନୀତ ହେବା ଯେ, ନିବେଶ ନିୟମ ଅନୁଯାୟୀ ହୋଇଛି ଓ ବୀମାଧାରୀଙ୍କ ଅର୍ଥ-ସ୍ୱାର୍ଥ ସଂପୂର୍ଣ୍ଣ ସୁରକ୍ଷିତ। ଗଭୀର ଭାବରେ ଅନୁଧ୍ୟାନରୁ ଜଣାପଡ଼େ ୱାଶିଂଟନ୍ ପୋଷ୍ଟର ମତ ଓ ତଥ୍ୟ ତ୍ରୁଟିପୂର୍ଣ୍ଣ ଏବଂ ଉପସ୍ଥାପନା ଭ୍ରମାତ୍ମକ। ଏଲଆଇସି ସମସ୍ତ ଅଭିଯୋଗକୁ ଦୃଢ଼ଭାବରେ ପ୍ରତ୍ୟାଖ୍ୟାନ କରିଛି । ୱାଶିଂଟନ୍ ପୋଷ୍ଟର ଦାବିଗୁଡ଼ିକୁ "ମିଥ୍ୟା, ଭିତ୍ତିହୀନ ଏବଂ ସତ୍ୟଠାରୁ ବହୁ ଦୂରରେ’ ବୋଲି ବର୍ଣ୍ଣନା କରିଛି ।
ଏହା ସ୍ପଷ୍ଟଭାବରେ କହିଛି ଯେ, ନିୟାମକ ନିର୍ଦ୍ଦେଶାବଳୀ ଅନୁସରଣ କରି ଏବଂ ସର୍ବଦା ପଲିସିଧାରକଙ୍କ ସର୍ବୋତ୍ତମ ସ୍ୱାର୍ଥକୁ ଆଖିଆଗରେ ରଖି ନିବେଶ ନିଷ୍ପତ୍ତି ସ୍ୱାଧୀନ ଭାବରେ ନେଇଥାଏ । ଏହା ସ୍ପଷ୍ଟ କରିଛି ଯେ, ନିବେଶ ନିଷ୍ପତ୍ତିଗୁଡ଼ିକ ବୋର୍ଡ ଦ୍ୱାରା ଅନୁମୋଦିତ ନୀତି ଏବଂ ସଠିକ୍ ରିସ୍କ ପରିଚାଳନା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । କୌଣସି ସରକାରୀ ହସ୍ତକ୍ଷେପର ଧାରଣାକୁ ପ୍ରତ୍ୟାଖ୍ୟାନ କରି ପୂର୍ବତନ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ମହାନ୍ତି ରିପାର୍ଟକୁ "ବିଭ୍ରାନ୍ତିକର କାହାଣୀ’ ବୋଲି କହିଛନ୍ତି । ଆଦାନୀର ବିଭିନ୍ନ ସଂସ୍ଥାରେ ଏଲ୍ଆଇସିର ନିବେଶ ସର୍ବନିମ୍ନ, ବିବିଧ ଏବଂ ଲାଭଜନକ, ଯାହା ଏହାର ବିଶ୍ୱସ୍ତ କର୍ତ୍ତବ୍ୟ ସୂଚାଇଥାଏ । ପ୍ରଥମତଃ ପ୍ରକୃତ ନିବେଶ ପରିମାଣ ୩.୯ ବିଲିୟନ ଡଲାର ନୁହେଁ, ବରଂ ୫୮୫ ନିୟୁତ ଡଲାର । ଏହି ପରିମାଣ ମଇ ୨୦୨୫ରେ ଆଦାନୀ ପୋର୍ଟସ୍ ଏବଂ ସ୍ପେଶାଲ ଇକୋନୋମିକ୍ ଜୋନ୍ରେ ୧୫ବର୍ଷର ଏକ ନନ୍-କନଭର୍ଟିବଲ୍ ଡିବେଞ୍ଚର ବା ଅଣ-ପରିବର୍ତ୍ତନୀୟ ଋଣରେ ନିବେଶ କରାଯାଇଥିଲା । ଏକ ନନ୍-କନଭର୍ଟିବଲ୍ ଡିବେଞ୍ଚର ହେଉଛି ଏକ କମ୍ପାନୀ ଦ୍ୱାରା ପୁଞ୍ଜି ସଂଗ୍ରହ ପାଇଁ ଜାରି କରାଯାଇଥିବା ଏକ ଋଣ ଉପକରଣ । କନଭର୍ଟିବଲ୍ ଡିବେଞ୍ଚର ପରି ନନ୍-କନଭର୍ଟିବଲ୍ ଡିବେଞ୍ଚର କମ୍ପାନୀର ଅଂଶଧନକୁ ରୂପାନ୍ତର ହୋଇପାରିବ ନାହିଁ । ବଣ୍ଡ ଓ ଡିବେଞ୍ଚରରେ ନିବେଶକମାନେ ସୁଧ ମାଧ୍ୟମରେ ଏକ ସ୍ଥିର, ନିୟମିତ ଆୟ ପାଆନ୍ତି ଏବଂ ପରିପକ୍ୱତା ପରେ ସେମାନଙ୍କର ମୂଳଧନ ଫେରିପାଆନ୍ତି ।
ବଣ୍ଡ ଅପେକ୍ଷା ଡିବେଞ୍ଚରରେ ଅଧିକ ରିସ୍କ ଥିଲେ ମଧ୍ୟ ରିଟର୍ଣ୍ଣ ଅଧିକ ମଧ୍ୟ । କିନ୍ତୁ ଆଦାନୀ ଏହି ନନ୍-କନଭର୍ଟିବଲ୍ ଡିବେଞ୍ଚରଗୁଡ଼ିକର କୁପନ୍ ହାର ୭.୭୫% ଏବଂ ଏକ ‘ଏଏଏ' କ୍ରେଡିଟ୍ ରେଟିଂ ଧାରଣ କରେ, ଯାହା ସର୍ବନିମ୍ନ କ୍ରେଡିଟ୍ ବିପଦକୁ ସୂଚିତ କରେ । ରିଟର୍ଣ୍ଣ ତୁଳନା କଲେ, ୧୦ବର୍ଷର ସରକାରୀ ସିକ୍ୟୁରିଟିଜ୍ରୁ ଏଲଆଇସି ପାଇପାରୁଥିବା ୭.୨% ଅପେକ୍ଷା ଏହା ଅଧିକ । ପୁନଶ୍ଚ ଏହି ୫,୦୦୦ କୋଟି ଟଙ୍କା ଆଦାନୀ ଗୋଷ୍ଠୀର ମୋଟ୍ ଋଣର ୨.୬ଲକ୍ଷ କୋଟି ଟଙ୍କାର ୨%ରୁ କମ୍ । ତେଣୁ ନିବେଶ ପଲିସିଧାରକଙ୍କ ପାଇଁ ଉତ୍ତମ ରିଟର୍ଣ୍ଣ ମଧ୍ୟ ସୁନିଶ୍ଚିତ କରିଥିଲା । ଆଦାନୀ କମ୍ପାନୀଗୁଡ଼ିକରେ ଏଲଆଇସିର ନିବେଶ ତୁଳନାତ୍ମକ ଭାବରେ କମ୍ । ଏହାର ପରିଚାଳନାଧୀନ ମୋଟ୍ ସମ୍ପତ୍ତିର ପ୍ରାୟ ୧% । ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ଏଲଆଇସି ମୋଟ୍ ସମ୍ପତ୍ତି ୫୨.୮୫ଲକ୍ଷ କୋଟି ଟଙ୍କା ଥିଲାବେଳେ ଏହାର ପରିଚାଳନାଧୀନ ସମ୍ପତ୍ତି ୫୪.୫୨ଲକ୍ଷ କୋଟି ଥିଲା । ଏହି ବିଶାଳ ସମ୍ପତ୍ତି ଭାରତର ଆର୍ଥିକ ଇକୋସିଷ୍ଟମରେ ଏଲଆଇସିର ପ୍ରାଧାନ୍ୟକୁ ଦର୍ଶାଏ । ୱାଶିଂଟନ୍ ପୋଷ୍ଟ ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ଆଦାନୀ ପୋର୍ଟସ୍ ବଣ୍ଡ୍ ଇସୁର ଏକମାତ୍ର ସବସ୍କ୍ରାଇବର୍ ଥିଲା । କିନ୍ତୁ ଯଦିଓ ଏଲଆଇସି ସେହି ନନ୍-କନଭର୍ଟିବଲ୍ ଡିବେଞ୍ଚରଗୁଡ଼ିକରେ ସମ୍ପୂର୍ଣ୍ଣ ଭାବରେ ସବସ୍କ୍ରାଇବର୍ କରିଛି, ଏହା ପକ୍ଷପାତିତାକୁ ସୂଚିତ କରେନାହିଁ । କାରଣ ବଡ଼ ସଂସ୍ଥାଗତ ନିବେଶକମାନେ ଏପରି ସମ୍ପୂର୍ଣ୍ଣ ବଣ୍ଡ୍ ସବ୍ସ୍କ୍ରାଇବ୍ କରନ୍ତି । ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ୱ ନିବେଶକମାନେ ଆଦାନୀ ଗୋଷ୍ଠୀକୁ ପାଣ୍ଠି ଯୋଗାଇବା ଜାରି ରଖିଛନ୍ତି । ଏଲଆଇସିର ନିବେଶର ଠିକ୍ ଗୋଟିଏ ମାସ ପରେ ଜୁନ୍ ୨୦୨୫ରେ ଆମେରିକା-ଭିତ୍ତିକ ଆପୋଲା ଗ୍ଲୋବାଲ ମ୍ୟାନେଜମେଣ୍ଟର ବୀମା ଶାଖା, ଆଥେନ୍, ଆଦାନୀଙ୍କ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ୭୫୦ ନିୟୁତ ଡଲାର (୬,୬୫୦ କୋଟି ଟଙ୍କା) ବଣ୍ଡରେ ନିବେଶ କରିଛି । ସେହିପରି ବ୍ଲାକରକ୍, ଆପୋଲା, ମିଜୁହୋ, ଏମୟୁଏଫଜି ଏବଂ ଜର୍ମାନୀର ଡିଜେଡ୍ ବ୍ୟାଙ୍କ ଭଳି ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଆଦାନୀ ଋଣ ଉପକରଣରେ ନିବେଶ କରିଛନ୍ତି ।
ସୁଧ, ଟିକସ, ମୂଲ୍ୟହ୍ରାସ ଏବଂ ପରିଶୋଧ ପୂର୍ବରୁ ରୋଜଗାର (ଇବିଆଇଟିଡିଏ) ଏକ କମ୍ପାନୀର ଲାଭ ଏବଂ ନଗଦ ପ୍ରବାହ ସୃଷ୍ଟି କରିବାର କ୍ଷମତାକୁ ମାପ କରେ । ଏହି ମାପଦଣ୍ଡ ଅନୁସାରେ ଆଦାନୀ ଗ୍ରୁପର କାର୍ଯ୍ୟଦକ୍ଷତା ଦୃଢ଼ ହୋଇଛି । ୨୦୧୮-୧୯ରେ ନିଟ୍ ଋଣଇବିଆଇଟିଡିଏ ଅନୁପାତ ୩.୮ ଗୁଣରୁ ୨୦୨୪-୨୫ରେ ୨.୬ ଗୁଣକୁ ହ୍ରାସପାଇଛି । ଏହା ଏକ ସୁସ୍ଥ ବାଲାନ୍ସ ସିଟ୍ ଏବଂ ଋଣ ପରିଶୋଧ କରିବାର ଅଧିକ କ୍ଷମତାକୁ ସୂଚିତ କରେ । ଏହିପରି ଦୃଢ଼ ଆର୍ଥିକ ବ୍ୟବସ୍ଥା ଆଦାନୀ ଗ୍ରୁପ ବଣ୍ଡକୁ ଏଲଆଇସି ପରି ସଂସ୍ଥାଗତ ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସୁଯୋଗ କରିଥାଏ, ଯାହା ସୁରକ୍ଷା ସୁନିଶ୍ଚିତ କରିବା ସହିତ ଉଚ୍ଚ ରିଟର୍ଣ୍ଣ ଅର୍ଜନ କରିବାର ଏହାର ଆଦେଶ ସହିତ ସମନ୍ୱୟ ରଖେ । ଏଲଆଇସି ପ୍ରତିବର୍ଷ ପ୍ରାୟ ୫ଲକ୍ଷ କୋଟି ଟଙ୍କାର ନିବେଶଯୋଗ୍ୟ ସରପ୍ଲସ୍ ବା ଉଦ୍ବୃତ ସୃଷ୍ଟିକରେ, ଯାହାକୁ ଏହା ସରକାରୀ ସିକ୍ୟୁରିଟିଜ୍, ବଣ୍ଡ, ଇକ୍ୱିଟି ଏବଂ ଡିବେଞ୍ଚରରେ ନିବେଶ କରେ । ସରକାରୀ ସିକ୍ୟୁରିଟିଜ୍କୁ ଛାଡିଦେଲେ ସବୁ ନିବେଶରେ କିଛି ରିସ୍କ ଥାଏ, କିନ୍ତୁ ନିବେଶ ନକଲେ ବୀମାଧାରୀଙ୍କୁ ଅଧିକ ରିଟର୍ଣ୍ଣ କିପରି ଦେବ । ଏହାର ପ୍ରାୟ ୭୫% ପାଣ୍ଠି ସରକାରୀ ଉପକରଣଗୁଡ଼ିକରେ ନିବେଶ କରେ । ଅବଶିଷ୍ଟ ପାଣ୍ଠି ପଲିସିଧାରକଙ୍କ ରିଟର୍ଣ୍ଣ ବୃଦ୍ଧି କରିବା ପାଇଁ କର୍ପୋରେଟ୍ ଉପକରଣଗୁଡ଼ିକରେ ବିନିଯୋଗ କରାଯାଏ । ଇକ୍ୱିଟି ବା ଅଂଶଧନରେ ନିବେଶ କରିବାରେ ଏଲଆଇସି ଭାରତରେ ଏକନମ୍ବର । ଏଲଆଇସି ବିଭିନ୍ନ କ୍ଷେତ୍ରରେ ୩୨୨ଟି ତାଲିକାଭୁକ୍ତ କମ୍ପାନୀରେ ଇକ୍ୱିଟି ବା ଅଂଶଧନରେ ନିବେଶ କରିଛି । ଏହା ଭାରତର ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ ଦେବା ସହିତ ନାଗରିକଙ୍କ ସଞ୍ଚୟକୁ ସୁରକ୍ଷା ଦେଇଥାଏ । ଏଲଆଇସି ଅଂଶଧନ ବା ଇକ୍ୱିଟିରେ ନିବେଶ କରିବାରେ ୧ନଂ. କମ୍ପାନୀ । ଏଲଆଇସି ହେଉଛି ଏକ କଣ୍ଟ୍ରାରିଆନ୍ ନିବେଶକ । ଏକ କଣ୍ଟ୍ରାରିଆନ୍ ନିବେଶକ ହେଉଛନ୍ତି, ଜଣେ ଯିଏ ପ୍ରଚଳିତ ବଜାର ଭାବନା ବିରୁଦ୍ଧରେ ନିବେଶ କରନ୍ତି । ସେୟାର ମୂଲ୍ୟ କମ୍ ଥିଲାବେଳେ (ବିଅର ବଜାର) ଏଲଆଇସି ବିଭିନ୍ନ କମ୍ପାନୀର ସେୟାର କ୍ରୟ କରେ ଏବଂ ଯେତେବେଳେ ସେୟାର ମୂଲ୍ୟ ବୃଦ୍ଧିପାଉଥାଏ (ବୁଲ୍ ବଜାର) ବିଭିନ୍ନ କମ୍ପାନୀର ସେୟାର ବିକ୍ରି କରି ଅଧିକ ଲାଭ ଅର୍ଜନ କରିଥାଏ । ଗତ ଦଶନ୍ଧି ମଧ୍ୟରେ, ଭାରତର ଶ୍ରେଷ୍ଠ ୫୦୦ କମ୍ପାନୀରେ ଏଲଆଇସିର ନିବେଶର ବଜାର ମୂଲ୍ୟ ଦଶଗୁଣରୁ ଅଧିକ ବୃଦ୍ଧିପାଇଛି ।
୨୦୧୪ରେ ଯାହା ୧.୫୬ଲକ୍ଷ କୋଟି ଟଙ୍କା ଥିଲା ତାହା ସେପ୍ଟେମ୍ବର ୨୦୨୫ ସୁଦ୍ଧା ୧୬.୦୯ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅକ୍ଟୋବର ୨୦୨୫ ସୁଦ୍ଧା ଆଦାନୀ ସେୟାରରେ ଏଲଆଇସିର ଇକ୍ୱିଟି ନିବେଶ ୬୦,୦୦୦କୋଟି ଟଙ୍କା ବୋଲି ଆକଳନ କରାଯାଇଛି, ଯାହା ଏହାର ମୋଟ୍ ଇକ୍ୱିଟି ପୋର୍ଟଫୋଲିଓର ପ୍ରାୟ ୪% । ଅନ୍ୟ ସଂସ୍ଥାରେ ଏହାର ନିବେଶ ତୁଳନାରେ ଯଥେଷ୍ଟ କମ୍ । ବିର୍ଲା ଗ୍ରୁପରେ ଏଲଆଇସିର ଇକ୍ୱିଟି ହୋଲଡିଂ ମଧ୍ୟ ୪୨,୬୦୦କୋଟି ଟଙ୍କା । ଏହିପରି ତୁଳନା ଦର୍ଶାଉଛି ଯେ, ଏଲଆଇସି ଆଦାନୀ ଗ୍ରୁପ୍ ଫାର୍ମଗୁଡ଼ିକରେ ଅସମାନୁପାତିକ ଭାବରେ ନିବେଶ କରୁନାହିଁ । ଅଧିକନ୍ତୁ, ଏଲଆଇସିର ଆଦାନୀସମ୍ବନ୍ଧିତ ହୋଲଡିଂଗୁଡ଼ିକ ୧୨୦%ରୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିଛି । ଡିସେମ୍ବର ୨୦୨୨ ଶେଷରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡ଼ିକରେ ଏଲଆଇସିର ମୋଟ୍ ସେୟାର ମୂଲ୍ୟ ୩୦,୧୨୭ ଟଙ୍କା ଏବଂ ଋଣରେ ୪୭୯୦କୋଟି ଟଙ୍କା ଥିଲା । କିନ୍ତୁ ହିଣ୍ଡେନବର୍ଗଙ୍କ ଅଭିଯୋଗ ପରେ ୨୦୨୩ ଫେବ୍ରୁଆରୀ ଶେଷ ସୁଦ୍ଧା ଏଲଆଇସିର ସେୟାର ମୂଲ୍ୟ କ୍ରୟ ମୂଲ୍ୟଠାରୁ ହ୍ରାସପାଇ ପ୍ରାୟ ୨୭,୦୦୦୦ କୋଟି ଟଙ୍କା ହୋଇଥିଲା । କିନ୍ତୁ ୨୦୨୩-୨୪ରେ ଏହା ବୃଦ୍ଧିପାଇ ୬୧,୨୧୦କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଏହା ଏଲଆଇସିର ଶୃଙ୍ଖଳିତ ପୋର୍ଟଫୋଲିଓ ପରିଚାଳନା ଏବଂ ବିଶେଷଜ୍ଞତାକୁ ପ୍ରତିଫଳିତ କରେ । ଗଣମାଧ୍ୟମର କଳ୍ପନାଜଳ୍ପନା ସତ୍ତେ୍ୱ, ଏଲଆଇସିର ଆର୍ଥିକ ଫଳାଫଳ ଏହାର ସୁଦୃଢ଼ ପରିଚାଳନା ଅଭ୍ୟାସକୁ ପ୍ରଦର୍ଶନ କରେ । ଜୁଲାଇ-ସେପ୍ଟେମ୍ବର ୨୦୨୫ ତ୍ରୈମାସିକ ପାଇଁ ଏହାର ସ୍ୱତନ୍ତ୍ର ନିଟ୍ ଲାଭ ପୂର୍ବବର୍ଷ ତୁଳନାରେ ୩୨% ବୃଦ୍ଧିପାଇ ୧୦,୦୫୩ କୋଟି ଟଙ୍କା ହୋଇଛି । ଏଲଆଇସି ସମ୍ପର୍କରେ "ୱାଶିଂଟନ୍ ପୋଷ୍ଟ’ ଯେଉଁ କଥା କହିଛି ତା’ ପଛରେ କିଛି ଚକ୍ରାନ୍ତ ଥାଇପାରେ ।
ଏଲଆଇସିର ସୁନାମରେ ଆଞ୍ଚ ଆଣି ଘରୋଇ ବୀମା କମ୍ପାନୀକୁ ଶକ୍ତିଶାଳୀ କରିବା । ୧୯୫୬ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏଲଆଇସି ଏକ ବିରାଟ ବୃଦ୍ଧିପାଇଛି ଏବଂ କେବଳ ଏକ ବୀମା ପ୍ରଦାନକାରୀ ନୁହେଁ । ଏହା ଭାରତର ସାମାଜିକ-ଆର୍ଥିକ ଢାଞ୍ଚାର ଏକ ସ୍ତମ୍ଭ, ଯାହା ବ୍ୟାପକ ଜାତୀୟ ସଞ୍ଚୟକୁ ଭିତ୍ତିଭୂମି, ସାମାଜିକ କ୍ଷେତ୍ର ଏବଂ ଶିଳ୍ପ ବିକାଶରେ ପରିଚାଳିତ କରେ । ଏଲଆଇସି ବିଶ୍ୱାସ, ଆର୍ଥିକ ଶୃଙ୍ଖଳା ଏବଂ ଜାତୀୟ ଗର୍ବର ପ୍ରତୀକ ଭାବରେ ଠିଆହୋଇ ରହିଛି, ଏକ ସଂସ୍ଥା ଯାହା ଲକ୍ଷ ଲକ୍ଷ ଭାରତୀୟଙ୍କ ବିଶ୍ୱାସକୁ ଆକର୍ଷିତ କରେ ଏବଂ ଦେଶର ଅର୍ଥନୈତିକ ଭବିଷ୍ୟତକୁ ଆଗକୁ ବଢ଼ାଏ । ଏପରି ଏକ ସଂସ୍ଥାକୁ ରାଜନୈତିକ ପକ୍ଷପାତିତାର ଅଭିଯୋଗ କରିବା ଏହାର ଐତିହ୍ୟ ଏବଂ ଏହାକୁ ବିଶ୍ୱାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ କ୍ଷତିକାରକ । ବହୁତ ଡୁବିଯାଉଥିବା ସଂସ୍ଥାକୁ ଏଲଆଇସି ମଧ୍ୟ ଉଦ୍ଧାର କରିଛି । ୨୦୧୯ରେ ଏକ ନିୟନ୍ତ୍ରକ ଅଂଶଧନ ଅଧିଗ୍ରହଣ କରିବା ପରେ, ଏଲଆଇସି ଆଇଡିବିଆଇ ବ୍ୟାଙ୍କକୁ କ୍ଷତିରୁ ଲାଭ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା । ଷ୍ଟକ୍ ମାର୍କେଟ ପତନବେଳେ ଏଲଆଇସି ବିନିଯୋଗ କରି ପତନରୁ ରକ୍ଷା କରିଛି । ଯେତେବେଳେ ଓଏନଜିସି, କୋଲ ଇଣ୍ଡିଆ, ସେଲ୍, ଭେଲ୍ରୁ ପୁଞ୍ଜି ପ୍ରତ୍ୟାହାର ବେଳେ କେହି କିଣିନଥିଲେ, ଏଲଆଇସି କିଣିଛି ଏବଂ ଲାଭବାନ ହୋଇଛି । କିନ୍ତୁ ଏହା ସତ୍ତେ୍ୱ ସର୍ବଦା ସଜାଗ ଓ ସଚେତନତା ଆବଶ୍ୟକ ।