ଚାନ୍ଦବାଲି, ୩।୯: ଟ୍ରଙ୍କ ଖୋଲିଲେ ବାହାରୁଛି ପୋଡ଼ା ୧୦୦ ଟଙ୍କିଆ । ପାଉଁଶ ପାଲଟିଛି ରାସନ କାର୍ଡ । ଡାଲି, ଚାଉଳ ସବୁ ପୋଡ଼ି ଅଙ୍ଗାର । ସେଇ ଅଙ୍ଗାରକୁ ଖେଳେଇ ଖେଳେଇ ଦେଖୁଛନ୍ତି । ବୃଦ୍ଧଙ୍କର ହାତ ଥରୁଛି । ମନରେ ଆଶା ବାନ୍ଧୁଛନ୍ତି ପୋଡ଼ା ଅଙ୍ଗାରରୁ କାଳେ କିଛି ମିଳିଯିବ କି ! ଏଇ ଟିକକ ସମ୍ପତ୍ତି ଥିଲା ଅମୂଲ୍ୟଙ୍କର । ଏବେ କ’ଣ କରିବେ ? ଭତ୍ତା ଟଙ୍କା ଗଲା, ସରକାରୀ କାଗଜପତ୍ର ବି ଗଲା ଏବେ କେମିତି ଚଳିବେ ? ​​​​​​​

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅଧିନସ୍ଥ ଉତୁକୁଡ଼ା ପଞ୍ଚାୟତ ଉତୁକୁଡ଼ା ଗାଁର ବାସିନ୍ଦା ଅମୂଲ୍ୟ ବଳ । ଘରେ ଅଗ୍ନିକାଣ୍ଡ ଘଟି ଘର ସହ ଭତ୍ତା ଟଙ୍କା, ରାସନ ଚାଉଳ ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି । ଅମୂଲ୍ୟଙ୍କର କେହି ପରିବାର ନଥିବା ବେଳେ ପରିଣତ ବୟସରେ ସେ ଏକାକୀ ଘରେ ରୁହନ୍ତି । ସ୍ତ୍ରୀ ଏବଂ ପିଲାଛୁଆଙ୍କ ମୃତ୍ୟୁ ପରେ ନିଜର ବୋଲି ଆଉ କେହି ନାହାନ୍ତି । କେବଳ ରାସନ ଚାଉଳ ଆଉ ଭତ୍ତା ଟଙ୍କାରେ ଚଳନ୍ତି । ଏଭଳି ପରିସ୍ଥିତିରେ ଘର ପୋଡ଼ି ଯିଵା ପରେ ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।