ନବରଙ୍ଗପୁର,୦୧/୦୩: ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହାହେଲେ ପ୍ରସୂତୀ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ କୁସୁମଖୁଣ୍ଟା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ଅନୁସାରେ, ଗ୍ରାମର ଡ଼ମୁଣି ପ୍ରଧାନୀ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତାରେ ଆମ୍ବୁଲାନ୍ସ ଯାଇ ପାରିବ ନାହିଁ ବୋଲି କହିବାରୁ ଅଟୋକୁ ଡାକିଥିଲେ । କିନ୍ତୁ ଅଟୋ ଆସିବାର ବିଳମ୍ବ ହେବାରୁ ଘରେ ହିଁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଦେଖିବାକୁ ମିଳିଛି । ଘର ନିକଟରେ ଅଟୋ ପହଞ୍ଚି ନ ପାରିବାରୁ ଅଧା କିମି ଦୂର ଖଟିଆରେ ଗର୍ଭବତୀ ମାଙ୍କୁ ଗ୍ରାମବାସୀଙ୍କ ସାହାର୍ଯ୍ୟରେ ବୋହି ଆଣି ଅଟୋରେ ବସାଇ ମୈଦଲପୁର ମେଡିକାଲ ଅଣାଯାଇଥିଲା । ବର୍ତ୍ତମାନ ମା ଓ ଶିଶୁ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି ।
ଆହୁରି ପଢନ୍ତୁ-ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବରକାଣ୍ଡ: IED ବିସ୍ଫୋରଣରେ କୋବ୍ରା ବାହିନୀର ସହକାରୀ କମାଣ୍ଡାଣ୍ଟ ଗୁରୁତର
ତେବେ ଏହି ଗାଁ ମୈଦଲପୁର ଠାରୁ ପ୍ରାୟ ୮ କିମି ଦୂର ରହିଛି । ପ୍ରାୟ ୫ କିମି ରାସ୍ତା ଅତି ଶୋଚନୀୟ ଭାବେ ଯାହାକି ଗାଡି ଯିବାର ସମ୍ଭବ ନାହିଁ ।ଜଙ୍ଗଲ ମଧ୍ୟରେ ଗାଁ ଥିବାରୁ ପଥୁରିଆ ରାସ୍ତା ରହିଛି । ରାସ୍ତାର ଅବସ୍ଥା ଠିକ ନ ଥିବା ସମୟରେ ଗର୍ଭବତୀ ହୋଉ କି ଅନ୍ୟ ରୋଗୀ ମାନଙ୍କୁ ହୋଉ ଖଟିଆରେ ବୋହି ଆଣି ମେଡିକାଲ ନେଉଥିବା କହିଛନ୍ତି ଗ୍ରାମବାସୀ । ପ୍ରଶାସନ ଦୃଷ୍ଟିଦେଇ ଏହି ଗାଁକୁ ଏକ ପକ୍କା ସଡକ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।