ଭୁବନେଶ୍ୱର ୧୮/୦୫:କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଅବା ବୈଠକରେ ଯୋଗଦେବା ପୂର୍ବରୁ କିମ୍ବା ଦୂର ଯାତ୍ରାରେ ବାହାରିବା ପୂର୍ବରୁ ବାରମ୍ବାର ମନକୁ ଅକାରଣରେ ବିଭିନ୍ନପ୍ରକାରର ନକାରାତ୍ମକ ଚିନ୍ତା ଗ୍ରାସ କରୁଛି କି? ମନରେ ଭୟ ସଂଚାର ହେଉଛି,ଅସଫଳ ହୋଇଯିବାର ଆଶଙ୍କା ଆସୁଛି କି? ଯଦି ହଁ,ତେବେ ଏହାର ପ୍ରଭାବ ଓ ପ୍ରତିକାର ଜାଣିବା ବୁଦ୍ଧିମାନର କାମ ହେବ । ଏପରି ଆଶଙ୍କାନ୍ୱିତ ଅବସ୍ଥା ଲାଗି ରହିଲେ ଏହା କ୍ରମେ ଶରୀର ତଥା ମାନସିକ ଅସୁସ୍ଥତା ଆଡ଼କୁ ଟାଣିନେଇଥାଏ । ତେବେ ଏପରି ନକାରାତ୍ମକ ଚିନ୍ତା ଦୂର କରିବା, ଅବା ଏଥିରୁ ଦୂରେଇ ରହିବା ଲାଗି ଜ୍ୟୋତିଷ ଶାସ୍ତ୍ର ତଥା ଲାଲ୍ କିତାବରେ କେତୋଟି ବିଶେଷ ମନ୍ତ୍ର ଜପ କରିବାକୁ ପରାମର୍ଶ ଦିଆଯାଇଛି । ନକାରାତ୍ମକ ବିଚାରରୁ ଦୂରେଇ ରଖିବାରେ ସହାୟତା କରିପାରିବ ୫ଟି ବିଶେଷ ମନ୍ତ୍ରର ଜପ ।

ଦୁର୍ଗା ମନ୍ତ୍ର : ଓଁ ଦୁଂ ଦୁର୍ଗାୟୈ ନମଃ । ଏହି ମନ୍ତ୍ର କେବଳ ନକାରାତ୍ମକ ବିଚାରରୁ ମୁକ୍ତି ଦିଏ ନାହିଁ,ପରନ୍ତୁ ପରିବେଶରୁ ମଧ୍ୟ ଏହି ଉର୍ଜାକୁ ଦୂର କରିଦେଇଥାଏ । ଶତ୍ରୁଠାରୁ ରକ୍ଷା କରିବା ଲାଗି ଦୁର୍ଗା ମନ୍ତ୍ର ରକ୍ଷାକବଚ ସଦୃଶ କାମ ଦିଏ । ବିଶ୍ୱାସ ତଥା ନିଷ୍ଠାର ସହ ଦୁର୍ଗା ମନ୍ତ୍ର ଜପ କରନ୍ତୁ ଏହାର ସୁଫଳ ଅନୁଭବ କରିପାରିବେ ନିଶ୍ଚୟ ।

ଗାୟତ୍ରୀ ମନ୍ତ୍ର: ଓଁ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟଂ, ଭର୍ଗୋଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍ । ଗାୟତ୍ରୀ ମନ୍ତ୍ର କେବଳ ନକାରାତ୍ମକ ଉର୍ଜାକୁ ଦୂରେଇ ଦିଏ ନାହିଁ ଏକାଗ୍ରତା ବଢ଼ାଇବା ସହ ଭଲ-ମନ୍ଦ ମଧ୍ୟରେ ପରଖ କରିବାର ଶକ୍ତି ମଧ୍ୟ ଦିଏ ।

ହନୁମାନ୍ ମନ୍ତ୍ର: ଓଁ ହନୁ ହନୁମତେ ନମୋ ନମଃ । କୌଣସି ମହତ୍ତ୍ୱପୂର୍ଣ୍ଣ କାମ କରିବା ପୂର୍ବରୁ ଯଦି ମନ ବିଚଳିତ ହେଉଛି,ଡର ଡର ଲାଗୁଛି ଏବଂ ଅସହଜ ବୋଧ ହେଉଛି ତେବେ ହନୁମାନ୍ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ । ଏହା ଆତ୍ମବିଶ୍ୱାସ ବଢ଼ାଇବା ସହିତ ସକାରାତ୍ମକତା ଉର୍ଜା ସ୍ରୋତର ପ୍ରବାହ କରିଥାଏ ।

ମହାମୃତ୍ୟୁଞ୍ଜୟ ମନ୍ତ୍ର : ଓଁ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ଉର୍ବାଋକମିବ ବନ୍ଧନାନ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍ । ଭଗବାନ୍ ଶିବଙ୍କୁ ସମର୍ପିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଭୟ, ନକାରାତ୍ମକ ଚିନ୍ତା ତଥା ଅକାଳ ମୃତ୍ୟୁ ସଙ୍କଟ ଆଦିରୁ ରକ୍ଷା କରିବା ଦିଗରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।

ଆହୁରି ପଢ଼ନ୍ତୁ...Mahabharata curses : ମହାଭାରତ ଯୁଦ୍ଧ ସମୟର ୩ ବଡ଼ ଅଭିଶାପ, କଳିଯୁଗରେ ବି ପଡୁଛି ପ୍ରଭାବ

ହନୁମାନ୍ ଚାଳିସା: ହନୁମାନ୍ ଚାଳିସା ପାଠ କରିବା ଦ୍ୱାରା ମନରୁ ନକାରାତ୍ମକ ଚିନ୍ତା,ଆଶଙ୍କା ଦୂର ହେବା ସହଜ ହୋଇଥାଏ । ଏହା ଜପକାରୀଙ୍କୁ ସଙ୍କଟରୁ ରକ୍ଷା କରିଥାଏ ।