ଭୁବନେଶ୍ୱର,୧୫/୦୬: ରାଜଧାନୀର ହାଇ-ସିକ୍ୟୁରିଟି ଜୋନରେ ଥିବା ଜୟଦେବ ଭବନ ପରିସରରୁ ଦୁର୍ବୃତ୍ତ ଏକ ଚନ୍ଦନ ଗଛ କାଟି ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏଭଳି ସ୍ଥାନରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ଘଟଣା ରାଜଧାନୀର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଉଠାଇଛି ।
ମିଳିଥିବା ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଜୟଦେବ ଭବନ ପରିସର ଶୂନଶାନ ଥିବାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ଭିତରକୁ ପ୍ରବେଶ କରିଥିଲେ । ସେମାନେ ଚତୁରତାର ସହ ସେଠାରେ ଥିବା ଚନ୍ଦନ ଗଛକୁ କାଟି ସାଙ୍ଗରେ ନେଇ ଯାଇଛନ୍ତି । ରବିବାର ସକାଳେ କର୍ମଚାରୀମାନେ ଆସିବା ପରେ ଗଛଟି କଟା ହୋଇ ଗଣ୍ଡି ଚୋରି ହୋଇଥିବା ବେଳେ ଡାଳ ସବୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ଜୟଦେବ ଭବନ ପରିସରରୁ ମୂଲ୍ୟବାନ ଚନ୍ଦନ ଗଛ ଚୋରି ଘଟଣା ଖବର ପ୍ରଚାରିତ ହେବାପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା ।
ଜୟଦେବ ଭବନ କର୍ମଚାରୀମାନଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରୁ ଗଛଟି କଟାଯାଇଛି, ତା' ନିକଟରେ କୌଣସି ସିସି କ୍ୟାମେରା ଲାଗିନାହିଁ । ଏହାର ଫାଇଦା ଉଠାଇ ଚୋରମାନେ ସହଜରେ କାଣ୍ଡ ଘଟାଇ ଖସିଯିବାରେ ସଫଳ ହୋଇଛନ୍ତି । ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ଜୟଦେବ ଭବନ ପରିସରରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଆଖପାଖ ଅଞ୍ଚଳରେ ଲାଗିଥିବା ଅନ୍ୟ ସିସି କ୍ୟାମେରାର ଫୁଟେଜ୍କୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଚେଷ୍ଟା ଚଳାଇଛି । ତେବେ ଏତେ ସୁରକ୍ଷା ବଳୟ ଭିତରେ ଚୋରମାନେ କେମିତି ଜୟଦେବ ଭବନ ପରିସରରେ ପଶିଲେ ଏବଂ ମୂଲ୍ୟବାନ ଚନ୍ଦନ ଗଛ କାଟି ନେଇଗଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । ଭୁବନେଶ୍ୱରର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରେକ୍ଷାଳୟ ପରିସରରୁ ଚନ୍ଦନ ଗଛ ଚୋରି ହେବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଧିକ ପଢ଼ନ୍ତୁ :- Chandrika Case : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ଉଦଳାରେ ଖୋଳତାଡ଼ କରିବ ବାରଙ୍ଗ ପୁଲିସର ଟିମ୍
ସୂଚନା ଥାଉକି, ୨୦୨୨ ନଭେମ୍ବର ୩ରେ ରାଜଭବନ ପରିସରରୁ ମଧ୍ୟ ଏକ ୩୦ ବର୍ଷର ପୁରୁଣା ଚନ୍ଦନ ଗଛ ଚୋରି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ଆଜି ପର୍ଯ୍ୟନ୍ତ ଉକ୍ତ ଘଟଣାର ପୁଲିସ ପର୍ଦ୍ଦାଫାସ୍ କରି ପାରିନାହିଁ । ରାଜଧାନୀରେ ଚନ୍ଦନ ଗଛ ଚୋରି କିିଛି ନୂଆ ଘଟଣା ନୁହେଁ । ଗତ ୫ ବର୍ଷ ମଧ୍ୟରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ୧୨ଟି ଚନ୍ଦନ ଗଛ ଚୋରି ମାମଲା ରହିଛି । ନୂଆପଲ୍ଲୀ, ଖଣ୍ଡଗିରି, ଚନ୍ଦକା ଓ ଇନ୍ଫୋସିଟି ଥାନା ଅଞ୍ଚଳରୁ ମଧ୍ୟ ଚନ୍ଦନ ଗଛ ଚୋରି ହୋଇଛି ।