ବ୍ରହ୍ମପୁର,୧୫/୦୬: ରଜ ସଂକ୍ରାନ୍ତି ସନ୍ଧ୍ୟା । ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ ଜଣେ ଯୁକ୍ତ ତିନି ଛାତ୍ରୀ । ରାତି ପ୍ରାୟ ୮ଟାରେ ପୁରୁଷବନ୍ଧୁଙ୍କ ଆଗରେ ୧୦ଜଣ ଅଭିଯୁକ୍ତ ଦୁଷ୍କର୍ମ କଲେ । ଆଜି ବର୍ଷେ ପରେ ବି ସେହି ଘଟଣା ଲୋକଙ୍କ ମନରୁ ଯାଇନି । ତେବେ ବେଳାଭୂମିର ଅବସ୍ଥା ବଦଳିନାହିଁ । ସେଠାରେ ବିଶେଷ ସୁରକ୍ଷା ବ୍ୟବସ୍ଥା ନଥିବାବେଳେ ସିସିଟିଭି ଲଗାଇବା ଏବଂ ଆଲୋକୀକରଣ କରିବା କେବଳ ଘୋଷଣାରେ ସୀମିତ ରହିଛି । ଆଜି ବି ପର୍ଯ୍ୟଟକ ସେହି ଭୟ ଭିତରେ ବେଳାଭୂମି ବୁଲିବାକୁ ଯାଉଛନ୍ତି । ଆଉ ସନ୍ଧ୍ୟା ହେଲେ ଫେରି ଆସୁଛନ୍ତି ।

ବେଳାଭୂମି ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଗୋପାଳପୁରକୁ ଲଜ୍ଜିତ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା । ହେଲେ ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅଦ୍ୟାବଧି ବିଶେଷ ପଦକ୍ଷେପ ଗ୍ରହଣ ହୋଇନଥିବା ଦେଖିବାକୁ ମିଳିଛି । ଗତବର୍ଷ ଜୁନ୍ ୧୪ ତାରିଖ ସନ୍ଧ୍ୟା ୭ଟାରେ ଯୁବତୀ ଓ ପୁରୁଷ ବନ୍ଧୁ ପାନ୍ଥନିବାସ ପଛରେ ବସିଥିବାବେଳେ ୧୦ ଜଣ ଅଭିଯୁକ୍ତ ପହଞ୍ଚିଥିଲେ । ଚାରିଜଣ ପୁରୁଷବନ୍ଧୁଙ୍କୁ ଧରି ମାଡ଼ ମାରୁଥିବାବେଳେ ଅନ୍ୟମାନେ ଯୁବତୀଙ୍କୁ ଦୁଷ୍କର୍ମ କରି ସେହି ଅନ୍ଧାର ରାସ୍ତା ଦେଇ ସେଠାରୁ ଚାଲିଯାଇଥିଲେ । ସମସ୍ତ ଅଭିଯୁକ୍ତ ଜେଲ୍ରେ ଅଛନ୍ତି । ଏବଂ ମାମଲାର ତଦନ୍ତ ଏବେ କ୍ରାଇମ୍‌ବ୍ରାଞ୍ଚ କରୁଛି । ଦୁଷ୍କର୍ମ ଘଟଣାପରେ ବେଳାଭୂମିକୁ ସୁରକ୍ଷିତ କରାଯିବ ବୋଲି କୁହାଯାଇଥିଲା । ପୂରା ବେଳାଭୂମିରେ ଆଲୋକ ବ୍ୟବସ୍ଥା ସହ ସିସିଟିଭି ଲଗାଯିବାକୁ ଘୋଷଣା ହୋଇଥିଲା । ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଗୋଟିଏ ଏଟିଭି ବାଇକ୍ ଯୋଗାଇଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଆଉ ଅଧିକ ବାଇକ୍ ଆସିନାହିଁ । ଆଲୋକ ବ୍ୟବସ୍ଥା ହୋଇନାହିଁ । କେବଳ ମୁଖ୍ୟ ବେଳାଭୂମିରେ ଚାରୋଟି ସିସିଟିଭି ଲଗାଯାଇଛି ।

ଅଧିକ ପଢ଼ନ୍ତୁ :-  ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୫୭୪ ପୃଷ୍ଠାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଆଜିବି ବେଳାଭୂମି ସେହି ଅନ୍ଧାର ଭିତରେ ରହିଛି। ସନ୍ଧ୍ୟା ହେଲେ ସେଠାରୁ ଫେରି ଆସୁଛନ୍ତି ପର୍ଯ୍ୟଟକ । ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ୨୦୨୨ରେ ବେଳାଭୂମି ପାଖରେ ସ୍ଥାପିତ ସାମୁଦ୍ରିକ ଥାନା ସହାୟତା କେନ୍ଦ୍ରକୁ ଏବେ ଭାଙ୍ଗି ମାଟିରେ ମିଶାଇଦିଆଯାଇଛି । ବେଳାଭୂମିରେ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆଯାଇଥିବା ଅଭିଯୋଗ ହୋଇଛି । ଗୋପାଳପୁର ଏନ୍ଏସି ନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକ କହିଛନ୍ତି ଯେ, ଓଟିଡିସି ପକ୍ଷରୁ ଦୁଇଟି ହାଇମାକ୍ସ ଲାଇଟ୍ ଶୀଘ୍ର ଲଗାଯିବ । ମୁଖ୍ୟ ବିଚ୍ରେ ଚାରୋଟି ସିସିଟିଭି ଖଞ୍ଜାଯାଇଛି । ଗୋପାଳପୁର ଆଇଆଇସି ସତ୍ୟରଞ୍ଜନ ଲେଙ୍କା କହିଛନ୍ତି, ନିୟମିତ ପୁଲିସ ପାଟ୍ରୋଲିଂ କରାଯାଉଛି । ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଉଛି ।

ଅଧିକ ପଢ଼ନ୍ତୁ :- ଗୋପାଳପୁର ଗଣଦୁଷ୍କର୍ମ ମାମଲା: କ୍ରାଇମ୍ବ୍ରାଞ୍ଚ୍ ଚାର୍ଜସିଟ୍ରେ ଓମ୍କୁ ବାଦ୍, ୩ ଜଣ କରିଥିଲେ ଦୁଷ୍କର୍ମ