ପୁରୀ,୧୫/୦୬: ଶ୍ରୀମନ୍ଦିର ଉତ୍ତରଦ୍ୱାର ମୁହଁରେ ସ୍ଥିତି ସଙ୍ଗୀନ । ବାରିକେଡ୍ ଭିତରେ ଓ ବାହାରେ ଦଲାଲ୍‌ଙ୍କ ରାଜୁତି ଚାଲିଛି । ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ପାଇଁ ଖୋଲାଖୋଲି କଳାବଜାର । ସିନେମା ହଲ୍‌କୁ ବଳିଗଲାଣି ଶ୍ରୀମନ୍ଦିର ସ୍ଥିତି । ବାରିକେଡ଼୍ ସମ୍ମୁଖରେ ପୁଲିସ ଜଗୁଛନ୍ତି । ପଛରେ ଭରା ବେପାର । ଭକ୍ତଙ୍କୁ ଲୁଟୁଛନ୍ତି ଦଲାଲ୍ । ରେଲିଂ ତଳେ ଗଳି ଆସିବାକୁ ପ୍ରବର୍ତ୍ତାଇ ଭିତରେ ଟଙ୍କା ଆଦାୟ କରୁଛନ୍ତି । ମୁଣ୍ଡକୁ ୫ଶହ । ନଚେତ୍ ଦୂର୍‌ଦୂର୍ ମାର୍‌ମାର୍ । ଅନୀତି ସବୁଦିନିଆ ହେବାରେ ଏହା ହିଁ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ପାଲଟିଛି । ଶୃଙ୍ଖଳିତ ଦର୍ଶନ କଟକଣାରୁ ବଢ଼ିଛି କଳାବଜାର ।

ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ଏବେ ଶନିଦଶା ପଡ଼ିଛି । ମହାପ୍ରସାଦ ପାଇବାକୁ ହେଉ କି ଠାକୁରଙ୍କ ଦର୍ଶନ ପାଇଁ ଦଲାଲ୍ ହୋଇଛନ୍ତି ମାଧ୍ୟମ । କିଛି ସେବାୟତଙ୍କୁ ନନା ଓ କର୍ତ୍ତବ୍ୟରତ ପୁଲିସଙ୍କୁ ଭାଇ ଡାକି ମାଳ ମାଳ ବ୍ଲାକର ଶ୍ରୀମନ୍ଦିରରେ ରାଜ୍ କରୁଛନ୍ତି । ପରିସ୍ଥିତି ଏଭଳି ହେଲାଣି ଯେ ଖୋଦ୍ ସେବାୟତ ମୁଖିଆ ହେଲେ ମଧ୍ୟ ସେମାନଙ୍କୁ ଆକଟ କରିବାକୁ ଡରୁଛନ୍ତି । ଏପଟେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ସବୁ ଦେଖି ଆଖିବୁଜି ଦେବାରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଶୋଷଣ ସୀମା ଡେଇଁଯାଇଛି । ଶ୍ରୀମନ୍ଦିରକୁ ଯାଇ ନପାରି ଦର୍ଶନାର୍ଥୀ କଲବଲ ହେଉଥିବା ସ୍ଥଳେ ସେମାନଙ୍କୁ ଶିକାର କରୁଛନ୍ତି ପଞ୍ଛା ପଞ୍ଛା ଦଲାଲ । ଟଙ୍କା ଦେଇ ମନ୍ଦିର ଦ୍ୱାର ଡେଇଁଗଲେ ଶ୍ରୀମନ୍ଦିର ଭିଡ଼ରେ ଫସିଲା ବେଳକୁ ଦଲାଲ୍ ଚମ୍ପଟ । ଶ୍ରୀମନ୍ଦିରରେ ବ୍ଲାକରଙ୍କ ତାଉ ଦିନକୁ ଦିନ ବଢ଼ୁଛି । ସଲାସୁତୁରା ହୋଇ ଚାଲିଥିବା ଏଭଳି ଅବ୍ୟବସ୍ଥା ଏବେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ପରିଚୟ ପାଇଛି ।

ମହାପ୍ରସାଦ ପାଇଁ ମଧ୍ୟ ଅନେକ କ୍ଷେତ୍ରରେ ଠକାମୀର ଶିକାର ହେଉଛନ୍ତି ଶ୍ରଦ୍ଧାଳୁ । କେହିକେହି ୫ଶହ ଟଙ୍କାର ଜିନିଷକୁ ୧୦୦୦ ଟଙ୍କା ହାଙ୍କି ନେଉଛନ୍ତି । ଟଙ୍କା ନେଇ ଫେରାର୍ ହୋଇ ଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ସେଥିରୁ ଅନେକ ନିଶାଗ୍ରସ୍ତ ଥିବା କହୁଛନ୍ତି ଦର୍ଶନାର୍ଥୀ । ପୁଲିସ ସବୁ ଦେଖି ଜାଣି ଉପୁରି ଲୋଭରେ ନିରବ ରହିବାରେ ଶ୍ରଦ୍ଧାଳୁଙ୍କ ଦୁର୍ଦ୍ଦଶା ବଢ଼ୁଥିବା ହଜାର ହଜାର ଦର୍ଶନାର୍ଥୀ ଅଭିଯୋଗ କରୁଛନ୍ତି । ଭାବଗ୍ରାହୀଙ୍କ ଆସ୍ଥାନରେ ଭାବର ଅଭାବ ପଡ଼ିଛି । ଠାକୁର ଦର୍ଶନ ଓ ମହାପ୍ରସାଦ ପ୍ରାପ୍ତିରେ ଅବ୍ୟବସ୍ଥା ଭକ୍ତ ମନରେ ଭରୁଛି କୁଣ୍ଠା । ବହୁ ଭକ୍ତ ଦର୍ଶନ ନକରି ଫେରୁଛନ୍ତି । ଶ୍ରୀମନ୍ଦିର ପ୍ରତି ଆଧ୍ୟାତ୍ମିକ ଭାବ ପ୍ରତ୍ୟେକ ଦିନ କମୁଛି । ସ୍ଥିତି ଏଭଳି ହେଲାଣି ଅଣଓଡ଼ିଆ ଦର୍ଶନାର୍ଥୀ ମଧ୍ୟ ଜାଣିଲେଣି ଟଙ୍କା ଦେଲେ ସୁବିଧାରେ ମିଳୁଛି ଜଗା ଦର୍ଶନ । ଏଣୁ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ସ୍ଥଳର ଭାବମୂତ୍ତି ର୍ ଆଘାତ ପାଇ ବ୍ୟାବସାୟିକ ସ୍ଥଳୀ ବୋଲି ସମାଲୋଚନା ହେଲାଣି ।

ଅଧିକ ପଢ଼ନ୍ତୁ :-  Rath Khala Update: ରଥରେ ଉଠିଲା ବଡ଼ ପୋଟଳ, ଆଗକୁ ଲାଗିବ ‘ପାରାଭାଡ଼ି’